୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ପ୍ରଚଣ୍ଡ ବହୁମତ । ୭୦ ଆସନରୁ ବିଜେପିକୁ ମିଳିଛି ୪୮ । କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟକୁ ମିଳିଛି ମାତ୍ର ୨୨ଟି ସିଟ୍ । ସେପେଟେ କଂଗ୍ରେସ ଏଥର ବି ଦିଲ୍ଲୀରେ ଖାତା ଖୋଲିବାକୁ ସଫଳ ହୋଇନି । ଏଥର ନିର୍ବାଚନରେ ବିଜେପି ୩ ଥର ଲଗାତର ବିଜୟୀ ହୋଇ ଆସୁଥିବା ଆପକୁ ମାତ୍ ଦେଇ ଦୁଇ ତୃତୀୟାଂଶ ଆସନ ସହ ବିଜୟ ଲାଭ କରିଛି ।
୨୦୨୦ ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିଥିଲା ମାତ୍ର ୮ଟି ଆସନ । ଏଥର ନିର୍ବାଚନରେ ବିଜେପି ଖାତାକୁ ଅଧିକ ୪୦ ଆସନ ଆସିଥିବା ବେଳେ ସେପଟେ ଗତଥର ୬୨ ଆସନ ସହ ବିଜୟୀ ହୋଇଥିବା ଆପକୁ ୪୦ଟି ସିଟ୍ ହରାଇବାକୁ ପଡ଼ିଛି । କଂଗ୍ରେସ ୨୦୨୦ରେ ଗୋଟିଏ ବି ଆସନ ପାଇନଥିବା ବେଳେ ଏଥର ବି ଖାତା ଖୋଲି ପାରିନି ।
Also Read
ଗୋଟିଏ ଦଶନ୍ଧିର ଖେଳ ଶେଷ ହୋଇଛି । ଯେଉଁଠି ଉତ୍ଥାନ, ସେଇଠି ପତନ ହୋଇଛି । ଆମ୍ ଆଦମୀ ପାର୍ଟିର ଦିଲ୍ଲୀ ଗଡ଼ ଆଜି ଧୂଳିସାତ୍ ହୋଇଥିବା ବେଳେ, ଖୋଦ୍ କେଜ୍ରିୱାଲଙ୍କୁ ବି ମାତ୍ ଖାଇବାକୁ ପଡ଼ିଛି । ଆଜି ନା ଅଛି ସେଦିନର ସ୍ବଚ୍ଛ ଛବି, ନା ଅଛି ସେ ଆତ୍ମବିଶ୍ବାସ । ଏହାର ପ୍ରଭାବ କେବଳ ଦିଲ୍ଲୀରେ ସୀମିତ ନରହି, ପଞ୍ଜାବ ସହିତ ଅନ୍ୟ ରାଜ୍ୟରେ ଆପ୍ ପ୍ରଦର୍ଶନ ଉପରେ ବି ପଡ଼ିବ ବୋଲି କୁହାଯାଉଛି ।
ସେପଟେ ଆନ୍ନା ହଜାରେ କହିଛନ୍ତି କେଜ୍ରିଙ୍କ ସ୍ବଚ୍ଛ ଛବିରେ ଲାଗିଛି କଳଙ୍କର ଛିଟା । ଫୁସୁକି ଯାଇଛି ମୁହଁ ଫୁଟାଣି । ଅଧୁରା ରହିଲା ପୁଣି 'ମୁଖ୍ୟମନ୍ତ୍ରୀ' ବନିବା ଆଶା । ଫେଲ୍ ହୋଇଗଲା 'ଦିଲ୍ଲୀ' ମଡେଲ୍, ଖତମ୍ ହୋଇଗଲା 'କେଜ୍ରିୱାଲ୍' ବ୍ରାଣ୍ଡ୍ । ଗୋଟିଏ ଦଶନ୍ଧି ତଳେ ଯେଉଁ ଦୁର୍ନୀତି ବିରୋଧରେ ବିଷ ଉଗାଳି କ୍ଷମତାର ସିଡ଼ି ଚଢ଼ିଥିଲେ । ଏବେ ସେଇ ଦୁର୍ନୀତି ଯୋଗୁଁ ମୁହଁ ମାଡ଼ି ପଡ଼ି ମାଟି କାମୁଡ଼ିଲେ କେଜ୍ରିୱାଲ । ଆସନ୍ତୁ ନଜର ପକାଇବା ଆମ୍ ଆଦମୀ ପାର୍ଟିର ଉତ୍ଥାନ-ପତନ ଉପରେ, କେଜ୍ରିୱାଲଙ୍କ ପଲିଟିକାଲ୍ ରୋଲର କୋଷ୍ଟର୍ ଉପରେ । ୨୦୧୧ ମସିହା ବହୁଚର୍ଚ୍ଚିତ ଆନ୍ନାଙ୍କ ଆନ୍ଦୋଳନରୁ ଲୋକଲୋଚନକୁ ଆସିଥିଲେ ପୂର୍ବତନ ବ୍ୟୁରୋକ୍ରାଟ୍ ଅରବିନ୍ଦ କେଜ୍ରିୱାଲ୍ । ଆନ୍ନାଙ୍କ ସହ ମତଭେଦ ପରେ ୨୦୧୨ରେ ଆମ୍ ଆଦମୀ ପାର୍ଟି ଗଢ଼ିଥିଲେ । ତତ୍କାଳୀନ କଂଗ୍ରେସ ସରକାର ବିରୋଧରେ ଥିବା ଦିଲ୍ଲୀବାସୀଙ୍କ ରୋଷକୁ ଅସ୍ତ୍ର କରିବା ସହ , ୨୦୧୩ରେ ଭୋଟ୍ ରାଜନୀତିରେ ପାଦ ଥାପିଥିଲେ । ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ସରକାରର ନାରା ଦେଇ, କଂଗ୍ରେସ ସହ ମିଶି ସରକାର ଗଢିବା ପରେ ମାତ୍ର ୪୯ ଦିନ ତିଷ୍ଠିଥିଲା କେଜ୍ରିୱାଲଙ୍କ ପ୍ରଥମ ପାଳି ।
