• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଲକାନଗିରି ଜିଲ୍ଲା ଦିନେ ଥିଲା ଲାଲଗଡ ଏବଂ ବିଚ୍ଛିନ୍ନାଂଚଳ, ଆଉ ଏବେ ସ୍ୱାଭିମାନ ଅଂଚଳ । ୨୦୧୭ ପଞ୍ଚାୟତ ନିର୍ବାଚନରେ ଏଠି ବିଜେପି ଗଢ଼ିଥିଲା ପରିଷଦ । ଅଧ୍ୟକ୍ଷ ପଦରେ ବସିଥିଲେ ଦଶରଥ ପଡିଆମୀ । ଉପାଧ୍ୟକ୍ଷ ହୋଇଥିଲେ ସୁଲତା ମଣ୍ଡଳ । ତେବେ ଯଦି ମୋଟ୍ କାହା ପାଖରେ କେତେ ଜୋନ୍ ଅଛି ଦେଖିବା, ତାହେଲେ ୧୫ଜୋନ୍ ବିଶିଷ୍ଟ ଏଇ ପରିଷଦରେ ବିଜେପି ହାତରେ ଅଛି ୧୦ଟି ଜୋନ୍ ।

କଂଗ୍ରେସର ୨ଟି ଏବଂ ବିଜେଡି ପାଖରେ ଅଛି ଗୋଟିଏ ଜୋନ୍ । ମାଓବାଦୀଙ୍କ ନାଲିଆଖି ଯୋଗୁଁ ଚିତ୍ରକୋଣ୍ଡାର ୨ଟି ଜୋନରେ ହୋଇପାରିନଥିଲା ନିର୍ବାଚନ । ତେବେ ୭ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୭ ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୧୧୧ ଜଣ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ, ଆଉ ଓ୍ୱାର୍ଡ ସଂଖ୍ୟା ହେଲା-୧୫୦୯ ।

ମାଲକାନଗିରି ପଂଚାୟତ ନିର୍ବାଚନରେ ଏଠି ପ୍ରତିଥର ବଦଳିଛି ଭୋଟରଙ୍କ ମୁଡ୍ । କହିବାକୁ ଗଲେ, ପ୍ରତିଥର ନେତାଙ୍କୁ ପରଖୁଛନ୍ତି ମାଲକାନଗିରିର ସଚେତନ ଜନତା । ଗତ ପଂଚାୟତ ନିର୍ବାଚନ ଏବଂ ସାଧାରଣ ନିର୍ବାଚନରେ କିନ୍ତୁ ଭୋଟରଙ୍କ ଆସ୍ଥା ବିଜେପି ଉପରେ ରହିଛି । ଏବେ ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ଦୁର୍ଗମ ରାସ୍ତା, ପାନୀୟ ଜଳ, ନେଟୱର୍କ ଓ ବନ୍ୟା ଭଳି ପ୍ରସଙ୍ଗକୁ ମୁଦ୍ଦା କରିଛନ୍ତି ସ୍ୱାଭିମାନ ଅଂଚଳ ବାସୀ ।

ସେପଟେ ପ୍ରଶ୍ନ ଉଠୁଛି ସତରେ କଣ ବିଚ୍ଛିନ୍ନାଞ୍ଚଳକୁ ସ୍ୱାଭିମାନ ଅଞ୍ଚଳରେ ବଦଳାଇପାରିଛି ଗୁରୁପ୍ରିୟା ସେତୁ? ତାର ଉତ୍ତର ସେମାନଙ୍କୁ ପଚାରନ୍ତୁ, ଯେଉଁମାନେ ରାତି ପାହିଲେ ସାମାନ୍ୟ ରାସନ୍ କିଣିବାକୁ ବି ଲଞ୍ଚରେ ୬୦ କିଲୋମିଟର ଜଳଯାତ୍ରା କରନ୍ତି । ଏଇ ତଥାକଥିତ ସ୍ୱାଭିମାନ ଅଞ୍ଚଳର ଅସହାୟ ମାନଙ୍କୁ ଖାଲି ଏମାନେ କାହିଁକି, ଚିତ୍ରକୋଣ୍ଡା ସଦର ମହକୁମାର ର ଲୋକଙ୍କ ଅବସ୍ଥା ମଧ୍ୟ ସମାନ । ଜଳଭଣ୍ଡାର ସେପଟ ୧୫୧ ଖଣ୍ଡ ଗାଁରୁ ପ୍ରାୟ ୫୦ଟି ଗାଁ ପାଇଁ ଗୁରୁପ୍ରିୟା ସେତୁ ଥିବା ଯାହା, ନଥିବା ସେୟା ।

