• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ରାଜ୍ୟରେ ଏବେ ନିର୍ବାଚନୀ ମାହୋଲ । ସବୁଠି ରାଜନୀତି ଚର୍ଚ୍ଚା । ଚା’ ଦୋକାନଠୁ ଆରମ୍ଭ କରି ବିଭିନ୍ନ ଛକ ବଜାରରେ କେବଳ ରାଜନୀତି ଚର୍ଚ୍ଚା । ଏମିତିକି ଗାଁ କୋଠ ଘରଠୁ ଆରମ୍ଭ କରି ନଦୀ କୂଳ ପୋଖରୀ କୂଳେ ବି ରାଜନୀତି ଚର୍ଚ୍ଚା । ଏଥର କିଏ ଜିତିବ ? ଭଲ ପ୍ରାର୍ଥୀକୁ ଭୋଟ ଦେବା ନା ଦଳ ଦେଖି ଭୋଟ୍ ଦେବା ? ସବୁଙ୍କ ମନରେ ଏମିତି ଅନେକ ପ୍ରଶ୍ନ । ତେବେ ଏହାରି ଭିତରେ ପ୍ରଥମ ପର୍ଯ୍ୟାୟ ଭୋଟ ଦାନ ସରିଯାଇଛି । ଆଉ ଏଥିରେ ଅନେକ ତ୍ରୁଟି ବିଚ୍ୟୁତି ସାମ୍ନାକୁ ଆସିଛି । ଗଣ୍ଡଗୋଳ ମାର୍‌ପିଟ୍‌ଠାରୁ ଆରମ୍ଭ କରି ବୁଥ୍‌ ରିଗିଂ ପର୍ଯ୍ୟନ୍ତ ଘଟଣା ସାମ୍ନାକୁ ଆସିଛି ।

ତେବେ ଏହାରି ଭିତରେ ଏବେ ଆଉ ଏକ ଚମକାଇ ଦେବା ଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି । କୁହାଯାଏ ଭୋଟର ଜଣକ କାହାକୁ ଭୋଟ ଦେଲା ତାହା ସେହି ଭୋଟର ବ୍ୟତୀତ ଅନ୍ୟ କେହି ଜାଣିପାରିବେ ନାହିଁ । ସେଥିପାଇଁ ଭୋଟ ଦେବା ସ୍ଥାନକୁ ଚାରିପଟୁ ଆବଦ୍ଧ କରାଯାଏ । ସବୁଠାରୁ ବଡ଼ କଥା ହେଲା ପ୍ରତ୍ୟେକ ପୁଲିଂ ବୁଥ୍‌ରେ ନିଯୁକ୍ତ ପ୍ରିଜାଇଡିଂ ଅଫିସର୍ ଏହାର ଦାୟିତ୍ୱ ନେବା କଥା । ଆଉ ଭୋଟ୍‌ ସ୍ଥାନକୁ ଭୋଟର ବ୍ୟତୀତ ଅନ୍ୟ କେହି ଯେପରି ନଯାଇପାରିବେ ସେନେଇ ଗୁରତ୍ୱ ଦେବା କଥା ।

ହେଲେ ଯେଉଁ ଭିଡିଓଟି ଭାଇରାଲ ହେବାରେ ଲାଗିଛି ସେଥିରେ ଖୋଦ୍‌ ପ୍ରିଜାଇଡିଂ ଅଫିସର୍‌ ଭୋଟ ସ୍ଥାନକୁ ଯାଇ କିଏ କେଉଁଠି ଭୋଟ ଦେଉଛନ୍ତି ତା’ ଉପରେ ନଜର ରଖୁଛନ୍ତି । ଯାହାକି ପଂଚାୟତ ନିର୍ବାଚନରେ ନିୟମର ଖୋଲା ଉଲଙ୍ଘନ । ଭୋଟର୍ କେଉଁଥିରେ ଭୋଟ୍ ଦେଲେ ଭୋଟଦାନ କକ୍ଷ ଭିତରେ ପଶି ଦେଖୁଛନ୍ତି ପ୍ରିଜାଇଡିଂ ଅଫିସର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ୍ ସାରୁଅ ବୁଥ୍‌ରେ । ସାରୁଅ ବିଦ୍ୟାଳୟର ୬ନମ୍ବର ବୁଥ୍‌ରେ ପ୍ରିଜାଇଡିଂ ଅଫିସରଙ୍କ ଏଭଳି କାରନାମା ସାମ୍ନାକୁ ଆସିଛି । ମତଦାତାଙ୍କର ଗୋପନୀୟତା ଅଧିକାରକୁ ଖୋଲାଖୋଲି ଉଲଙ୍ଘନ କରାଯାଉଥିବା ଏଠାରେ ଦେଖିବାକୁ ମିଳିଛି । ତେବେ ଏନେଇ ପ୍ରିଜାଇଡିଂ ଅଫିସରଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ବୟସ୍କ ଭୋଟରଙ୍କୁ ସହଯୋଗ କରୁଥିଲେ । 

ଅନ୍ୟପଟେ ନୂଆପଡ଼ାରେ ପ୍ରିଜାଇଡିଂ ଅଫିସରଙ୍କ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି ଲୋକେ । ନିଜ ଗାଡ଼ିରେ ଭୋଟ୍ ବାକ୍ସ ନେଇ ଯାଉଥିବାରୁ ଗାଡ଼ିକୁ ଆକ୍ରମଣ କରିଛନ୍ତି ସ୍ଥାନୀୟ ଜନତା । କୋମନା ବ୍ଲକ୍ ପାଏର ଗାଁ ୩ନଂ ବୁଥ୍ ଭୋଟ୍ ବାକ୍ସ ନେଇ ଏଭଳି ଉତ୍ତେଜନା ଦେଖାଯାଇଛି । ମତଦାନ ସରିଥିଲେ ବି ପୋଲିଂ ପାର୍ଟିଂକୁ ଛାଡୁ ନାହାନ୍ତି ଲୋକେ ।

ସେହିଭଳି କଟକରେ ମାରଣାସ୍ତ୍ର ଦେଖାଇ ଭୋଟ୍ ବାକ୍ସ ଛଡ଼ାଇ ନେଲେ ଦୁର୍ବୃତ୍ତ । ବାରଙ୍ଗ ବ୍ଲକ୍ କୁରାଙ୍ଗପ୍ରଧାନ ପଞ୍ଚାୟତ କୁରୁଣ୍ଟି ୧୧ନଂ ବୁଥ୍‌ରୁ ଲୁଟିନେଲେ । ସରପଞ୍ଚ ପ୍ରାର୍ଥୀ ଅଟକାଇବା ସତ୍ତ୍ୱେ ମାରଣାସ୍ତ୍ରରେ ଧମକାଇ ପଳାଇଲେ । ସଦର ଥାନାରେ ଏନେଇ ଏତଲା ଦେଲେ ସଂପୃକ୍ତ ସରପଞ୍ଚ ପ୍ରାର୍ଥୀ । ଠିକ୍‌ ସେହିଭଳି ଯାଜପୁରରେ ଭୋଟ୍ ବାକ୍ସକୁ ପୋଖରୀରେ ଫିଙ୍ଗି ଦେଲେ ଦୁର୍ବୃତ୍ତ । ଦଶରଥପୁର ବ୍ଲକ୍‌ରେ ୯ନଂ ବୁଥ୍‌ରେ ଭୋଟ୍ ବାକ୍ସ ଫିଙ୍ଗି ଦେଲେ ।