• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରାସ୍ତା, ସ୍ୱାସ୍ଥ୍ୟସେବା ଓ ପିଇବା ପାଣି ପ୍ରମୁଖ ପ୍ରସଙ୍ଗ

  • ବିକାଶ ରାସ୍ତାରେ କେତେ ଆଗକୁ ବଢିଛି ମୟୂରଭଞ୍ଜ?

ଭୌଗଳିକ ଦୃଷ୍ଟିକୋଣରୁ ରାଜ୍ୟର ବୃହତ୍ତମ ଜିଲ୍ଲା ମୟୂରଭଞ୍ଜ । ଏଠାକାର ପ୍ରାୟ ୬୫ ପ୍ରତିଶତ ଲୋକ ଆଦିବାସୀ ସଂପ୍ରଦାୟର । ୨୦୧୭ ପଞ୍ଚାୟତ ନିର୍ବାଚନରେ ଏଠି ବିଜେପି ଗଢ଼ିଥିଲା ପରିଷଦ । ଅଧ୍ୟକ୍ଷା ପଦରେ ବସିଥିଲେ ସୁଜାତା ମୁର୍ମୁ । ଉପାଧ୍ୟକ୍ଷ ହୋଇଥିଲେ ନରେନ୍ଦ୍ର ସାହୁ । ୫୬ଜୋନ୍ ବିଶିଷ୍ଟ ଏଇ ପରିଷଦରେ ବିଜେପି ହାତରେ ଅଛି ୪୯ଟି ଜୋନ୍ ଏବଂ ବିଜେଡି ପାଖରେ ୫ଟି ସିଟ୍ । ଜେଏମଏମ୍ ଓ ସ୍ୱାଧୀନ ଗୋଟିଏ ଲେଖାଏଁ ଆସନ ପାଇଥିବା ବେଳେ କଂଗ୍ରେସ ହାତ ପୂରା ଫାଙ୍କା । ତେବେ ୨୬ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୨୬ ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୪୦୪ ଜଣ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ, ଆଉ ଓ୍ୱାର୍ଡ ସଂଖ୍ୟା ହେଲା-୫୩୮୩ ।

ରାଜ୍ୟର ସବୁଠୁ ବଡ ଜିଲ୍ଲା, ଆଉ ସମସ୍ୟା ବି ଅଧିକ । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ରାସ୍ତାଘାଟ, ପିଇବା ପାଣି ଓ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସେବା ଆଜିବି ଲୋକଙ୍କ ପାଖରେ ଅପହଂଚ । ଏବେ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ଏଠି ଜାତୀୟ ଓ ରାଜ୍ୟସ୍ତରୀୟ ପ୍ରସଙ୍ଗ ବିଶେଷ ଗୁରୁତ୍ୱ ରଖୁନି ବରଂ ଯିଏ ଆଦିବାସୀଙ୍କ ସମସ୍ୟା ଓ ଆଂଚଳିକ ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେବ, ଭୋଟ୍ ବ୍ୟାଙ୍କ ସେ ଆଡକୁ ଢଳିବ ଏବଂ ଜିଲ୍ଲା ପରିଷଦ ଆସନ ମଧ୍ୟ ସେହି ଦଳକୁ ଯିବ ବୋଲି ମତ ରଖିଛନ୍ତି ରାଜନୈତିକ ସମୀକ୍ଷକ ।

ଅପଞ୍ଚାୟତ ମହାଲଢ଼େଇ ପାଇଁ ସରଗରମ ରାଜ୍ୟର ସବୁଠୁ ବଡ଼ ଜିଲ୍ଲା ମୟୂରଭଞ୍ଜର ରାଜନୀତି ଜୋର ଧରିଲାଣି । ଭୋଟ୍ ହାତେଇବାକୁ କଳ ବଳ ଲଗେଇ ଦେଲେଣି ନେତା । ହେଲେ ଏଥର କିଏ ଜିତିବ ବାଜି? ଜିଲ୍ଲା ପରିଷଦ ନିର୍ବାଚନରେ ପୁଣି ବିଜେପି ନା କମ ବ୍ୟାକ୍ କରିବ ବିଜେଡି? କାରଣ ବିଗତ ଦୁଇଟି ନିର୍ବାଚନରେ ଏଠି ସଂପୂର୍ଣ୍ଣ ଓଲଟ ରାୟ ଦେଇଛନ୍ତି ଜନତା । ୨୦୧୨ରେ ୫୬ ଜୋନରୁ ୪୧ଟିରେ ଜିତି ଅଧ୍ୟକ୍ଷ ପଦ ଅକ୍ତିଆର କରିଥିଲା ବିଜେଡି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ୧୦ଟି ଆସନ ଜିତିଥିଲା ବେଳେ ବିଜେପି ଓ କଂଗ୍ରେସ ପାଇଥିଲେ ମାତ୍ର ଗୋଟିଏ ଲେଖାଏଁ ଆସନ । ହେଲେ ୧୭ ନିର୍ବାଚନ ବେଳକୁ କିନ୍ତୁ ଓଲଟିଗଲା ବାଜି । ମୋଟ୍ ୫୬ରୁ ୪୯ ଆସନ ହାତେଇ ସବୁ ଆକଳନକୁ ଭୁଲ୍ ପ୍ରମାଣିତ କରି ପ୍ରଥମ ଥର ପାଇଁ ଜିଲ୍ଲାରେ ପଦ୍ମ ଫୁଟାଇଲା ବିଜେପି । ଏଥର ବିଜେଡି ମାତ୍ର ୫ଟି ଆସନ ସହ ବ୍ୟାକ ଫୁଟକୁ ଚାଲିଯାଇଥିଲା ବେଳେ ଖାତା ଖୋଲି ପାରି ନଥିଲା କଂଗ୍ରେସ । ଏମିତି ଏକଦା ମୟୂରଭଞ୍ଜକୁ ନିଜର ଗଡ଼ କରିଥିବା ଜେଏମ୍ଏମ୍ ମଧ୍ୟ ଗୋଟିଏ ଆସନରେ ସନ୍ତୁଷ୍ଟ ରହିଥିଲା ।

