• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । କେନ୍ଦ୍ରୀୟ ବିଜେପି ପକ୍ଷରୁ ଏଭଳି ଘୋଷଣା କରାଯିବା ପରେ ସାରା ଦେଶରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ହଠାତ୍‌ ମୋହନ ଯାଦବଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ ଘୋଷଣା କରାଗଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ । କାରଣ ଅନେକ ନେତାଙ୍କ ନାଁ ରହିଥିଲା ମୁଖ୍ୟମନ୍ତ୍ରୀ ରେସ୍‌ରେ । ହେଲେ ମୋହନ୍‌ ସେହି ରେସ୍‌ରେ ନଥିଲେ । ଶିବରାଜ ସିଂହ ପୁଣି ଥରେ ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିବେ ବୋଲି ଆପାତତଃ ସମସ୍ତେ ଜାଣିଥିଲେ । ହେଲେ ମୋହନ ଯାଦବଙ୍କ ନାଁ ସମସ୍ତଙ୍କୁ ଚକିତ କରିଛି ।

ତେବେ ଏହି ମୋହନ ଯାଦବ କିଏ ?

୨୦୧୩ ମସିହାରେ ମୋହନ ଯାଦବ ଉଜୈନ ଦକ୍ଷିଣ ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ପରେ ସେହି ଆସନରୁ ପୁଣି ୨୦୧୮ରେ ମଧ୍ୟ ବିଜୟୀ ହୋଇଥିଲେ । ଲଗାତର ଦୁଇ ଥର ଉଜୈନ ସିଟ୍‌ରୁ ବିଜୟୀ ହେବା ପରେ ୨୦୨୩ରେ ମଧ୍ୟ ଦଳ ତାଙ୍କ ପ୍ରତି ଆସ୍ଥା ରଥିଥିଲା । ଆଉ ସେହି ଆସ୍ଥାକୁ ନିରାଶା କରିନଥିଲେ ମୋହନ ।

ସେ ୨୦୨୩ରେ ପୁଣି ସେହି ଆସନରୁ ବିଜୟୀ ହୋଇଛନ୍ତି । ୨୦୧୮ରେ ବିଜୟୀ ହେବା ପରେ ୨୦୨୦ରେ ସେ ରାଜ୍ୟର ଶିକ୍ଷାମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହାସହ ଏହି ଦାୟିତ୍ୱକୁ ଖୁବ୍‌ ଦକ୍ଷତାର ସହ ତୁଲାଇଥିଲେ । ଏବେ ୨୦୨୩ ଡିସେମ୍ବର ୧୧ ତାରିଖରେ ତାଙ୍କୁ ମଧ୍ୟପ୍ରଦେଶର ୧୯ ତମ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଗଲା । 

ତେବେ ମୋହନ ଯାଦବଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଏବେ ଦେଶର ରାଜନୀତି ଖୁବ୍‌ ସରଗରମ ହୋଇଛି । କାରଣ ବିଜେପି ଲଗାତର ଭାବେ ଦୁଇଟି ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଚେହେରା ସାମ୍ନାକୁ ଆଣିଛି । ପ୍ରଥମେ ଛତିଶଗଡ଼ରେ ନୂଆ ମୁଖ୍ୟମନ୍ତ୍ରୀ ଚେହେରା ବିଷ୍ଣୁଦେଓଙ୍କୁ ସାମ୍ନାକୁ ଆଣିଥିଲା ବିଜେପି । ଆଉ ସେଠାରେ ବି ଦୁଇ ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଥିଲା ଦଳ । ଖାଲି ସେତିକି ନୁହେଁ ଛତିଶଗଡ଼ରେ ରମଣସିଂହଙ୍କ ଭଳି ଅଭିଜ୍ଞ ଓ ବିରିଷ୍ଠ ନେତାଙ୍କୁ ଦଳ ବାଚସ୍ପତି ଆସନରେ ବସାଇଛି । ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ।

ଏପଟେ ମଧ୍ୟପ୍ରଦେଶରେ ବି ସମାନ ଫର୍ମୁଲା ଆପଣାଇଛି ଦଳ । ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଦଳ ବାଚସ୍ପତି କରିଥିବା ବେଳେ ନୂଆ ଚେହେରା ଭାବେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି । ଏମିତି ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଦଳ ଦାୟିତ୍ୱ ଦେବ ବୋଲି ସ୍ଥିର କରିସାରିଛି । ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେଓଡ଼ା ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଦଳ ଆଜି ଘୋଷଣା କରି ସାରିଛି ।

ତେବେ ଏଭଳି ଏଭଳି ନୂଆ ଚେହେରା ଓ ନୂଆ ଶାସନ ଷ୍ଟ୍ରାଟେଜୀକୁ ବିରୋଧୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ବିରୋଧୀ କହିଛନ୍ତି, ବାଜପେୟୀଙ୍କ ସମୟର ସିନିୟର ବିଜେପି ନେତାଙ୍କୁ ଦଳ ସାଇଡ୍‌ କରି ଜୁନିଅର ନେତାଙ୍କୁ ଆଗକୁ ଆଣୁଛି । ଅନ୍ୟପଟେ ରାଜନୀତି ବିଶେଷଜ୍ଞ ବିଜେପିର ଏଭଳି ଷ୍ଟ୍ରାଟେଜୀକୁ ମାଷ୍ଟର ଷ୍ଟ୍ରୋକ କହିଛନ୍ତି । ଅନେକ ବୁଦ୍ଧିଜୀବୀ ଓ ବରିଷ୍ଠ ନେତା ବିଜେପିର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ସମସ୍ତେ ନୂଆ ଚେହେରା ତଥା ଯୁବ ପିଢ଼ିଙ୍କୁ ଦାୟିତ୍ୱ ଦିଆଯାଉଥିବାରୁ ପ୍ରଶଂସା କରିଛନ୍ତି ।