• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଣଗାନ୍ଧି ପରିବାରରୁ କେହି ଜଣେ କଂଗ୍ରେସର ମଙ୍ଗ ଧରିପାରନ୍ତି । ତେବେ କିଏ ହେବେ ଦଳର ସଭାପତି ? ସେନେଇ କୌଣସି ଅଙ୍କ ଛିଡ଼ିବାର ନାଁ ନେଉନାହିଁ । କଂଗ୍ରେସର ସଭାପତି ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବାକୁ ଥିଲା । ହେଲେ କୌଣସି ନିଷ୍ପତ୍ତି ନ ହେବାରୁ ଏହା ଶିଥିଳ ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଉଥରେ ଦଳର ସଭାପତି ହେବାକୁ ଦାବି ହେଉଥିଲେ ବି ସେ ରାଜି ହେଉନାହାନ୍ତି । ଶେଷ ମୁହୁର୍ତ୍ତରେ ପ୍ରସ୍ତାବକୁ ରୋକଠୋକ୍ ଅଗ୍ରାହ୍ୟ କରି ଦେଇଛନ୍ତି ରାହୁଲ ।

ସେପଟେ ସୋନିଆ ଗାନ୍ଧି ପୂର୍ଣ୍ଣକାଳୀନ ସଭାପତି ଭାବେ ଆଉ କିଛିଦିନ ଦାୟିତ୍ୱ ତୁଲାଇବାକୁ କିଛି ନେତା ଦାବି କରି ଆସୁଛନ୍ତି । ହେଲେ ସ୍ୱାସ୍ଥ୍ୟଗତ କାରଣରୁ ସୋନିଆ, ଏହାର ନେତୃତ୍ୱ ନେବାକୁ ଅମଙ୍ଗ ରହିଛନ୍ତି । ସେହିପରି କିଛି ନେତା ପ୍ରିୟଙ୍କା ନାଁ ନେଇ ଚର୍ଚ୍ଚା କରୁଥିଲେ ବି ତାଙ୍କ ନେତୃତ୍ୱରେ ଦଳ ଉତ୍ତରପ୍ରଦେଶ ନିର୍ବାଚନରେ ବିପର୍ଯ୍ୟୟ ଦେଖିଥିବାରୁ ଏଥିରେ ସହମତି ହୋଇପାରୁନାହାନ୍ତି । ଏଣୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ହେଉଛି । ଏହା ହେଲେ କଂଗ୍ରେସ ୧୯୯୮ ପରେ ପ୍ରଥମ ଥର ପାଇଁ ଅଣଗାନ୍ଧି ପରିବାରରୁ ସଭାପତି ଦେଖିବ ।

ଜାମ୍ମୁ ଓ କାଶ୍ମୀର କଂଗ୍ରେସରେ ଫାଟ ପରେ ହିମାଚଳ ପ୍ରଦେଶରେ ବିବାଦ ଦେଖାଦେଇଛି । ଦଳର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା । ଏନେଇ ସେ ସୂଚନା ଦେଇଛନ୍ତି ଯେ, ଦଳ ଭିତରେ ସେ ଅଣଦେଖା ଅନୁଭବ କରୁଥିଲେ । ଏଣୁ ହିମାଚଳ ପ୍ରଦେଶ ଷ୍ଟିଅରିଂ କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ଆନନ୍ଦ ଶର୍ମା । ଗତ ଏପ୍ରିଲରେ ଦଳ ତାଙ୍କୁ ଷ୍ଟିଅରିଂ କମିଟି ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲା । ଏହା ପୂର୍ବରୁ ଗତ ସପ୍ତାହରେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଜାମ୍ମୁ ଓ କାଶ୍ମୀର କଂଗ୍ରେସର ସମସ୍ତ ପଦବୀରୁ ଇସ୍ତଫା ଦେଇଥିଲେ ।