• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୋକର ଭୂଗୋଳରୁ ଶସ୍ୟ ଶ୍ୟାମଳା । ରାଜ୍ୟର ଦ୍ୱିତୀୟ ସର୍ବାଧିକ ଧାନ ଉତ୍ପାଦନକାରୀ ଜିଲ୍ଲାର ପରିଚୟ ପାଇଛି କଳାହାଣ୍ଡି । ୧ଲକ୍ଷ ୨୬ ହଜାର ହେକ୍ଚରରେ ଇନ୍ଦ୍ରାବତୀର ବାମ ଓ ଡାହାଣ କେନାଲ ସହ ଉଠାଜଳସେଚନ ପ୍ରକଳ୍ପରେ ଚାଷୀଙ୍କୁ ଜଳ ଯୋଗାଇ ଦିଆଯାଉଛି । ହେଲେ ଡାହାଣ କେନାଲ ମରାମତି ପାଇଁ ବର୍ଷେ ହେଲା ଜଳ ଯୋଗାଣ ବନ୍ଦ ରହିଛି । ବାମ କେନାଲରେ ବିଲକୁ ପର୍ଯ୍ୟାପ୍ତ ଜଳ ଯୋଗାଣ ହୋଇପାରୁନି । ଉଠା ଜଳସେଚନରେ ବି ଅବ୍ୟବସ୍ଥା । ଫଳରେ ପ୍ରଭାବିତ ହୋଇଛି ଫସଲ । ଏଭଳି ସ୍ଥିତିରେ ବେଡି ଉପରେ କରୋଡା ମାଡ ସାଜିଛି ମଣ୍ଡି ସମସ୍ୟା । ଜିଲ୍ଲାର ଶହ ଶହ ମଣ୍ଡିରେ ଖୋଲା ଆକାଶ ତଳେ ପଡି ରହିଛି ହଜାର ହଜାର କ୍ୱିଂଟାଲ ଅମଳ ଧାନ । ଦୁଇ ଦୁଇ ଥର ଅଦିନିଆ ବର୍ଷାରେ ଭିଜି ଗଜା ହେଲାଣି । ଆଗକୁ ନିର୍ବାଚନ ଆସୁଥିବା ବେଳେ ଚାଷୀଙ୍କ ମନ କିନ୍ତୁ ମରିଯାଇଛି ।

ନିକଟରେ ମମିତା ପ୍ରସଙ୍ଗକୁ ନେଇ ତାତିଥିବା ଏ ଜିଲ୍ଲାରେ ପଂଚାୟତ ଭୋଟ ର ଫଳାଫଳ କଣ ହେବ, ତା ଉପରେ ନେତାଠୁ ଜନତା, ସମସ୍ତଙ୍କ ନଜର । ୨୦୧୭ ପଞ୍ଚାୟତ ପୋଲରେ ୩୬ରୁ ୩୩ ଆସନ ଜିତି ବିଜେପି କଳାହାଣ୍ଡିରେ ଜିଲ୍ଲା ପରିଷଦ ଗଠନ କରିଥିଲା ।  ବିଜେଡି ମାତ୍ର ଗୋଟିଏ ଆସନ ପାଇ, ୨ଟି ଆସନ ଜିତିଥିବା କଂଗ୍ରେସ ଠାରୁ ବି ପଛରେ ରହିଥିଲା । ତେବେ ୨୦୧୯ ସାଧାରଣ ନିର୍ବାଚନରେ ସଂସଦୀୟ ଓ ଭବାନୀପାଟଣା ଆସନକୁ ଛାଡ଼ି ବାକି ସବୁ ଆସନରେ ବିଜେଡିକୁ ଜିତାଇଥିଲେ କଳାହାଣ୍ଡି ଜନତା । ଏଣୁ ୨୨ରେ ଫଳାଫଳ ରୋଚକ ହେବ ବୋଲି ଅନୁମାନ କରାଯାଉଛି ।

୨୦୦୭ରେ କଂଗ୍ରେସ,୨୦୧୨ରେ ବିଜେଡି,୨୦୧୭ରେ ବିଜେପି । ପ୍ରତି ପଞ୍ଚାୟତ ନିର୍ବାଚନରେ ବଦଳୁଛି କଳାହାଣ୍ଡି ଜିଲ୍ଲା ପରିଷଦ ଶାସନ ଗାଦି । ବିଗତ ୩ ଥରରେ ତିନିଟି ଭିନ୍ନ ଦଳକୁ ପରଖି ସାରିଲେଣି କଳାହାଣ୍ଡିର ସଚେତନ ଜନତା ହେଲେ ଏଥର କିଏ? ଗୋଟିଏ ପଟେ ଭୋଟରଙ୍କୁ ଭଳେଇ, ମନେଇ ନିଜ ଆଡକୁ ନେବାକୁ ଦମ୍ ଲଗେଇ ଦେଲେଣି ନେତା ।

