Advertisment

ଗାଁ ମଝିରେ ଭୋଟ୍ ହିଂସା; ଆକ୍ରମଣରେ ୫ ଲହୁଲୁହାଣ

କାଲି ପଞ୍ଚାୟତ ନିର୍ବାଚନ। ଏଣେ ହୁ ହୁ ହୋଇ ବଢିଚାଲିଛି ରାଜନୈତିକ ହିଂସା। କେଉଁଠି ମାର୍‌ପିଟ୍ ହୋଇ କେହି ଲହୁଲୁହାଣ ହେଲେଣି ତ କେଉଁଠି କାହା ଘରେ ଲଗେଇ ଦିଆଯାଉଛି ନିଆଁ। ଏହାକୁ ନେଇ ପରସ୍ପରକୁ ଦୋଷ ଲଦିବାରେ ବ୍ୟସ୍ତ ତିନି ପ୍ରମୁଖ ରାଜନୈତିକ ଦଳ।

author-image
Pramod Behera
ଅଦ୍ୟତନ ହୋଇଛି
Vote violence in village

Vote violence in village

ମୁଣ୍ଡ ଉପରେ ପଞ୍ଚାୟତ ଭୋଟ୍, ଏଣେ ହୁ ହୁ ବଢିଚାଲିଛି ରାଜନୈତିକ ହିଂସା। କେଉଁଠି ଗାଁ ମଝିରେ ପ୍ରଚାରବେଳେ ମାରପିଟ୍‌ରୁ ଲହୁଲୁହାଣ ତ ପୁଣି କେଉଁଠି ପ୍ରାର୍ଥୀଙ୍କ ସମର୍ଥକଙ୍କ ଘରେ ନିଆଁ ଲଗାଇଲେଣି ଅପର ଗୋଷ୍ଠୀ। ହିଂସାର ମାଳ ମାଳ ଚିତ୍ର ଭିତରେ ଅବାଧ ନିର୍ବାଚନକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିବାବେଳେ ଏଥିପାଇଁ ପରସ୍ପରକୁ ଦୋଷ ଲଦିବାରେ ବ୍ୟସ୍ତ ତିନି ପ୍ରମୁଖ ରାଜନୈତିକ ଦଳ।

Advertisment

ସୂଚନା ମୁତାବକ ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ବାସୁଦେବପୁରର ଗତକାଲି ଅପରାହ୍ନରେ ଜଣେ ସରପଞ୍ଚ ପ୍ରାର୍ଥୀ ରବି ରବିନାରାୟଣ ପାଢ଼ୀଙ୍କ ପ୍ରଚାର ଶୋଭାଯାତ୍ରା ଚାଲିଥିବାବେଳେ ପ୍ରତିପକ୍ଷ ଗୋଷ୍ଠୀର କିଛି ସମର୍ଥକ ହଠାତ୍ ମାରଣାସ୍ତ୍ର ଧରି ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ୨ ମହିଳାଙ୍କ ସମେତ ୫ ଜଣ ରକ୍ତାକ୍ତ ହୋଇଥିଲେ। ଦୀର୍ଘ ସମୟର ମାରପିଟ୍ ପରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଦିଗପହଣ୍ଡି ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦାଏର କରିଛି।

ସେମିତି ଆଉ ଏକ ରାଜନୈତିକ ହିଂସା ଦେଖିବାକୁ ମିଳିଛି ପିପିଲିରେ। ମୁହଁରେ ଆଘାତ ଲାଗିଥିବା ବ୍ୟକ୍ତି ଜଣକ ହେଲେ ପିପିଲି ୨୪ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରୁ ଲଢୁଥିବା ଶାସକ ଦଳ ପ୍ରାର୍ଥୀ ଧରଣୀଧର ସାହୁ। ଧରଣୀଧର ପୋଟଳ ଗାଁରେ ପ୍ରଚାର କରୁଥିବାବେଳେ ବିରୋଧୀ ଗୋଷ୍ଠୀ ପକ୍ଷରୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ କରି ତାଙ୍କ ସମର୍ଥକମାନେ ପୁରୀ-ଭୁବନେଶ୍ୱର ରାଜପଥ ତେଇଶିପୁରଠାରେ ଅବରୋଧ କରିଥିଲେ। ଘଟଣା ସ୍ଥଳରେ ପିପିଲି ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

