Advertisment

ବିଜେଡି ଗଡ଼ରେ ଧସେଇ ପଶିବ କି ବିଜେପି?

୨୫ ବର୍ଷ ଧରି ବିଜେଡି କବଜାରେ ରହିଛି ଭଦ୍ରକ ଜିଲ୍ଲା। ପ୍ରତି ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ସହ ହାତେଇ ଚାଲିଛି ଅଧ୍ୟକ୍ଷ ପଦ। ୨୦୨୨ରେ କଣ ହେବ ସମୀକରଣ? ପଲଟିବ କି ବାଜି ? ବିଜେଡି ଗଡ଼ରେ ଧସେଇ ପଶିବ କି ବିଜେପି? ନା ଏଥର ବି ଶଙ୍ଖନାଦ?

author-image
Sarbeswar
Bhadrak

Bhadrak

ପଂଚାୟତ ନିର୍ବାଚନ ପାଇଁ ଏବେ ଫୋକସ୍‌ରେ ଭଦ୍ରକ ଜିଲ୍ଲା। ଉତ୍ତର ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ପରିଷଦ ଶାସକ ବିଜେଡିର ଗଡ଼। ଯେବେଠାରୁ ଜିଲ୍ଲାପରିଷଦ ନିର୍ବାଚନ ହେଲାଣି ସେବେଠାରୁ ଏଠି ବିଜେଡି ଶାସନ ଚାଲିଛି। ଗତ ୨୦୧୭ ନିର୍ବାଚନରେ ମଧ୍ୟ ବିପୁଳ ବିଜୟ ସହ ଏଠି ପରିଷଦ ଗଢ଼ିଥିଲା ବିଜେଡି। ଅଧ୍ୟକ୍ଷ ପଦରେ ବସିଥିଲେ ଦ୍ୱିଜବର ରାଉତ,ଉପାଧ୍ୟକ୍ଷ ହୋଇଥିଲେ- ଜ୍ୟୋତ୍ସ୍ନାରାଣୀ ମହାନ୍ତି। ତେବେ ଯଦି ମୋଟ୍ କାହା ପାଖରେ କେତେ ଜୋନ୍ ଅଛି ଦେଖିବା, ତା’ହେଲେ ୨୮ଜୋନ୍ ବିଶିଷ୍ଟ ଏଇ ପରିଷଦରେ ଏବେ ବିଜେଡି ହାତରେ ୨୪ଟି ଜୋନ୍ ଥିଲା ବେଳେ ବିଜେପି ହାତରେ ଅଛି ମାତ୍ର ୪ଟି ସିଟ୍। ଆଉ ପୂରା ମୂଳ ପୋଛ ହୋଇଯାଇଥିଲା କଂଗ୍ରେସ। ଏ ତ ଗଲା ଜିଲ୍ଲା ପରିଷଦ କଥା, ତେବେ ୭ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୭ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୨୧୮ ଜଣ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ। ଆଉ ଓ୍ୱାର୍ଡ ସଂଖ୍ୟା ହେଲା-୩ ହଜାର ୫୬।