ତେଣୁ ସେ ଦୃଷ୍ଟିରୁ ଏଥର ନିର୍ବାଚନ ଉଭୟ ବିଜେପି ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ । ବିଶେଷ କରି ଲଢ଼େଇ ସିଧା ବବି ଓ ବିଶେଶ୍ୱରଙ୍କ ମଧ୍ୟରେ କାରଣ ବିଜେପି ପାଇଁ ଜିଲ୍ଲାରେ ଦଳର ମଙ୍ଗ । ଏବେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ହାତରେ ଆଉ ବିଜେଡିକୁ ପୁଣି କ୍ଷମତାକୁ ଫେରାଇ ଆଣିବାକୁ ରାଜନୀତିର ଗୋଟି ଚାଳନାରେ ବ୍ୟସ୍ତ । ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ । ସେପଟେ କିନ୍ତୁ ସାଂଗଠନିକ ଦୃଷ୍ଟିରୁ ୨୨ ରେସରେ ବହୁ ପଛରେ ଉଭୟ କଂଗ୍ରେସ ଓ ଜେଏମ୍ଏମ୍ ।

ସେପଟେ କ୍ଷମତା ରଜ୍ଜୁ ଯେତେବେଳେ ଯାହା ହାତକୁ ଯାଉ ନା କାହିଁକି, ଆଦିବାସୀ ବହୁଳ ଏ ଜିଲ୍ଲାର ଜିଲ୍ଲାବାସୀଙ୍କ ସମସ୍ୟା କିନ୍ତୁ ଯେମିତିକୁ ସେମିତି । ରାସ୍ତାଘାଟ, ସ୍ୱାସ୍ଥ୍ୟସେବା କଥା ଛାଡ଼ନ୍ତୁ ସରକାରଙ୍କ ତମାମ ଢୋଲପିଟା ଯୋଜନା ସତ୍ତ୍ୱେ ପିଇବା ପାଣି ସବୁଠୁ ଅଧିକ ଦହଗଞ୍ଜ ହୁଅନ୍ତି । ଗାଁ ମହିଳା କେଉଁଠି ଗରା ମାଠିଆ ଧରି କୋଷ କୋଷ ବାଟ ଚାଲନ୍ତି, ତ କେଉଁଠି ବର୍ଷକ ବାରମାସୀ ଚୂଆ ପାଣି ଉପରେ ଭରସା କରନ୍ତି ।

ବଣ ଜଙ୍ଗଲ ଘେରା ଅଧିକାଂଶ ଗାଁରେ ହାତୀ ଉପଦ୍ରବରେ କେତେବେଳେ ଫସଲ ଉଜୁଡ଼େ, କେତେବେଳେ ଘର ଭାଙ୍ଗେ, ଜୀବନ ବି ଯାଏ । କିନ୍ତୁ ଫି ଥର ନିର୍ବାଚନ ବେଳର ପ୍ରତିଶ୍ରୁତି ସତ୍ତ୍ୱେ ନା ବିପନ୍ନଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳୁଛି ନା ହାତୀ ଉପଦ୍ରବର ସ୍ଥାୟୀ ପ୍ରତିକାର । ତେଣୁ ଏଥର ବି ଏସବୁ ସମସ୍ୟାକୁ ପ୍ରସଙ୍ଗ କରିଛନ୍ତି ଭୋଟର ।

ମୟୂରଭଞ୍ଜ ଜିଲ୍ଲା ପରିଷଦର ୫୬ ଟି ଜୋନ୍ ପାଇଁ ଏଥର ମୈଦାନରେ ଅଛନ୍ତି ୨୫୩ ପ୍ରାର୍ଥୀ । ବିଜେଡି ଓ ବିଜେପି ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୫୫ ଓ ଜେଏମ୍ଏମ୍ ୪୩ଟି ଆସନରେ ପ୍ରାର୍ଥୀ ଦେଇଛି । ହେଲେ ଏଥର ମୁଦ୍ଦା, ପ୍ରାର୍ଥୀ ନା ଦଳ, କାହାକୁ ଦେଖି ଭୋଟ୍ ପଡୁଛି ତା ଉପରେ ନଜର ।