Advertisment

କେତେ ଫଳପ୍ରଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ?

ପୋସ୍କୋ ଓଡ଼ିଶାରୁ ଫେରିଯିବା ଘଟଣା ବିଦେଶରେ ରାଜ୍ୟ ପାଇଁ ଦୁର୍ନାମ ଆଣିଛି କହିଲେ ଶିଳ୍ପସଂଘ ଓ ବିଶେଷଜ୍ଞ

ଅଦ୍ୟତନ ହୋଇଛି
CM Naveen Patnaik Japan Visit

Will CM Naveen Patnaik’s Japan tour yield?

Advertisment

ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ ଚର୍ଚ୍ଚା। ଇଟାଲୀ, ଦୁବାଇ ପରେ ହଠାତ୍ ଜାପାନ ମୁହାଁ ନବୀନ। ଆସନ୍ତା ୩ରୁ ୯ ତାରିଖ ଯାଏଁ ଜାପାନର ତିନୋଟି ସହର-ଟୋକିଓ, କ୍ବୋଟୋ, ଓସାକା ଆଦି ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ଓଡ଼ିଶା ରେ ପୁଞ୍ଜିନିବେଶ ପାଇଁ ଆହ୍ବାନ କରିବେ। ତେବେ ଏମିତି କ’ଣ ହେଲା ଯେ ୧୦ ବର୍ଷ ହେଲା ବିଦେଶ ନାଁ ଧରୁ ନ ଥିବା ନବୀନ ବର୍ଷକ ଭିତରେ ଦୁଇ ଦୁଇ ଥର ବିଦେଶମୁହାଁ ହୋଇଛନ୍ତି ? ବିଦେଶୀ ପୁଞ୍ଜିନିବେଶ ଟାଣିବାରେ ପଛରେ ପଡ଼ିଯାଇନି ତ ଓଡ଼ିଶା ?

Advertisment

ବିଧାନସଭାରେ ଖୋଦ୍ ଶିଳ୍ପମନ୍ତ୍ରୀ ରଖିଥିବା ଉତ୍ତର କହୁଛି, ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ- FDI ଆକୃଷ୍ଟ କରିବାରେ ଦେଶରେ ୧୯ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ୨୦୨୧ରେ ରାଜ୍ୟକୁ ଆସିଛି ମାତ୍ର ୩୯.୪୬ ନିୟୁତ ଡଲାରର FDI। ଯାହାକି ଉକ୍ତ ବର୍ଷ ଦେଶକୁ ଆସିଥିବା ମୋଟ ୫୧ ହଜାର ୩୩୯ ନିୟୁତ ଡଲାରର ମାତ୍ର ୦.୦୭ ପ୍ରତିଶତ। ଏମିତିକି FDI ଟାଣିବାରେ ଓଡ଼ିଶାକୁ ପଛରେ ପକାଇ ଦେଇଛି ପଛୁଆ ରାଜ୍ୟ ବିହାର।

ଅଧିକ ପଢ଼ନ୍ତୁ: ଦୀପାଳି ହେଲେ ପ୍ରାର୍ଥୀ, ମହିଳା ସହ ଅନୁକମ୍ପା କାର୍ଡ ଖେଳିଲା ବିଜେଡି !

Advertisment

ଶିଳ୍ପସଂଘ ଓ ବିଶେଷଜ୍ଞଙ୍କ ମତ, ଏକଦା ଦେଶର ସର୍ବବୃହତ ପୁଞ୍ଜିନିବେଶ ଥିବା ପୋସ୍କୋ ଓଡ଼ିଶାରୁ ଫେରିଯିବା ଘଟଣା ବିଦେଶରେ ରାଜ୍ୟ ପାଇଁ ଦୁର୍ନାମ ଆଣିଛି। ଅନ୍ୟପଟେ ଅନ୍ୟ ରାଜ୍ୟଗୁଡ଼ିକ ବିଦେଶୀ ପୁଞ୍ଜି ନିବେଶକଙ୍କୁ ପ୍ରତିଶ୍ରୁତି ମୁତାବକ ତତ୍କାଳ ସବୁ ଭିତ୍ତିଭୂମି ଯୋଗାଇ ଦେଉଛନ୍ତି। ଏ କ୍ଷେତ୍ରରେ ଓଡ଼ିଶା କିନ୍ତୁ ଫେଲ୍ ମାରୁଛି। ଫଳରେ ଓଡ଼ିଶାକୁ ମୁହଁ ମୋଡ଼ୁଛନ୍ତି ବିଦେଶୀ ନିବେଶକ।

ଏପଟେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ ଜୋର୍ ଧରିଲାଣି ରାଜନୀତି। ଉଭୟ କଂଗ୍ରେସ ଓ ବିଜେପି କହିଛନ୍ତି, ପୁଞ୍ଜିନିବେଶ ଟାଣିବା ନାଁରେ ନିବେଶକ ସମ୍ମିଳନୀ ଓ କନକ୍ଲେଭ୍ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ବାରମ୍ବାର ବିଦେଶ ଗସ୍ତ କରି ନିବେଶକଙ୍କୁ ବି ଆହ୍ବାନ ଦେଉଛନ୍ତି। ହେଲେ ରାଜ୍ୟକୁ ବିଦେଶୀ ପୁଞ୍ଜିନିବେଶ ଆସିଲା ବେଳକୁ ସବୁ ଫୁସ୍। ଏସବୁ କେବଳ ରାଜ୍ୟ ସରକାରଙ୍କ ଧୁଆଁବାଣ।

Advertisment

ଜବାବରେ ଶିଳ୍ପମନ୍ତ୍ରୀ କହିଛନ୍ତି, ରାଜ୍ୟ ଶିଳ୍ପାୟନ ପଥରେ ଆଗେଇ ଚାଲିଛି। ଜାପାନରୁ ହିଁ ରାଜ୍ୟକୁ ପ୍ରଥମ ବିଦେଶୀ ପୁଞ୍ଜିନିବେଶ ଆସିଥିଲା। ଏହାଛଡ଼ା ଜାପାନ ନିବେଶକ ପାର୍ଟନରଙ୍କ ସହାୟତାରେ ଖୋର୍ଦ୍ଧାରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ ଚାଲିଛି। ରାଜ୍ୟ ଶିଳ୍ପାୟନ ନେଇ ବିରୋଧୀ ଦଳଙ୍କ ଚିନ୍ତାଧାରା ହିଁ ସ୍ପଷ୍ଟ ନୁହେଁ । ଏବେ ଦେଖିବାର କଥା, ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ବିଦେଶ ଗସ୍ତ ପରେ FDI ଆକୃଷ୍ଟ କରିବାରେ ୧୯ ନମ୍ବର ସ୍ଥାନରେ ଥିବା ଓଡ଼ିଶାର ସ୍ଥାନ କେତେ ଉପରକୁ ଉଠୁଛି।

(ଭୁବନେଶ୍ବରରୁ ଜଗଦୀଶ ଦାସ ଓ ହରିହର ଚାନ୍ଦଙ୍କ ସହ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ)

CM Naveen Patnaik CMO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