Advertisment

୨୫ ବର୍ଷ ଧରି ବିଜେଡି କବଜାରେ ରହିଛି ଭଦ୍ରକ ଜିଲ୍ଲା। ପ୍ରତି ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ସହ ହାତେଇ ଚାଲିଛି ଅଧ୍ୟକ୍ଷ ପଦ। ୨୦୨୨ରେ କଣ ହେବ ସମୀକରଣ? ପଲଟିବ କି ବାଜି ? ବିଜେଡି ଗଡ଼ରେ ଧସେଇ ପଶିବ କି ବିଜେପି? ନା ଏଥର ବି ଶଙ୍ଖନାଦ? ୨୦୧୭ ନିର୍ବାଚନରେ ବିଜେଡି ସାରା ଜିଲ୍ଲାରେ ପ୍ରଭାବ ବିସ୍ତାର କରିଥିଲା ସତ କିନ୍ତୁ ଧାମନଗରରେ ଅଟକି ଯାଇଥିଲା ଦଳର ବିଜୟ ରଥ। ଏହି ବ୍ଲକ୍ ଅଧିନରେ ଥିବା ୪ଟି ଯାକ ଜୋନକୁ ଅକ୍ତିଆର କରିନେଇଥିଲା ବିଜେପି। ତେଣୁ ଏଥର କେବଳ ଧାମନଗର ନୁହେଁ ବନ୍ତ ଓ ଭଣ୍ଡାରୀ ପୋଖରୀର ୨ଟି ଜୋନ୍ ଉପରେ ବି ରହିଛି ଦଳର ଆଖି। ଏଥିସହ ବିଜେଡିକୁ ଟକ୍କର ଦେବାକୁ ଗତଥର ତୁଳନାରେ ଏଥର ସଂଗଠନ ବିସ୍ତାର ଓ ମିଶ୍ରଣ ପର୍ବ ଉପରେ ଜୋର୍ ଦେଇଛି ଦଳ। ଏହି କ୍ରମରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିର ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ପାଢ଼ୀଙ୍କୁ ବି ନିଜ ଦଳରେ ମିଶାଇଛି। ତେଣୁ ଦଳୀୟ ନେତାଙ୍କ ଦାବି ଏଥର ବିଜେଡି ପାଇଁ ସହଜ ହେବନି ସ୍ଥିତି।

ସେପଟେ ବିଜେଡି କିନ୍ତୁ ଗଡ଼ ବଜାୟ ରଖିବା ସହ ଗତଥରଠୁ ଭଲ ପ୍ରଦର୍ଶନ ନେଇ ଢେର ଆଶାବାଦୀ। ଅନ୍ତଃକନ୍ଦଳ ଯୋଗୁଁ ଗତଥର ହାତରୁ ଯାଇଥିବା ଧାମନଗରର ୪ଟି ଜୋନକୁ ଏଥର ପୁଣି ହାତମୁଠାକୁ ଆଣିବାକୁ ଲାଗିପଡ଼ିଛି ଶାସକ ଦଳ। ତେବେ ୨୦୦୭ ନିର୍ବାଚନରେ ୧୦ଟି ଜୋନ୍ ଅକ୍ତିଆର କରିଥିବା କଂଗ୍ରେସ ଗତ ନିର୍ବାଚନରେ ଖାତା ଖୋଲିବାକୁ ବି ସକ୍ଷମ ହୋଇ ନଥିଲା। ଆଉ ଏବେକାର ସ୍ଥିତି ତ ଦଳ ପାଇଁ ଆହୁରି ଦୟନୀୟ। କାରଣ ୟା ଭିତରେ ଦଳର ବହୁ ବରିଷ୍ଠ ଓ ଟାଣୁଆ ନେତା ଏବେ ଉଭୟ ବିଜେଡି ଓ ବିଜେପି ଶିବିରରେ। ହେଲେ ଏହା ସତ୍ତ୍ୱେ ବି ଦଳ ଏଥର ବାସୁଦେବପୁରରୁ ଦୁଇଟି ଜୋନ୍ ଜିତିବା ନେଇ ଆଶାବାଦୀ ଅଛନ୍ତି। ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବା ସହ ଜିଲ୍ଲାରେ ସରଗରମ ହେବାରେ ଲାଗିଲାଣି ରାଜନୀତି ପାଣିପାଗ। ହେଲେ ଏଥର କେଉଁ ପ୍ରସଙ୍ଗ ଭୋଟରଙ୍କୁ ପ୍ରଭାବିତ କରୁଛି ଏବଂ ପ୍ରାର୍ଥୀ ନା ଦଳ କିଏ ଭୋଟରଙ୍କ ପାଇଁ ଗୁରୁତ୍ୱ ରଖୁଛି ତା ଉପରେ ହିଁ ନିର୍ଭର କରୁଛି ଫଳାଫଳ। ତେବେ ସଂରକ୍ଷଣକୁ ନେଇ ଗତ ୬ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯେପରି ତୁମୁଳ କାଣ୍ଡ ହେଲା ତାହା ପଂଚାୟତ ନିର୍ବାଚନକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି।

Advertisment

ଭଦ୍ରକରୁ ପାର୍ଥସାରଥୀ ନାୟକ

Odisha Panchayat Elections
Advertisment
Advertisment