Advertisment

ଏପଟେ ବାଲେଶ୍ୱର ଜିଲ୍ଲା କୁମ୍ଭୀରଗଡ଼ି ପଞ୍ଚାୟତରେ ରାତି ଅଧରେ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କ ଘରେ ବି ନିଆଁ ଲଗାଇ ଦେଇଛନ୍ତି ବିପକ୍ଷ ଗୋଷ୍ଠୀ। ଗତକାଲି ରାତିରେ ଦୁର୍ଗା ବେଶରା ନାମକ ଜଣେ ବ୍ୟକ୍ତିଙ୍କ ପରିବାର ଘରେ ଶୋଇଥିବାବେଳେ କେହି ନିଆଁ ଲଗାଇ ଦେଇଥିଲା। ଘର ହୁତୁ ହୁତୁ ହୋଇ ଜଳୁଥିଲା। ତେବେ ଏଥିରେ କେହି ମୃତାହତ ହୋଇ ନଥିଲେ ବି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି।

ତେବେ ମାଳ ମାଳ ନିର୍ବାଚନୀ ହିଂସା ଭିତରେ ନୂଆ ପ୍ରକାର ଖବର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଦେମାଳ ଗାଁରୁ। ଏଠି ଯେଉଁ ପାଚେରି ଭଙ୍ଗାଯାଇଛି ଏହା ଲୋକାପଡ଼ା ବ୍ରଜକେଶରୀ ଦେବ ପ୍ରାଥମିକ ସ୍କୁଲ୍‌ର ପାଚେରି। ତେବେ ମତଦାନ ବେଳେ ଆଗୁଆ ବୁଥ୍ କ୍ୟାପଚରିଂ ପାଇଁ ବିରୋଧୀ ପକ୍ଷ ଏଭଳି କରିଥିବା ଅଭିଯୋଗ ଆଣିଛନ୍ତି ସରପଞ୍ଚ ପ୍ରାର୍ଥୀ କନକଲତା ରାଉତଙ୍କ ସ୍ୱାମୀ।

ଅପରପକ୍ଷ ପ୍ରାର୍ଥୀନୀ ରୀତାରାଣୀ ପରିଡ଼ାଙ୍କ ସ୍ୱାମୀ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି । ସେପଟେ ଏ ଘଟଣା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିବେ ବୋଲି ଆଳି ବିଡିଓ କହିଛନ୍ତି।

ଏଣେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢିଚାଲିଥିବା ହିଂସାକୁ ନେଇ ପରସ୍ପରକୁ ଦୋଷ ଲଦିଛନ୍ତି ତିନି ପ୍ରମୁଖ ଦଳ। ପରାଜୟ ଡରରେ ବିଜେପି ରାଜନୈତିକ ହିଂସାର ବାଟ ଆପଣାଇଥିବା ଅଭିଯୋଗ ଆଣି ବିଜେଡି ଆଜି ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଥିବାବେଳେ, ପାଲଟା ଜବାବ ରଖି ବିଜେପି କହିଛି, ଶାସକ ଦଳ ହିଁ ସବୁଠି ରକ୍ତମୁଖା ହୋଇ ରାଜନୈତିକ ହିଂସାକାଣ୍ଡ ଚଳାଇଛି। କଂଗ୍ରେସ ବି ଶାସକ ଦଳକୁ ଟାର୍ଗେଟ୍ କରିଛି। ଭୋଟ୍ ବେଳରେ ଏଭଳି ବଢୁଥିବା ହିଂସାକାଣ୍ଡ ବନ୍ଦ ନ ହେଲେ ଏହା ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପରିଚାଳନାରେ ବି ଅନ୍ତରାୟ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି ହୋଇଛି।

Panchayat Election
Advertisment
Advertisment