• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଗାଁ ଗାଁରେ ଜୋର ଧରିଲାଣି ପ୍ରଚାର

  • ଘରକୁ ଘର ବୁଲିଲେଣି ଅଶାୟୀ ପ୍ରାର୍ଥୀ

ପଶ୍ଚିମ ଓଡିଶାର ନୂଆପଡ଼ା ଜିଲ୍ଲା ପରିଷଦ ଗଲା ୩ ପାଳି ଧରି ବିଜେଡିର କବଜାରେ । ୨୦୧୭ ପଞ୍ଚାୟତ ନିର୍ବାଚନରେ ବି ଏଠି ବିଜେଡି ଗଢ଼ିଥିଲା ପରିଷଦ । ଅଧ୍ୟକ୍ଷ ପଦରେ ବସିଥିଲେ ନମିତା ପ୍ରଧାନ । ଉପାଧ୍ୟକ୍ଷ ହୋଇଥିଲେ ଭାନୁ ପ୍ରତାପ ସିଂ ମାଝୀ । ତେବେ ଯଦି ମୋଟ୍ କାହା ପାଖରେ କେତେ ଜୋନ୍ ଅଛି ଦେଖିବା, ତାହେଲେ ୧୪ଜୋନ୍ ବିଶିଷ୍ଟ ଏଇ ପରିଷଦରେ ବିଜେଡି ହାତରେ ଅଛି ୯ଟି ଜୋନ୍ ଓ କଂଗ୍ରେସ ପାଖରେ ଅଛି ୫ଟି ସିଟ୍ ହେଲେ ବିଜେପି ହାତ ପୂରା ଫାଙ୍କା । ତେବେ ୫ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୫ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୧୩୧ଜଣ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ , ଆଉ ଓ୍ୱାର୍ଡ ସଂଖ୍ୟା ହେଲା-୧୫୮୯ ।

ସମସ୍ୟା ପିଛା ଛାଡୁ ନଥିବା ଜିଲ୍ଲାଟିଏ ନୂଆପଡ଼ା ପଞ୍ଚାୟତ ଭୋଟକୁ ପ୍ରଭାବିତ କଲାଭଳି ଏଠି ଅନେକ ପ୍ରସଙ୍ଗ । ରାସ୍ତାଘାଟଠୁ ସ୍ୱାସ୍ଥ୍ୟ, ପିଇବା ପାଣି, ଦାଦନ ଏମିତି କେତେ କଣ ? ଏଥର ପଞ୍ଚାୟତ ନିର୍ବାଚନରେ ସେଇ ସବୁ ସମସ୍ୟାକୁ ମାଳ କରି ପିନ୍ଧିଛନ୍ତି ନୂଆପଡ଼ା ବାସିନ୍ଦା, ପୁଣି ପ୍ରତିଶ୍ରୁତିର ପଶରା ଧରି ଭୋଟରଙ୍କୁ ଭଳେଇବା ଚେଷ୍ଟାରେ ନେତା ।

ତଥାକଥିତ ବିକାଶର ଢୋଲ ପିଟା ଚିତ୍କାର, ଆଉ ତା ଭିତରେ ନୂଆପଡ଼ା ବୋଡେନ୍ ବ୍ଲକର ନାଗପଡ଼ା ପଞ୍ଚାୟତ ଅନ୍ତର୍ଗତ ଖୋଲିଭିତରରୁ ଝରଣାମାଲ୍ ଯିବାକୁ ହେଲେ ବର୍ଷ ସାରା କେଉଁଠି ଏମିତି କାଠଭେଳାରେ ପାରି ହେବାକୁ ପଡ଼େ । ନହେଲେ ସାଇକେଲ୍ ଗଡ଼େଇ ଗଡ଼େଇ ଯିବାକୁ ପଡ଼େ । ଏମିତି ଅନେକ ଜନପଦକୁ ଗମନାଗମନ ଯୋଗ୍ୟ ରାସ୍ତାଟିଏ ହୋଇପାରିନି । ଆଜିକା ଦିନରେ ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ସେବା କଥା ତ ନ କହିବା ଭଲ । ଏସବୁ ମୌଳିକ ସମସ୍ୟା ସାଙ୍ଗକୁ କାମ ଧନ୍ଦାର ଅଭାବରୁ ଦାନା ପାଇଁ ଦାଦନ ବି ଜିଲ୍ଲାର ଆଉ ଏକ ଚିରାଚରିତ ଦୁଃଖ । ଏମିତି କି ପଞ୍ଚାୟତ ନିର୍ବାଚନର ୟେ ହୋହଲ୍ଲା ଭିତରେ ମାକର ବିର୍ଲି ଭଳି କିଛି ଦାଦନ ପ୍ରବଣ ଗାଁ ତ ଏକଦମ୍ ଖାଲି ଖାଲି, ଭଙ୍ଗା ଦଦରା ଘର ଅଛି, ହେଲେ ଲୋକ ନାହାନ୍ତି ।

