/odishatv-khabar/media/post_attachments/uploadimage/library/16_9/16_9_0/Congress__1719142823.jpg)
Congress
ବିଧାନସଭାରେ କିଏ ହେବେ କଂଗ୍ରେସ ବିଧାୟକ ଦଳ ନେତା ? ଏହାରି ଉପରେ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ । ଏହାରି ମଧ୍ୟରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନେତୃତ୍ୱରେ ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାଜୁର୍ଣ୍ଣ ଖଡ଼ଗେଙ୍କୁ ଭେଟିଛନ୍ତି ଦଳର ୬ ଜଣ ବିଧାୟକ । ଏହି ବିଧାୟକଙ୍କ ମଧ୍ୟରେ ଅଛନ୍ତି ରାମଚନ୍ଦ୍ର କାଡାମ ।
ରାମ କାଡାମଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସେ ଦିଲ୍ଲୀ ଯାଇ ପାର୍ଟି ହାଇକମାଣ୍ଡଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଖଡଗେଙ୍କ ସହ ସାକ୍ଷାତ ପରେ ରାମ କାଡାମ କହିଛନ୍ତି ଯେ, ରାଜ୍ୟ କଂଗ୍ରେସର ମୋଟ ୧୪ ବିଧାୟକ ମଧ୍ୟରୁ ଜନଜାତି ବର୍ଗର ୯ ଜଣ ବିଧାୟକ ଜିତିଛନ୍ତି । ଏଣୁ ଜଣେ ଜନଜାତି ବର୍ଗର ବିଧାୟକଙ୍କ ମଧ୍ୟରୁ କାହାକୁ CLP କରିବାକୁ ଚର୍ଚ୍ଚା ହେଉଛି।
ସେପଟେ ଗତ ୧୯ ଜୁନ୍ରେ ଭୁବନେଶ୍ୱରରେ ଦଳର ନବ ନିର୍ବାଚିତ ବିଧାୟକଙ୍କ ବୈଠକ ବସିଥିବା ବେଳେ ଦୁଇ ଜଣଙ୍କ ନାଁ ଏଆଇସିସି ନିକଟକୁ ପଠାଯାଇଥିଲା । ଏହି ଦୁଇ ଜଣ ହେଲେ ୫ ଥରର ବିଧାୟକ ତାରା ପ୍ରସାଦ ବାହୀନିପତି ଏବଂ ୩ ଥରର ବିଧାୟକ ରାମଚନ୍ଦ୍ର କାଡାମ୍ ।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଧାୟକମାନଙ୍କ ସହ ୱାନ ଟୁ ୱାନ୍ ଆଲୋଚନା କରି ଦିଲ୍ଲୀକୁ ରିପୋର୍ଟ ପଠାଇଛନ୍ତି । ଏଆଇସିସି ଏ ସମ୍ପର୍କରେ ନିଷ୍ପତ୍ତି ନେବେ । ସେପଟେ ଗତ ନିର୍ବାଚନରେ ବିଭିନ୍ନ ରାଜ୍ୟରେ ଦଳର ଖରାପ ପ୍ରଦର୍ଶନର କାରଣ ଖୋଜିବାକୁ ଗଠନ ହୋଇଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଓଡ଼ିଶା ପାଇଁ ଦଳର ବରିଷ୍ଠ ନେତା ଅଜୟ ମାକନ ଓ ତାରିକ୍ ଅନୱରଙ୍କୁ ନେଇ ଅନୁସନ୍ଧାନକାରୀ ଟିମ୍ ଗଠନ ହୋଇଛି।
ସେପଟେ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ବିଜେଡି ବିଧାୟକ ଦଳ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେତା ନିର୍ବାଚିତ କରାଯାଇଛି । ଏନେଇ ବିଜେଡି ବିଧାୟକ ଦଳ ବୈଠକ ପରେ ନିଜେ ଘୋଷଣା କରିଥିଲେ ନବୀନ ।
ସେହିପରି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ବିରୋଧୀ ଦଳର ଉପନେତା ଭାବେ ନିର୍ବାଚିତ ହୋଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ବିଜେଡି ବିଧାୟକ ଦଳ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ପ୍ରମିଳା ମଲ୍ଲିକ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ ଦେବ ବିରୋଧୀ ଦଳ ଉପମୁଖ୍ୟ ସଚେତକ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)