• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୨୭ ବର୍ଷୀୟ ସୂର୍ଯ୍ୟବଂଶୀ ସୂରଜ । ସର୍ବକନିଷ୍ଠ ବିଧାୟକ ଭାବେ ସେ ଯିବେ ବିଧାନସଭା । ଇଂଜିନିୟରିଂରୁ ରାଜନୀତିକୁ ଆସିଥିବା ସୂରଜ, ସବୁବେଳେ ରହିଛନ୍ତି ଧାମନଗରବାସୀଙ୍କ ସହ । ଆଉ ଧାମନଗର ବାସୀ ମଧ୍ୟ ଆଶୀର୍ବାଦ ସ୍ୱରୁପ ଭୋଟ୍ ଓଜାଡି ଦେଇଛନ୍ତି ସୂରଜଙ୍କ ଉପରେ ।

ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ, ବାପା ବିଷ୍ଣୁ ସେଠୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ । ଧାମନଗର ବିଜେପିର ଯୁବ ଚେହେରା । ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ବି ପାଲଟିଯାଇଛନ୍ତି ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା । ସେ ଏବେ ପୋଖତ ରାଜନେତାରେ ଗଣା । କାରଣ, ସୂରଜଙ୍କ ଆଗରେ ମାଟି କାମୁଡିଛି ୨୨ ବର୍ଷର ବିଜେଡି ସରକାର ।

ଆଜି ଯେତେବେଳେ ଭୋଟ ଫଳାଫଳ ଆସିବାର ଥିଲା । ବାପାଙ୍କ ପାଖରେ ମୁଣ୍ଡିଆ ମାରି ଘରୁ ବାହାରିଥିଲେ ସୂରଜ । ଦକ୍ଷିଣ କାଳୀ ମନ୍ଦିରରେ ପୂଜା ମଧ୍ୟ କରିଥିଲେ । ଏହା ପୂର୍ବରୁ ନାମାଙ୍କନ ଭରିବା ପାଇଁ ଯିବା ବେଳେ ପୁଅକୁ ଦହି ଖୁଆଇ ଶୁଭ ଆଶୀର୍ବାଦ ଦେଇଥିଲେ ମାଆ । କହିଥିଲେ, କେବଳ ଘରେ ଥିବା ମାଆ ତାର ପରିବାର ନୁହେଁ, ସାରା ଧାମନଗର ବାସୀ ତା ପରିବାର । ବାପାଙ୍କ ଯିବା ପରେ ମାଆଙ୍କ କଥାକୁ ଯେପରି ଅକ୍ଷରେ ଅକ୍ଷରେ ପାଳନ କରିଥିଲେ ସୂରଜ । ସେଥିପାଇଁ ତ ସେ କହିଛନ୍ତି, ସେ ଧାମନଗର ବାସୀଙ୍କୁ ଭୋଟ୍ ମାଗିନାହାଁନ୍ତି ବରଂ ଆଶୀର୍ବାଦ ଲୋଡିଛନ୍ତି । ପ୍ରଚାର ବେଳେ ବଡଙ୍କୁ ଭକ୍ତି ହେଉ ଅବା ଧୀର, ନମ୍ର ଓ ଭଦ୍ର ସ୍ୱଭାବ, ସମସ୍ତଙ୍କ ପାଖରେ ପହଁଚାଇଥିଲା ସୂରଜଙ୍କୁ ।

 

ଭଦ୍ରକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ମାଟ୍ରିକ୍ ପାସ୍ କରିଥିବା ସୂର୍ଯ୍ୟବଂଶୀ ଭୁବନେଶ୍ୱରର ଏକ ଘରୋଇ କଲେଜ୍‌ରୁ ବିଟେକ୍ କରିଛନ୍ତି । ପରେ ଭଦ୍ରକ ଲ କଲେଜ୍‌ରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଧାମରାର ଏକ ଘରୋଇ କମ୍ପାନିରେ ଇଞ୍ଜିନିୟର ଭାବେ କିଛି ଦିନ ଚାକିରି କରିଥିଲେ ସୂରଜ । ତେବେ ବାପାଙ୍କ ସହ କାମ କରିବାକୁ ଧାମନଗର ଫେରିଥିଲେ । ବଡ଼ ଚାକିରି ଓ ଉଚ୍ଚା ଦରମାର ମୋହ ଛାଡ଼ି ଲୋକଙ୍କ ସେବା କରିବାକୁ ମନ ସ୍ଥିର କରିଥିଲେ ।

ବାତ୍ୟା ହେଉ ଅବା କରୋନା ସବୁ ବେଳେ ସବୁ ପରିସ୍ଥିତିରେ ଲୋକଙ୍କ ସହ ରହିଛନ୍ତି । ଏପରିକି ନିର୍ବାଚନୀ ହିଂସା ପରେ ଆହତ ଓ ସେମାନଙ୍କ ପରିବାରକୁ ଭେଟି ସେମାନଙ୍କ ସାଥିରେ ଥିବା ଭରସା ଦେଇଥିଲେ । ଭଦ୍ରକ ଜିଲ୍ଲାରେ ଯୁବ ସଂଗଠନକୁ ମଜବୁତ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ଯୁବ ବିଜେପିର ରାଜ୍ୟ ସଂଯୋଜକ ସୂର୍ଯ୍ୟବଂଶୀ ସୂରଜ ।