ନୂଆପଡ଼ା ଜିଲ୍ଲାର ଗାଁ ଗାଁରେ ଏସବୁ ମାଳ ମାଳ ସମସ୍ୟା ଭିତରେ ବି ପୁଣି ଗଣତନ୍ତ୍ରର ମହା ମହୋତ୍ସବ ପାଇଁ ଉତ୍ସାହ ବଢ଼ିଲାଣି, ଭୋଟରଙ୍କୁ ଭଳେଇବାକୁ ପ୍ରତିଶ୍ରୁତିର ଜାଲ ବିଛା ହେଲାଣି । ଖଟିଖଟିରେ ଚାଲିଲାଣି , ହାରଜିତରେ ଅଙ୍କକଷା , ଆଉ ତିନି ଦଳର ଫୋକସ୍ ଜିଲ୍ଲା ପରିଷଦ ଏଥର କିଏ ଜିତିବ ବାଜି ? ଗଲା ତିନି ପାଳି ଧରି ପରିଷଦକୁ ନିଜ କବଜାରେ ରଖିଥିବା ବିଜେଡି ଏଥର ଲଗାତର ଚତୁର୍ଥ ଥର ପାଇଁ ପରିଷଦ ଗଢ଼ିବାକୁ କମର କଷି ଥିଲା ବେଳେ ବାଜି ପଲଟେଇବାକୁ ବିରୋଧୀ ବି ପ୍ରୟାସ ଚଳାଇଛନ୍ତି ।

କଂଗ୍ରେସ ବିଧାୟକ ଅଧିରାଜ ଚୌଧୁରୀ ଓ ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ଏଥର ନିର୍ବାଚନ ଅଧିରାଜଙ୍କ ପାଇଁ ସମ୍ମାନର ପ୍ରଶ୍ନ । ଏଇଥିପାଇଁ ଯେ ଜିଲ୍ଲାର ୧୪ଟି ମୋଟ୍ ୧୪ଟି ଜୋନ୍ ଭିତରୁ ତାଙ୍କ ବିଧାନସଭା କ୍ଷେତ୍ର ଖଡ଼ିଆଳରେ ଅଛି ୮ଟି ଜୋନ୍ । ତେଣୁ ଅନ୍ତତଃ ଏଇସବୁ ଜୋନରେ ଭଲ ପ୍ରଦର୍ଶନର ଭାର ତାଙ୍କ ଉପରେ । ସେପଟେ ଗଲା ପଞ୍ଚାୟତ ନିର୍ବାଚନରେ ନୂଆପଡ଼ାରୁ ବିଜେପି ମୂଳପୋଛ ହୋଇଯାଇଥିଲା । ତେଣୁ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ଆସୁଥିବା ନୂଆପଡ଼ାରେ ଏଥର ପଦ୍ମ ଫୁଟାଇବା ନେଇ ବେଶ୍ ଆଶାବାଦୀ ସାଂସଦ ବସନ୍ତ ପଣ୍ଡା ।

୧୭ ପଞ୍ଚାୟତ ନିର୍ବାଚନରେ ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଓବିସିଙ୍କ ପାଇଁ ସଂରକ୍ଷିତ ଥିଲା ବେଳେ ଚଳିତ ନିର୍ବାଚନରେ ଏହା ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଏଥର ଅନୁସୂଚିତ ଜନଜାତିଙ୍କ ପାଇଁ ୫ଟି ଓ ଅନୁସୂଚିତ ଜାତି ପାଇଁ ୨ଟି ଆସନ ସଂରକ୍ଷିତ ଥିଲା ବେଳେ ଅଣସଂରକ୍ଷିତ ରହିଛି ୭ଟି ଆସନ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ସମସ୍ତ ଆସନରେ ପ୍ରାର୍ଥି ଦେଇଥିଲା ବେଳେ ମୋଟ୍ ୧୪ ଆସନ ପାଇଁ ମୈଦାନରେ ୫୧ ଜଣ ପ୍ରାର୍ଥି ଅଛନ୍ତି ।

ନୂଆପଡ଼ାରୁ ମାୟାଧର ସରାଫଙ୍କ ରିପୋର୍ଟ