• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମନ୍ତ୍ରୀ-ସଚିବଙ୍କ ଫଟୋ ଦେଖାଇ, ବିଧାନସଭାରେ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ନିଶାନା । ଅଭିଯୋଗ, ଏଠି ମନ୍ତ୍ରୀ ନୁହେଁ ଚାଲିଛି ଅମଲା ଶାସନ । ମୁଖ୍ୟ ସଚିବଙ୍କୁ ମନ୍ତ୍ରୀ ରୀତା ସାହୁ ଚେକ୍ ଦେବା ଫଟୋକୁ ନେଇ. କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ।

ଜବାବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଂଜନ ପୂଜାରୀ, ମନ୍ତ୍ରୀମାନଙ୍କୁ ଅସମ୍ମାନ କରାଯାଉଥିବା କହିଥିଲେ । ପରେ ପରେ ନିରଂଜନ ନିଜେ ମୁଖ୍ୟମନ୍ତ୍ରୀଙ୍କ PSଙ୍କୁ ନମସ୍କାର ହେଉଥିବା ଏକ ଫଟୋ ଦେଖାଇ ଟାର୍ଗେଟ୍ କରିଥିଲେ ବିରୋଧୀ । ସେପଟେ 5T ସଚିବଙ୍କ ନବରଙ୍ଗପୁର ଗସ୍ତବେଳେ ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ନିଜେ ଫାଟକ ନିକଟରେ ଜଗି ରହି ଲୋକଙ୍କୁ ଭିତରକୁ ଛାଡ଼ିବା ପ୍ରସଙ୍ଗରେ ତେଜିଛି ରାଜନୀତି ।

ରାଜ୍ୟରେ ଚାଲିଛି ଅମଲା ଶାସନ ! ଅଫିସର୍ ରାଜରେ ପ୍ରଭାବିତ ମନ୍ତ୍ରୀ, ବିଧାୟକ । ଜନ ପ୍ରତିନିଧିଙ୍କୁ ମିଳୁନି ଉଚିତ୍ ସମ୍ମାନ ! ବିରୋଧୀଙ୍କ ଏଭଳି ଅଭିଯୋଗକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ମୁଖ୍ୟ ଶାସନ ସଚିବଙ୍କୁ ମନ୍ତ୍ରୀ ରୀତା ସାହୁ ଏକ ଚେକ୍ ଦେବା ସମୟର ଫଟୋକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ରାଜ୍ୟରେ ମନ୍ତ୍ରୀମାନଙ୍କର ସମ୍ମାନ କିଛି ନାହିଁ ବୋଲି କହି କଡ଼ା ସମାଲୋଚନା କରିଥିଲେ ।

ମନ୍ତ୍ରୀମାନେ ହେଲେ ସରକାର, ତେଣୁ ସରକାରଙ୍କ ପାଖକୁ କର୍ମଚାରୀ ଯିବେ ନା କର୍ମଚାରୀଙ୍କ ପାଖକୁ ସରକାର ଯିବେ ବୋଲି ପ୍ରଶ୍ନ କରିବା ସହିତ ରାଜ୍ୟରେ ଅମଲାତନ୍ତ୍ର ଚାଲିଥିବା ଅଭିଯୋଗ ଆଣିଥିଲେ । ଏଥିପାଇଁ ମନ୍ତ୍ରୀ ଗୃହରେ କ୍ଷମା ମାଗନ୍ତୁ ଓ ମୁଖ୍ୟ ଶାସନ ସଚିବ ଦୁଃଖ ପ୍ରକାଶ କରନ୍ତୁ ବୋଲି ଦାବି କରିଥିରେ ନରସିଂହ । ତେବେ ନରସିଂହ କହୁଥିବାବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଂଜନ ପୂଜାରୀ ହସ୍ତକ୍ଷେପ କରି କହିଥିଲେ ଯେ, ସେ ଜଣେ ମନ୍ତ୍ରୀଙ୍କ କଥା କୁହନ୍ତୁ ମନ୍ତ୍ରୀମାନଙ୍କୁ କୁହନ୍ତୁ ନାହିଁ । ଏଭଳି ମନ୍ତବ୍ୟ ମନ୍ତ୍ରୀମାନଙ୍କ ସମ୍ମାନ କ୍ଷୁଣ୍ଣ କରୁଛି ବୋଲି ସେ କହିଥିଲେ ।

ଏହାକୁ ନେଇ ଗୃହରେ ହୋହଲ୍ଲା ହୋଇଥିଲା । ତା ସହିତ ନିରଂଜନ ପୂଜାରୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନମସ୍କାର ହେବାର ଏକ ଫଟୋ ସମେତ ଆଉ କିଛି ଫଟୋ ଦେଖାଇ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟ ଭାଗରେ ହଙ୍ଗାମା କରିଥିଲେ । ଶାସକ ଦଳ ସଦସ୍ୟ ମଧ୍ୟ ନିଜ ନିଜ ସ୍ଥାନରେ ଛିଡା ହୋଇ ପ୍ରତିବାଦ କରିଥିଲେ । ଗୃହ ବାହାରେ ନିରଂଜନ କହିଥିଲେ, ସେ ଅନ୍ୟ କାହାକୁ ନୁହେଁ, ମୁଖ୍ୟମନ୍ତ୍ରୀଙ୍କୁ ନମସ୍କାର କରିଥିଲେ ।

ରାଜ୍ୟରେ ଅମଲା ଶାସନ ଚାଲିଥିବା ଅଭିଯୋଗ ଭିତରେ କିଛି ଏଭଳି ଚିତ୍ର ନବରଙ୍ଗପୁରରୁ ଆସିଥିଲା । ଗତକାଲି ସଂଧ୍ୟାରେ ନବରଙ୍ଗପୁର ସର୍କିଟ୍ ହାଉସରେ ଅଭିଯୋଗ ଶୁଣାଣି ପାଇଁ ପହଞ୍ଚିଥିଲେ 5G ସଚିବ ଭିକେ ପାଣ୍ଡିଆନ । ନିଜ ନିଜର ଅଭିଯୋଗ ଜଣାଇବାକୁ ଏଠାରେ କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ପ୍ରାୟ ଦୁଇ ହଜାର ଲୋକ ଭିଡ ଜମାଇଥିଲେ ।

ତେବେ ରୋଚକ କଥା ହେଉଛି ସର୍କିଟ୍ ହାଉସ୍ ଭିତରେ ଶୁଣାଣି ଚାଲିଥିବା ବେଳେ ଖୋଦ୍ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଫାଟକ ନିକଟରେ ଛିଡ଼ା ହୋଇ ଜଣକ ପରେ ଜଣକୁ ଭିତରକୁ ଛାଡିଥିଲେ । ଏପରିକି ସେ ନିଜେ ବଡ ପାଟି କରି ଜଣ ଜଣକର ନାଁ ଡାକୁଥିବା ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ, 5T ସଚିବ ପହଞ୍ଚିବା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ସାଂସଦ ଓ ବିଧାୟକମାନେ ରାସ୍ତା ଉପରେ ଜମି ଥିବା ଭିଡକୁ ହଟାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଟାର୍ଗେଟ୍ କରିଛନ୍ତି ବିରୋଧୀ ।

ନବରଙ୍ଗପୁରରୁ ନବଘନ ବିଶୋୟୀ ଏବଂ ଭୁବନେଶ୍ୱରରୁ ଜଗଦୀଶ ଦାସ ଓ ହରିହର ଚାନ୍ଦଙ୍କ
ରିପୋର୍ଟ, ଓଟିଭି