• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୀର୍ଘ ୮ ଘଣ୍ଟା ଧରି ପ୍ରଫୁଲ୍ଲ ସାମଲଙ୍କୁ ଘାଣ୍ଟିଲା ଇଡି । ଇଡି କାର୍ଯ୍ୟାଳୟରୁ ବାହାରିବା ପରେ, ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରୁଛି ବୋଲି କହିଲେ ବିଧାୟକ ପ୍ରଫୁଲ୍ଲ ସାମଲ । ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ଇଡିରେ ହାଜର ହୋଇଛନ୍ତି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ।

ପ୍ରଫୁଲ୍ଲ ଏବଂ ତାଙ୍କ ପୁଅଙ୍କୁ ହାଜର ହେବାକୁ ନୋଟିସ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କଲେଜ ନାଁରେ ଜମି ଓ ଗାଡ଼ି କିଣା ବାବଦରେ ୨୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ଅଭିଯୋଗ ରହିଛି । ଏହି ମାମଲାରେ ଇଡ଼ି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅଙ୍କ ଘର ସମେତ ରାଜ୍ୟର ୧୦ଟି ସ୍ଥାନରେ ଚଢ଼ାଉ କରିଥିଲା ।

ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ହେଉଛନ୍ତି ପ୍ରଫୁଲ୍ଲ ସାମଲ । ତାଙ୍କ ଘରେ ଫେବ୍ରୁଆରୀ ୧୫ ତାରିଖରେ ଇଡିର ଏଣ୍ଟ୍ରି ମାରିଥିଲା । ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖୋଳତାଡ଼ କରିଥିଲା । ୨୦ କୋଟିରୁ ଅଧିକ ଟଙ୍କାର ମହାଦୁର୍ନୀତି ମାମଲାରେ ରାଜ୍ୟର ୧୦ଟି ସ୍ଥାନରେ ରେଡ୍ କରିଥିଲା ଇଡି ।

ଭଦ୍ରକ ଜିଲ୍ଲାର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡ଼ି ଅଧିକାରୀ ଦଳବଳ ଧରି ଛାପା ମାରିଥିଲେ । ତା’ ମଧ୍ୟରେ ପ୍ରଫୁଲ୍ଲ ଓ ପୁଅ ପ୍ରୟାସକାନ୍ତିଙ୍କ ଭଦ୍ରକର ନୂଆବଜାର ଓ ସାବନାବଜାର ସ୍ଥିତ ଘର, ପୂର୍ବତନ ଅଧ୍ୟକ୍ଷ ମନୋଜ ଗୋସ୍ୱାମୀ, କ୍ୟାସିୟରଙ୍କ ହାସିନପୁର ସ୍ଥିତ ଘର, ଟ୍ୟାକ୍ସ ଆଡ଼ଭୋକେଟଙ୍କ ଅଫିସ ଏବଂ ଇଞ୍ଜିନିୟରିଂ କଲେଜ ମଧ୍ୟ ଥିଲା ।

ସେହିପରି ପ୍ରଫୁଲ୍ଲଙ୍କ ଭୁବନେଶ୍ୱର ପଳାସପଲ୍ଲୀ ଘରେ ଏବଂ ଦୁର୍ନୀତି ଲିଙ୍କରେ ଥିବା ତ୍ରିଷ୍ଣା ସ୍କାଏ ସ୍କ୍ରାପର୍ସ କମ୍ପାନୀର ନିର୍ଦ୍ଦେଶକଙ୍କ ଆଇଆରସି ଭିଲେଜ ଘରେ ରେଡ୍ ହୋଇଥିଲା । ଅପରପକ୍ଷେ ଦୀର୍ଘଦିନ ଧରି ଦରମା ଦାବିରେ ଆନ୍ଦୋଳନରେ ବସିଥିବା ସଂପୃକ୍ତ କଲେଜର କର୍ମଚାରୀ ଏହି ଦୁର୍ନୀତି ପଛରେ ପ୍ରଫୁଲ୍ଲ ଏବଂ ତାଙ୍କ ପୁଅଙ୍କୁ ଦାୟୀ ବୋଲି କହିଥିଲେ ।