ଏହାପରେ ୨୦୧୫ରେ ଆପ୍ ବାଜିମାତ୍ କରିଥିଲା । ବେଶ୍ ସୁରୁଖୁରୁରେ କଟିଥିଲା କେଜ୍ରିଙ୍କ ସେକେଣ୍ଡ ଇନିଂସ୍ । ତେବେ ୨୦୨୦ରେ ତୃତୀୟ ପାଳି ଆରମ୍ଭ କରୁକରୁ କେଜ୍ରି ସରକାରକୁ ରାହୁ ଗ୍ରାସିଲା । ୨୦୨୨ ମସିହାରେ କେଜ୍ରିୱାଲଙ୍କ ଇମାନଦାର୍ ଚେହେରାରେ ଦାଗ ଲଗାଇଲା ବହୁ ବିବାଦୀୟ ମଦ ମହାଦୁର୍ନୀତିରେ ହୋଇଥିବା ୨ ହଜାର କୋଟି ଟଙ୍କାର ଘୋଟାଲା । ଏହା କେବଳ କେଜ୍ରି ସରକାରକୁ ହରଡ଼ଘଣାରେ ପକାଇଲାନି, କେଜ୍ରିୱାଲ, ମନୀଷ ସିସୋଦିଆ ଓ ସଞ୍ଜୟ ସିଂଙ୍କୁ ତିହାର ଜେଲ ଯିବାକୁ ପଡ଼ିଲା । କେଜ୍ରିଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଲା । ସେପଟେ ମନି ଲଣ୍ଡ୍ରିଂ ମାମଲାରେ ତତ୍କାଳୀନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବି ଥିଲେ ଜେଲ ଚାରିକାନ୍ଥ ଭିତରେ ।
ଅଧିକ ପଢନ୍ତୁ: ସତ ହେଲା ଏକଜିଟ୍ ପୋଲ ? ବିପୁଳ ବିଜୟ ପଥେ ବିଜେପି
ଏସବୁ ଘଟଣା ପରେ କେଜ୍ରିଙ୍କ ନେତୃତ୍ବ ଉପରୁ କେବଳ ଲୋକଙ୍କ ଆସ୍ଥା ନୁହେଁ ଦଳୀୟ ନେତାଙ୍କ ବିଶ୍ବାସ ବି ଉଠିବାରେ ଲାଗିଲା । ଯାହା ଫଳରେ, ଚଳିତ ନିର୍ବାଚନର ଠିକ୍ ପୂର୍ବରୁ ଆପ୍ ର ୮ ବିଧାୟକ ଦଳ ଛାଡ଼ି ବିଜେପିରେ ମିଶିଥିଲେ । କୁହାଯାଉଛି, ବିଭିନ୍ନ ମୌଳିକ ସମସ୍ୟା ସମାଧାନରେ ବିଫଳତା ସହ ମୁଖ୍ୟତଃ କେଜ୍ରିୱାଲଙ୍କୁ ଖାଇଲା ତାଙ୍କ ଅହଂକାର । ଆପ୍ କୁ ମହଙ୍ଗା ପଡ଼ିଲା ଓଭରକନଫିଡେନ୍ସ । ଯେଉଁଥିପାଇଁ ଖୋଦ୍ କେଜ୍ରିୱାଲଙ୍କୁ ୪ହଜାରରୁ ଅଧିକ ଭୋଟରେ ହାରିବାକୁ ପଡ଼ିଛି । ଦିଲ୍ଲୀ ଗଡ଼ ଭୁଶୁଡ଼ିବା ପରେ କଣ ହେବ ଆପ୍ ର ଭବିଷ୍ୟତ?
ଚର୍ଚ୍ଚା ହେଉଛି ଯେହେତୁ ଦିଲ୍ଲୀରୁ ହିଁ ଆପର ଉତ୍ପତ୍ତି । ସେଠାରେ ହାରିବା ପରେ ଦୋହଲି ଯାଇଛି ଦଳର ମୂଳଦୁଆ । ଏହାର ସବୁଠୁ ବଡ଼ ପ୍ରଭାବ ପଡ଼ିବ ପଞ୍ଜାବ ଉପରେ । ଆପ୍ ୨୦୨୨ରେ ପଞ୍ଜାବରେ ସରକାର ଗଢ଼ିଥିଲା । କିନ୍ତୁ ସେଠାରେ ୨୦୨୭ ବିଧାନସଭା ନିର୍ବାଚନରେ କର ବା ମର ସ୍ଥିତିର ସାମ୍ନା କରିବ ଦଳ । ଦିଲ୍ଲୀ ମଡେଲ୍ ଫେଲ୍ ମାରିଥିବାରୁ ପଞ୍ଜାବରେ ପୁଣି ସରକାରକୁ ଫେରିବା ଆପ୍ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିପାରେ । କେବଳ ଏତିକି ନୁହେଁ ଗୋଆ ଓ ଗୁଜରାଟରେ ମଧ୍ୟ ଭୋଟ୍ ସେୟାର ହ୍ରାସ ହୋଇପାରେ ବୋଲି ଅନୁମାନ କରାଯାଉଛି ।