• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ଥିର କରିବାକୁ ଆଜି ଦିଲ୍ଲୀରେ ବସୁଛି ବିଜେପି ସଂସଦୀୟ ଦଳ ବୈଠକ । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚା ଅନୁସାରେ ଏହି ୩ ରାଜ୍ୟରେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବିଜେପି ।

ଏଭଳି ସ୍ଥିତିରେ ହାଇକମାଣ୍ଡଙ୍କୁ ଭେଟିବାକୁ ଗତକାଲି ଦିଲ୍ଲୀ ଗସ୍ତ କରିଛନ୍ତି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ । ଜାତୀୟ ଗଣମାଧ୍ୟମର ଆକଳନ ଅନୁସାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ରେସରେ ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କୈଳାସ ବିଜୟବର୍ଗୀୟ ଅଛନ୍ତି ।

ସେହିପରି ରାଜସ୍ଥାନରେ ଗଜେନ୍ଦ୍ର ସିଂ ଶେଖାୱତଙ୍କ ସହ ବାବା ବାଲକନାଥ ଏବଂ ଦିୟା କୁମାରୀଙ୍କ ନାଁ ଚର୍ଚ୍ଚାରେ ରହିଛି । ସେପଟେ ଛତିଶଗଡ଼ରେ ବିଷ୍ଣୁ ଦେଓ ସାଏ, ଓପି ଚୌଧୁରୀ, ରେଣୁକା ସିଂ, ରାମବିଚାର ନେତମ ଏବଂ ଅରୁଣ ସାଓ ରହିଛନ୍ତି ମୁଖ୍ୟମନ୍ତ୍ରୀ ଦୌଡରେ ।

କିଏ ହେବେ ମୁଖ୍ୟମନ୍ତ୍ରୀ- ତାକୁ ନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଚାଲିଥିଲା ବୈଠକ । ଦୀର୍ଘ ୪ ଘଣ୍ଟା ଧରି ଚାଲିଥିବା ଆଲୋଚନାରେ ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସମସ୍ତ ବିକଳ୍ପ ଉପରେ ଆଲୋଚନା କରା ଯାଇଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଜାତୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମିଲ ହୋଇଥିଲେ ।

ଅନ୍ୟପଟେ ଗତକାଲି ନିର୍ବାଚନ ଜିତିଥିବା ୧୦ ବିଜେପି ସାଂସଦ ଇସ୍ତଫା ଦେଇଛନ୍ତି । ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ନିଜ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ସମସ୍ତ ସାଂସଦମାନେ । ଇସ୍ତଫା ଦେଇଥିବା ସାଂସଦମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ନରେନ୍ଦ୍ର ସିଂହ ତୋମାର, ରାକେଶ ସିଂହ, ପ୍ରହ୍ଲାଦ ପଟେଲ, ରିତି ପାଠକ୍ ଏବଂ ଉଦୟ ପ୍ରତାପ ସିଂହ ଅଛନ୍ତି । ରାଜସ୍ଥାନ ସାଂସଦ ଦିୟା କୁମାରୀ, ରାଜ୍ୟବର୍ଦ୍ଧନ ରାଠୋର ଏବଂ କିରୋଡି ଲାଲ ମୀନା ମଧ୍ୟ ଇସ୍ତଫା ଦେଇଥିବା ସୂଚନା ମିଳିଛି ।

ବିଧାନସଭା ନିର୍ବାଚନରେ ​​ବିଜେପି ୨୧ଜଣ ସାଂସଦଙ୍କୁ ମୈଦାନକୁ ଓହ୍ଲାଇଥିଲା । ସେଥିମଧ୍ୟରୁ ୧୨ଜଣ ଜିତିଛନ୍ତି ଏବଂ ୯ ଜଣ ସାଂସଦ ହାରିଛନ୍ତି ।