/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670163251.jpg)
padmapur bypoll
ଏଥର କାହାର ହେବ ପଦ୍ମପୁର? ଉପନିର୍ବାଚନରେ କିଏ ଜିତିବ ବାଜି, କାହାର ହେବ ହାର? ରାତି ପାହିଲେ ପଦ୍ମପୁରର ନୂଆ ବିଧାୟକ ବାଛିବାକୁ ଭୋଟ୍ ଦେବେ ଜନତା। ତେଣୁ ତୟାର ପ୍ରଶାସନ, ପ୍ରସ୍ତୁତ ବୁଥ୍, ଉତ୍ସାହିତ ଭୋଟର ମାଓ ପ୍ରଭାବିତ ଅଞ୍ଚଳରେ ଥିବା କିଛି ବୁଥ୍କୁ ଛାଡ଼ି ବାକି ପ୍ରାୟ ସବୁ ଭୋଟଗ୍ରହଣ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି। ପୋଲିଂ ପାର୍ଟି ଇଭିଏମ୍ ଓ ଭିଭିପ୍ୟାଟ୍ର ଚେକିଂ ସାଙ୍ଗକୁ ଆନୁସାଙ୍ଗିକ କାଗଜପତ୍ରର ଯାଞ୍ଚ କରାଯାଉଛି। ଶୀତ ଦିନ ପାଇଁ କାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଯାଏଁ ଚାଲିବ। ତେବେ ସବୁ କିଛି ଠିକ୍ ଅଛି ନା ନାହିିଁ ପରଖିବାକୁ ସକାଳ ସାଢ଼େ ୫ଟାରୁ ହେବ ମକ୍ ପୋଲିଂ।
ପଦ୍ମପୁର ନିର୍ବାଚନ ମଣ୍ଡଳୀର ମୋଟ୍ ୩୧୯ ବୁଥ୍ରେ ୨ ଲକ୍ଷ ୬୯ହଜାର ୩୨୬ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେଭିତରୁ ୧ ଲକ୍ଷ ୩୦ ହଜାର ୩୩୧ ପୁରୁଷ ଓ ୧ ଲକ୍ଷ ୨୮ ହଜାର ୯୮୧ ମହିଳା ଭୋଟର ଅଛନ୍ତି। ଭୋଟ୍ ଗ୍ରହଣ ପାଇଁ ମୋଟ୍ ୧୨୭୬ ଜଣ ପୋଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସମ୍ବେଦନଶୀଳ ଚିହ୍ନଟ ୭୯ଟି ବୁଥ୍ ଏବଂ ମାଓ ଅଧ୍ୟୁଷିତ ୭୪ଟି ବୁଥ୍ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା। ମୋଟ୍ ୧୨୦ ବୁଥ୍ରେ ୱେବ୍ କାଷ୍ଟିଂ ବ୍ୟବସ୍ଥା ସାଙ୍ଗକୁ ୬୬ଟି ବୁଥ୍ ସିସିଟିଭି ସର୍ଭେଲାନ୍ସ ଭିତରେ ରହିଛିି।
ସୁରକ୍ଷା ବ୍ୟବସ୍ଥାରେ ୨୦୬ ପୋଲିସ୍ ଅଫିସର, ୨୧ ପ୍ଲାଟୁନ୍ ଆର୍ମଡ ପୋଲିସ୍କୁ ମିଶାଇ ମୋଟ୍ ୧୪୧୩ ପୋଲିସ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ୯ କଂପାନି କେନ୍ଦ୍ରୀୟ ଫୋର୍ସକୁ ମଧ୍ୟ ନିୟୋଜିତ ଅଛନ୍ତିି। ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ୪୪ ଜଣ ସେକ୍ଟର ଅଧିକାରୀଙ୍କୁ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ ଦିଆଯାଇଛି। କୌଣସି ବୁଥ୍ରେ ଇଭିଏମ୍ ଜନିତ ତ୍ରୁଟି ପରିଲକ୍ଷିତ ହେଲେ ଅଧଘଣ୍ଟା ଭିତରେ କିଭଳି ତାହା ପରିବର୍ତ୍ତନ ହୋଇପାରିବ। ସେ ବ୍ୟବସ୍ଥା ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଆସନ୍ତାକାଲିର ଭୋଟ୍ ପରେ ୮ ତାରିଖରେ ଗଣତି ଆଉ ଏହିଦିନ ଜଣା ପଡ଼ିବ ଏଥର କାହା ସପକ୍ଷରେ ରହିଛି ଜନତାଙ୍କ ରାୟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)