ମାଲକାନଗିରି ଜିଲ୍ଲାର ବାକି ଅଞ୍ଚଳର ଲୋକଙ୍କ ପାଇଁ ବି ରାସ୍ତାଘାଟ, ପାନୀୟ ଜଳ ଆଦି ସହ ବନ୍ୟା ଏକ ବଡ଼ ସମସ୍ୟା । ବର୍ଷା ଦିନେ ଜିଲ୍ଲାର ମୁଖ୍ୟ ଜାତୀୟ ରାଜପଥ ଉପରେ ପ୍ରଖର ସୁଅ ଚାଲୁଥିବା ବେଳେ, ସହର ଓ ଗାଁ ଗୁଡ଼ିକ ଦିନ ଦିନ ଧରି ବିଚ୍ଛିନ୍ନ ହୋଇ ରହେ ।

ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ମୌଳିକ ସୁବିଧାସୁଯୋଗର ଅଭାବଠୁ ବଳି ଆଉ ଏକ ବଡ଼ ସମସ୍ୟା ବି ଘେରି ରହିଛି । ଦୀର୍ଘ ବର୍ଷ ଧରି ଲାଲବାହିନୀର ଡର । ଜିଲ୍ଲାରେ ମୋଟ ୧୫ଟି ଜିଲ୍ଲା ପରିଷଦ ଜୋନ୍ ଥିବା ବେଳେ ୨୦୧୭ରେ ୧୩ଟିରେ ଭୋଟ୍ ହୋଇଥିଲା । ଚିତ୍ରକୋଣ୍ଡାର ୨ଟି ଜୋନରେ ଭୋଟରଙ୍କୁ ସେମାନଙ୍କ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ରଖିଥିଲା ଲାଲ୍ ବାହିନୀର ନାଲି ଆଖି । ହେଲେ ଏବେ ଚିତ୍ର ବଦଳିଛି, ଆଉ ଲୋକଙ୍କ ସ୍ୱର ବି । ଏଥର ସବୁ ପଞ୍ଚାୟତରେ ପ୍ରାର୍ଥି ଆଉ ଭୋଟର୍ ସାହସ ଜୁଟାଇଛନ୍ତି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ।

ଜିଲ୍ଲା ପରିଷଦ ଲଢ଼େଇକୁ ଦେଖିଲେ ମାଲକାନଗିରିରେ ପ୍ରତି ଥର ବଦିଳିଛି ଭୋଟରଙ୍କ ମୁଡ୍ । ୨୦୦୭ରେ କଂଗ୍ରେସ, ୨୦୧୨ରେ ବିଜେଡି ଓ ୨୦୧୭ରେ ବିଜେପି ହାତକୁ ଅଧ୍ୟକ୍ଷ ପଦ ଯାଇଥିବା ବେଳେ, ଏଥର କିଏ ବାଜି ମାରିବ । ସେଥିପାଇଁ ଜୋରସୋରରେ ଚାଲିଛି ପ୍ରଚାର । ୨୦୧୭ରେ ୧୩ରୁ ୧୦ଟି ଜୋନ୍ ହାତେଇ ବାଜିମାତ୍ କରିଥିବା ବିଜେପିକୁ ୨୦୧୯ ବିଧାନସଭା ନିର୍ବାଚନରେ ବି ସମର୍ଥନ କରିଥିଲେ ମାଲକାନଗିରିବାସୀ ।

ତେଣୁ ଏଥର ବି ଦଳ ପୂର୍ଣ୍ଣ ଆଶାବାଦୀ । ଅନ୍ୟପକ୍ଷରେ ପ୍ରଦୀପ ମାଝୀ କଂଗ୍ରେସରୁ ବିଜେଡିକୁ ଡେଇଁବା ପରେ ଶାସକ ଦଳର ବି ପଲ୍ଲା ଭାରି ତେବେ କଂଗ୍ରେସ କହିଛି ଲୋକେ ଉଚିତ୍ ସମୟରେ ଠିକ୍ ନେତା ବାଛିବେ ।

ମାଲକାନଗିରିରୁ କ୍ୟାମେରାପର୍ସନ ବିକ୍ରମ ପାଢ଼ୀଙ୍କ ସହ ଜିତେନ୍ଦ୍ର ବେଉରାଙ୍କ ରିପୋର୍ଟ