• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପଞ୍ଚାୟତ ମହାଲଢ଼େଇ ପାଇଁ ସରଗରମ ଦେବଗଡ଼

  • କାହାର ହେବ ଦେବଗଡ଼ ଜିଲ୍ଲା ପରିଷଦ?

ଦେବଗଡ଼ ରାଜ୍ୟର ସବୁଠୁ ଛୋଟ ଜିଲ୍ଲା, କମ୍ ଜୋନ୍ ଥିବା ଜିଲ୍ଲା ପରିଷଦ । ହେଲେ ସଚେତନଧର୍ମୀ ଭୋଟରଙ୍କ ପାଇଁ ବେଶ୍ ଚର୍ଚ୍ଚିତ ଜିଲ୍ଲା । ଏ ଜିଲ୍ଲା ପରିଷଦରେ ଏବେ ବିଜେପି ଶାସନ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟ ସହ ଏଠି ବିଜେପି ଗଢ଼ିଥିଲା ପରିଷଦ । ଅଧ୍ୟକ୍ଷ ପଦରେ ବସିଥିଲେ ସୁଧାମୟୀ ପଟେଲ । ଉପାଧ୍ୟକ୍ଷ ହୋଇଥିଲେ ଜୟକୃଷ୍ଣ ପ୍ରଧାନ ।

୭ଟି ଜୋନ୍ ବିଶିଷ୍ଟ ଏଇ ପରିଷଦରେ ବିଜେପି ହାତରେ ୬ଟି ଜୋନ୍ ଓ ବିଜେଡି ପାଖରେ ଅଛି ଗୋଟିଏ । ଗଲା ଥର ଖାତା ଖୋଲି ପାରିନଥିଲା କଂଗ୍ରେସ । ଅନ୍ୟପଟେ ୩ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୩ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୭୦ଜଣ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ, ଆଉ ଓ୍ୱାର୍ଡ ସଂଖ୍ୟା ହେଲା-୮୩୬ ।

ହେଲେ ଏଥର ପଞ୍ଚାୟତ ନିର୍ବାଚନ ପାଇଁ ପାଣିପାଗ ବନିବା ବେଳଠୁ ଚର୍ଚ୍ଚାରେ ଦେବଗଡ଼ । କେତେବେଳେ ପୂର୍ବ ପ୍ରତିଶ୍ରୁତିକୁ ମନେ ପକାଇ ନେତାଙ୍କୁ ଜନତାଙ୍କ ଭୋଟ୍ ବର୍ଜନର ଧମକ ପାଇଁ, ତ ପୁଣି କେତେବେଳେ ମୌଳିକ ସମସ୍ୟା ସମାଧାନର ଦାବିରେ ନେତା ନାମାଙ୍କନ ପତ୍ର ଦାଖଲରୁ ବିରତ ରହିବାକୁ ଚର୍ଚ୍ଚା । ନିର୍ବାଚନ ପାଖେଇ ଆସୁଥିଲା ବେଳେ କିପରି ରହିଛି ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ରାଜନୈତିକ ଦଳଙ୍କ ସ୍ଥିତି, ଆଉ କିଭଳି ଅଛି ସମସ୍ୟା ।

ରାସ୍ତା ନାହିଁ, ପୋଲ ନାହିଁ, ନେଟ୍ଓ୍ୱର୍କ ନାହିଁ । ତେଣୁ ନାହିଁ ନାହିଁର ଏ ଚକ୍ରବ୍ୟୂହରୁ ମୁକୁଳିବାକୁ ଦେଗଗଡ଼ ଗ୍ରାମାଞ୍ଚଳରେ ଯାଗିଛନ୍ତି ଜନତା, ସଚେତନ ବି ହୋଇଛନ୍ତି ସ୍ଥାନୀୟ ନେତା । ସେଇଥିପାଇଁ ପଞ୍ଚାୟତ ନିର୍ବାଚନ ଆଗରୁ ଏଠି ପୋଲ ନାହିଁ ତ ଭୋଟ୍ ନାହିଁର ସ୍ୱର ତୀବ୍ର ହୋଇଛି । ନେଟ୍ଓ୍ୱର୍କ ନଥିବାରୁ ନେତାଏ ବି ନିର୍ଦ୍ଧାରିତ ସମୟରେ ନାମାଙ୍କନପତ୍ର ଦାଖଲ ନକରିବାରୁ ସାନି ତାରିଖ କରିବାକୁ ବାଧ୍ୟ ହୋଇଛି ପ୍ରଶାସନ ।