ଅପରପକ୍ଷରେ ଦେଖି ପରଖି ମୋହର ମାରିବାକୁ ପ୍ରସ୍ତୁତ ହେଲେଣି ଜନତା । ହେଲେ ଏଥର ଭୋଟ୍ ଗଣିତ ଆହୁରି ରୋଚକ ହେବ । କାରଣ ମୋଟ୍ ୩୬ ଜୋନରୁ ୨୦୧୨ ପଞ୍ଚାୟତ ଭୋଟରେ ୨୮ ଆସନ ପାଇ ପରିଷଦ ଗଢ଼ିଥିବା ବିଜେଡି, ୧୭ ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ସହ ୧କୁ ଖସି ଆସିଥିଲା । ଆଉ ୫ରୁ ସିଧା ୩୩କୁ ହାଇ ଜମ୍ପ୍ ମାରି ୧୭ ନିର୍ବାଚନରେ ପରିଷଦ ଗଢ଼ିଥିଲା ବିଜେପି । ଗ୍ରାମାଞ୍ଚଳ ନିର୍ବାଚନରେ ବିଜେପି ଖାଲି ବିଜେଡି ଦୁର୍ଗରେ ଧସେଇ ପଶି ନଥିଲା କଂଗ୍ରେସକୁ ମଧ୍ୟ ମାତ୍ ଦେଇଥିଲା । ବିଜେଡିଠୁ ଅଧିକ ଗୋଟିଏ ଆସନ ଜିତି ୨ଟିରେ ସନ୍ତୁଷ୍ଟ ହୋଇଥିଲା କଂଗ୍ରେସ । ତେଣୁ ଏଥର ମଧ୍ୟ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ ଆଶାବାଦୀ ବିଜେପି।

୨୦୧୭ ପଞ୍ଚାୟତ ପୋଲରେ ବିଜେପି ବାଜିମାତ୍ କରିଥିଲା ସତ କିନ୍ତୁ ୨୦୧୯ ସାଧାରଣ ନିର୍ବାଚନ ଆସୁ ଆସୁ ଓଲଟି ଯାଇଥିଲା ବାଜି । ଜିଲ୍ଲାରେ ଥିବା ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ଟିରେ ଶଙ୍ଖଧ୍ୱନି ଶୁଣାଇଥିଲା ବିଜେଡି । କେବଳ ଭବାନୀପାଟଣା ଆସନରୁ ଜିତିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଏବେ ସେ ମଧ୍ୟ ଅସୁସ୍ଥ ତେଣୁ ୧୯ ପ୍ରଦର୍ଶନକୁ ଆଗକୁ ନେଇ ବିଜେପି ହାତରୁ କ୍ଷମତା ରଜ୍ଜୁ ଛଡ଼ାଇ ଆଣିବାକୁ ଜୋରଦାର ପ୍ରୟାସରେ ବିଜେଡି । ହେଲେ ଏପଟେ କିନ୍ତୁ କଂଗ୍ରେସ ସ୍ଥିତି ପୂର୍ବାପେକ୍ଷା ଆହୁରି ଦୁର୍ବଳ । ଏଠି ବରିଷ୍ଠ ନେତା ଭକ୍ତ ଦାସଙ୍କ ପ୍ରଭାବ ଉପରେ ଯାହାକିଛି ନିର୍ଭର କରୁଛି ଦଳ ।

ଗତ ପଞ୍ଚାୟତ ପୋଲରେ ୩୬ରୁ ୩୩ ଆଉ ଏଥର କେତେ ଅକ୍ତିଆର୍ କରିବ ବିଜେପି । ମମିତା ହତ୍ୟା ପ୍ରସଙ୍ଗ ଓ ଏହାକୁ ନେଇ ଚର୍ଚ୍ଚାରେ ଥିବା କ୍ୟାପଟେନ୍ ଦିବ୍ୟଶଙ୍କରଙ୍କ ଛବି ପଞ୍ଚାୟତ ପୋଲ୍ ଉପରେ କଣ କିଛି ପ୍ରଭାବ ପକାଇବ କି ? ନିର୍ବାଚନ ଫଳ ବାହାରିବା ଯାଏଁ ଏସବୁ ଉତ୍ତରକୁ ଜିଲ୍ଲାବାସୀଙ୍କ ଅପେକ୍ଷା ।

ଧର୍ମଗଡ଼ରୁ ଇଙ୍ଗିତ ପଣ୍ଡା, ଭବାନୀପାଟଣାରୁ ରାଜକୁମାର ସିଂହଦେଓଙ୍କ ରିପୋର୍ଟ