Advertisment

ଫାଇଲ୍ ଭିତରେ ରହିଯିବ କି କୃଷି ସଂପର୍କିତ ଦୁଇ ବିଲ୍?

ବିବାଦୀୟ କୃଷି ଆଇନ୍ ପ୍ରତ୍ୟାହର ନେଇ କେନ୍ଦ୍ରର ଘୋଷଣା ପରେ ରାଜ୍ୟରେ ପ୍ରସ୍ତାବିତ କୃଷି ବିଲ୍‌ଗୁଡ଼ିକର ଚାପ୍ଟର କ୍ଳୋଜ୍। ବିଭିନ୍ନ ସମୟରେ ରାଜ୍ୟ ସରକାର ଆଣିଥିବା ଅଧ୍ୟାଦେଶ ଓ ବିଲ୍ ଆଉ କାର୍ଯ୍ୟକାରୀ ହେବନାହିଁ।

author-image
Chandan Shishu
Farm Bill

Farm Bill

ଭୁବନେଶ୍ୱର: ତିନି କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟରେ ପ୍ରସ୍ତାବିତ କଣ୍ଟ୍ରାକ୍ଟ ଫାର୍ମିଂ ଅଧ୍ୟାଦେଶ ଓ ଓଡ଼ିଶା ଏଗ୍ରିକଲ୍ଚର ମାର୍କେଟିଂ ବିଲ୍‌ର ଭାଗ୍ୟ ଏବେ ଅନ୍ଧାରରେ। ଫାଇଲ୍ ଭିତରେ ରହିଯିବ କି କୃଷି ସଂପର୍କିତ ଏହି ଦୁଇ ବିଲ୍? କେନ୍ଦ୍ର ସରକାରଙ୍କ ପରାମର୍ଶ ଅନୁସାରେ ରାଜ୍ୟ ସରକାର କୃଷି ସଂପର୍କିତ ଅଧ୍ୟାଦେଶ ଓ ବିଲ୍ ପ୍ରସ୍ତୁତ କରିଥିଲେ। ବାରମ୍ବାର ଅଧ୍ୟାଦେଶ ପରେ ବିଧାନସଭାରେ ବିଲ୍ ପାରିତ କରିବା ପାଇଁ ପ୍ରସ୍ତୁତି ବି ହୋଇଥିଲା।ଏମିତିକି କଣ୍ଟ୍ରାକ୍ଟ ଫାର୍ମିଂ ନେଇ ଆସିଥିବା ଅଧ୍ୟାଦେଶ ଅକାମୀ ହୋଇଥିବା ବେଳେ ଓଡ଼ିଶା ଏଗ୍ରିକଲଚର୍ ମାର୍କେଟିଂ ଅଧ୍ୟାଦେଶ ପ୍ରାୟ ୩ ଥର ଆଣିଥିଲେ। ବିଧାନସଭାରେ ଏ ସଂପର୍କିତ ବିଲ୍ ମଧ୍ୟ ଆଗତ ହୋଇଥିଲା କିନ୍ତୁ ତାହା ପାରିତ ହୋଇପାରିନଥିଲା।

Advertisment

ଗୋଟିଏ ପଟେ କୃଷି ଅଧ୍ୟାଦେଶ ଓ ବିଲ୍ ପାରିତ କରିବା ଲାଗି ରାଜ୍ୟ ସରକାର ଉଦ୍ୟମ କରୁଥିବା ବେଳେ ରାଜ୍ୟସଭାରେ କିନ୍ତୁ କେନ୍ଦ୍ରର କୃଷି ବିଲ୍‌କୁ ବିରୋଧ କରିଥିଲା ବିଜେଡି। ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲା ଦଳ। ଏବେ କୃଷି ଆଇନ ପ୍ରତ୍ୟାହାର ଲାଗି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ ମାଧ୍ୟମରେ ତାକୁ ସ୍ୱାଗତ କରିଛନ୍ତି। ସେପଟେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କିନ୍ତୁ କୃଷି ଆଇନ୍ ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଛନ୍ତି। ଲକ୍‌ଡାଉନ୍‌ର ସୁଯୋଗ ନେଇ କେନ୍ଦ୍ର ସରକାର ଜବରଦସ୍ତ ଭାବେ କୃଷି ବିଲ୍‌ଗୁଡିକୁ ସଂସଦରେ ପାରିତ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ରଣେନ୍ଦ୍ର।

ସେପଟେ ବିଧାନସଭାରେ ଯେଉଁ ବିଲ୍ ଉପସ୍ଥାପିତ ହୋଇଥିଲା ତାହା ଅକାମୀ ହୋଇସାରିଛି। କେନ୍ଦ୍ର ସରକାର ନୂଆ ପ୍ରସ୍ତାବ ଆଣିବାପରେ ରାଜ୍ୟ ସରକାର ତାର ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି। କଂଗ୍ରେସ ଉଭୟଙ୍କୁ ସମାଲୋଚନା କରିଥିବାବେଳେ ବିଜେପି କହିଛି- ବିଜେଡି ସବୁବେଳେ ଦୋମୁହାଁ ନୀତି ଗ୍ରହଣ କରୁଛି। ସେପଟେ କୃଷି ବିଲ୍ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଏ ହେଉଛି ଗାଜିପୁର ବର୍ଡର୍ର ଦୃଶ୍ୟ ଏବେ ବି ଧାରଣାରେ ବସିଛନ୍ତି ଚାଷୀ ସଂସଦରେ ବିଲ୍ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନରତ ଚାଷୀ।

Advertisment

ଏପଟେ ରାଜ୍ୟରେ ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ଆଜି ପାଳନ କରାଯାଇଛି କିଷାନ ବିଜୟ ଦିବସ। ଜଳେଶ୍ୱରରେ କଂଗ୍ରେସ ପକ୍ଷରୁ ଶତାଧିକ କର୍ମୀକୁ ନେଇ ଜନଜାଗରଣ ଅଭିଯାନ ଆରମ୍ଭ ହୋଇଛି। ବଲାଙ୍ଗିରରେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିଜୟ ଦିବସ ପାଳନ କରିଛି କଂଗ୍ରେସ୍। ଆଗକୁ କୃଷି ସଂପର୍କିତ ବିଭିନ୍ନ ପ୍ରସଙ୍ଗର ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରାଯିବ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିରେ କେନ୍ଦ୍ର ରାଜ୍ୟ ସରକାରମାନଙ୍କ ପ୍ରତିନିଧି ଓ ଅନ୍ୟ ଅଂଶୀଦାରମାନେ ରହିବେ। ସେତବେଳେ ରାଜ୍ୟର ଆଭିମୁଖ୍ୟ କଣ ହେଉଛି ଏବେ ତା ଉପରେ ନଜର।

ରିପୋର୍ଟ: ଶିବାନନ୍ଦ ରାଉତ, ଅଜିତ ଦାସ, ହରିହର ଚାନ୍ଦ

Odisha Government Odisha Politics Farm Laws
Advertisment
Advertisment