ବାରକୋଟ ବ୍ଲକ୍ ଗୁରୁସଙ୍ଗ ପଞ୍ଚାୟତର ରତବ ଗାଁ । ଏ ଗାଁରେ ସାଇକେଲ୍ ତ ଗଡ଼ିବା ଦୂରେ ଥାଉ ପଥୁରିଆ ଅରାସ୍ତାରେ ନାଳ ଉପରେ ଥିବା ବାଉଁଶ ପୋଲ ପାରି ହୋଇ ଗାଁକୁ ଯିବା ହୁଏ । ସେ ବାରକୋଟ ହେଉ କି ତିଲେଇବଣି ଅବା ରିଆମାଳ ବ୍ଲକ୍ ଦେବଗଡ଼ ଜିଲ୍ଲାର ଗାଁ ଗାଁରେ ଜଳ ଜଳ ଦିଶୁଥିବା ଏ ସମସ୍ୟା ଏଥର ଭୋଟରଙ୍କୁ ବହୁ ମାତ୍ରାରେ ଅସନ୍ତୁଷ୍ଟ କରିଛି । ଏଥିସହ ଦେବଗଡ଼କୁ ସଂଯୋଗ କରିବାକୁ ଥିବା ତାଳଚେର-ବିମଳାଗଡ଼ ପ୍ରସ୍ତାବିତ ରେଳପଥ ନିର୍ମାଣରେ ଅହେତୁକ ବିଳମ୍ବ ଓ ଫି ନିର୍ବାଚନରେ ପ୍ରତିଶ୍ରୁତି ସତ୍ତ୍ୱେ ଜମିକୁ ଜଳସେଚନ ବ୍ୟବସ୍ଥା ନହେବା ଆଦି ମଧ୍ୟ ପ୍ରମୁଖ ପ୍ରସଙ୍ଗ ପାଲଟିଛି ।

ଏପଟେ ପ୍ରତିଶ୍ରୁତି ଓ ପ୍ରସଙ୍ଗ ପିଠିରେ ବସି ପଞ୍ଚାୟତ ନିର୍ବାଚନ ବୈତରଣୀ ପାରି ହେବାକୁ ଜୋର୍ ଧରିଲାଣି । ରାଜନେତାଙ୍କ କସରତ୍ ଦଳୀୟ ଚିହ୍ନରେ ଲଢ଼ାଯାଉଥିବା ଜିଲ୍ଲା ପରିଷଦ ଉପରେ ପ୍ରମୁଖ ଦଳଙ୍କ ନଜର ୨୦୦୨ରୁ ବିଜେପିର ଗଡ଼ ଏଇ ଜିଲ୍ଲା ପରିଷଦରେ ପ୍ରଥମ ଥର ପାଇଁ ୨୦୧୨ରେ ଏଣ୍ଟ୍ରି ମାରିଥିଲା ବିଜେଡି । ବିଜେପିର ହାଟ୍ରିକ୍ ସ୍ୱପ୍ନକୁ ବିଫଳ କରି ସେଥର ବିଜେଡି ସାତ୍ କୁ ସାତ୍ ଆସନ ଅକ୍ତିଆର କରି ପରିଷଦ ଗଢ଼ିଥିଲା ।

ହେଲେ ଗଲା ନିର୍ବାଚନରେ କିନ୍ତୁ ପୁଣି ପଲଟିଗଲା ବାଜି ୭ରୁ ୬ଟି ଆସନ ଜିତି ବିଜେପି ପରିଷଦକୁ କବଜା କଲା । ବିଜେଡିକୁ ମିଳିଲା କେବଳ ଗୋଟିଏ ଆସନ । ତେଣୁ ଏଥର ଫଳାଫଳକୁ ନିଜ ସପକ୍ଷରେ ନେବାକୁ ଟକରା ଟକରି ସ୍ଥିତିରେ ଉଭୟ ବିଜେପି-ବିଜେଡି । ହେଲେ ବିଗତ ଦୁଇଟି ଯାକ ନିର୍ବାଚନରେ ଖାତା ଖୋଲି ପାରିନଥିବା କଂଗ୍ରେସ । ଏଥର ଭଲ ଫଳ ନେଇ ଆଶାବାଦୀ ।

ଜିଲ୍ଲାର ୭ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ଏଥର ମୋଟ୍ ୨୭ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ଜିଲ୍ଲାରେ ୩ଟି ପର୍ଯ୍ୟାୟରେ ଆସନ୍ତା ୧୬, ୧୮ ଓ ୨୦ ତାରିଖରେ ହେବ ଭୋଟଗ୍ରହଣ ।

ଦେବଗଡ଼ରୁ ସିଦ୍ଧାର୍ଥ ଗୁରୁଙ୍କ ରିପୋର୍ଟ