• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସସପେନ୍ସର ଅନ୍ତ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ମୋହର ଲାଗିଛି । ଛତିଶଗଡ଼ ପାଇଁ କେନ୍ଦ୍ରୀୟ ନେତୃତ୍ୱ ନିଯୁକ୍ତ କରିଥିବା ୩ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବିଷ୍ଣୁଦେଓଙ୍କୁ ବାଛିଥିଲେ ନବନିର୍ବାଚିତ ବିଜେପି ବିଧାୟକ ।

ଏହା ପରେ ସେ ରାଜଭବନ ଯାଇ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି । ଜଣାଶୁଣା ଆଦିବାସୀ ନେତା ଭାବେ ପରିଚିତ ୫୯ ବର୍ଷୀୟ ବିଷ୍ଣୁଦେଓଙ୍କ ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ରାଜନୀତିରେ ଅଭିଜ୍ଞତା ରହିଛି । ଏବେ ଆସନ୍ତୁ ନଜର ପକାଇବା ସରପଞ୍ଚରୁ ସିଏମ୍ ହେବାକୁ ଯାଉଥିବା ବିଷ୍ଣୁଦେଓଙ୍କ ରାଜନୈତିକ ଯାତ୍ରା ଉପରେ ।

ବିଜେପି ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓଙ୍କ ନାଁରେ ମୋହର । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜଣାଶୁଣା ଆଦିବାସୀ ଚେହେରା ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ । ସରପଞ୍ଚ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରି ଏବେ ରାଜ୍ୟ ଶାସନର ଡୋରି ଧରିବାକୁ ଯାଉଛନ୍ତି ବିଷ୍ଣୁଦେଓ । ୧୯୯୦ରେ ଅପ୍ରିତିଦ୍ୱନ୍ଦୀ ଭାବେ ସେ ବଗିୟା ଗ୍ରାମର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ।

ଏହାପରେ ୧୯୯୦ ଏବଂ ୧୯୯୩ରେ ଅବିଭକ୍ତ ମଧ୍ୟପ୍ରଦେଶର ଟପକରା ଆସନରୁ ଲଗାତର ବିଧାୟକ ନିର୍ବାଚିତ ହୋଇଥିଲେ । ୧୯୯୯ରେ ପ୍ରଥମ ଥର ରାୟଗଡ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେହି ଆସନରୁ ବିଷ୍ଣୁଦେଓ ଲଗାତାର ୪ ଥର ସାଂସଦ ଭାବେ ନିର୍ବାଚିତ ହେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳିରେ ଇସ୍ପାତ ମନ୍ତ୍ରୀ ବି ରହିଥିଲେ ।

୨୦୦୬ରେ ବିଷ୍ଣୁଦେଓ ପ୍ରଥମ ଥର ଛତିଶଗଡ ରାଜ୍ୟ ବିଜେପି ସଭାପତି ହୋଇଥିଲେ । ଏହାପରେ ୨୦୨୦ରେ ପୁଣିଥରେ ପଦ୍ମ ଦଳର ରାଜ୍ୟ ମୁଖିଆ ଭାବେ ସେ ଦାୟିତ୍ୱ ତୁଲାଇଥିଲେ । ଚଳିତ ବିଧାନସଭା ନିର୍ବାଚନରେ ସେ ଓଡ଼ିଶା ସୀମାନ୍ତକୁ ଲାଗିଥିବା କୁଙ୍କୁରି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେପିର ଜଣେ ପ୍ରମୁଖ ଆଦିବାସୀ ଚେହେରା ବିଷ୍ଣୁଦେଓ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ଘନିଷ୍ଠ ଭାବେ ଜଣାଶୁଣା ।

RSS ସହ ମଧ୍ୟ ତାଙ୍କର ଉତ୍ତମ ସମ୍ପର୍କ ରହିଛି । ଛତିଶଗଡ଼ରେ ମୋଟ ୯୦ଟି ବିଧାନସଭା ଆସନରୁ ୫୪ଟିରେ ଜିତି ଚଳିତ ବିଧାନସଭା ନିର୍ବାଚନରେ କ୍ଷମତାକୁ ଫେରିଥିଲା ବିଜେପି । ନିର୍ବାଚନ ପୂର୍ବରୁ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ସାମ୍ନାକୁ ଆଣିନଥିବା ବେଳେ ଶେଷରେ ବିଷ୍ଣୁଦେଓ ବାଜି ମାରିଛନ୍ତି ।