/odishatv-khabar/media/post_attachments/uploadimage/library/16_9/16_9_0/BJD_1756108503.jpg)
BJD
ରାଜନୀତି ସତରେ ବଡ଼ ବିଚିତ୍ର! ଉପରାଷ୍ଟ୍ରପତି ନିର୍ବାଚନରେ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଯୋଗାଡ଼ କରିବା ପାଇଁ ଯାଇ ଉଭୟ ଭାରତୀୟ ଜନତା ପାର୍ଟି ଓ ଏହାର ଦୃଢ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଗତ ୨୦୨୪ ଲୋକସଭା ନିର୍ବାଚନରେ ମାଟି କାମୁଡ଼ି ପଡ଼ିଥିବା ବିଜୁ ଜନତାର ସମର୍ଥନ ପାଇଁ ଅନୁରୋଧ କରିଛନ୍ତି।
ଭାରତୀୟ ଜନତା ପାର୍ଟି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ନବୀନଙ୍କ ସହିତ କଥା ହୋଇ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ବା ଏନ୍ଡ଼ିଏ ପ୍ରାର୍ଥୀ ସି.ପି. ଋାଧାକ୍ରିଷ୍ଣନ୍ଙ୍କ ସପକ୍ଷରେ ତାଙ୍କର ସମର୍ଥନ ଲୋଡିଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ବି.ସୁଦର୍ଶନ ରେଡ଼ିଙ୍କ ପାଇଁ ତାଙ୍କର ସମର୍ଥନ ମାଗିଛନ୍ତି । ନବୀନ କାହାକୁ ସମର୍ଥନ କରିବେ ନକରିବେ, ତାହା ସମୟ କହିବ । କିନ୍ତୁ ତାଙ୍କର ସମର୍ଥନ ପାଇଁ ଜାତୀୟ ଗଣତାନ୍ତ୍ରୀକ ମେଣ୍ଟ ଓ ଇଣ୍ଡିଆ ମେଣ୍ଟର ଅନୁରୋଧ ସେମାନଙ୍କର ଆବଶ୍ୟକତା, ରାଜନୈତିକ ବାଧ୍ୟବାଧକତା ନା ବ୍ୟାକୁଳତାକୁ ପ୍ରକାଶ କରୁଛି, ସେ ନେଇ ବାଟରେ ଘାଟରେ ବେଶ୍ ଚର୍ଚ୍ଚା ହେଉଛି ।
ଗତ ଲୋକସଭା ନିର୍ବାଚନରେ ବିଜୁ ଜନତା ଦଳ ଓଡ଼ିଶାରେ ଖାତା ଖୋଲି ପାରିଲା ନାହିଁ । ରାଜ୍ୟସଭାରେ ଏବେ ଦଳର ମାତ ୭ ଜଣ ସାଂସଦ ରହିଛନ୍ତି । ଏହା ମଧ୍ୟରେ ଦୁଇ ଜଣ ଦଳ ତ୍ୟାଗ କରି ବିଜେପିରେ ଯୋଗଦେଇଛନ୍ତି। ଏମିତି ଦେଖିବାକୁ ଗଲେ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ିର ବିନା ସମର୍ଥନରେ ଜାତୀୟ ଗଣତାନ୍ତ୍ରୀକ ମେଣ୍ଟ ର ପ୍ରାର୍ଥୀ ବିଜୟ ସମ୍ଭାବନା ରଖୁଛନ୍ତି । କିନ୍ତୁ ରାଜନୀତିରେ ପ୍ରତି ମୁହୂର୍ତ୍ତରେ ହିସାବକିତାବ ଚାଲିଥାଏ । ରାଜନୀତି ସର୍ବଦା ଗତିଶୀଳ ଓ ପରିବର୍ତ୍ତନଶୀଳ । ଏଠି କେହି ଚିର ଶତ୍ରୁ ନୁହଁନ୍ତି କି ସବୁଦିନିଆଁ ବନ୍ଧୁ ନୁହଁନ୍ତି । ପ୍ରତିକ୍ଷଣରେ ଯୁକ୍ତବିଯୁକ୍ତର ଅଙ୍କକଷା ଏଠି ଚାଲିଥାଏ ।
ସମୀକ୍ଷକମାନଙ୍କ ମତରେ ସାମାଜିକ ଚଳଣିରେ ଆମେ ଯେତେବେଳେ ଆମେ ଆମର ପୁଅଝିଅର ବିବାହବ୍ରତ ବା ପରିଜନମାନଙ୍କର ମୃତ୍ୟୁ ପରେ ଶୁଦ୍ଧିକ୍ରିୟା କରିଥାଉ, ସେତେବେଳେ ଆମେ ଉଭୟ ଶତ୍ରୁମିତ୍ରମାନଙ୍କୁ ଖୋଜିଥାଉ । ରାଜନୀତିରେ ମଧ୍ୟ ଠିକ୍ ସେହି ଆଚାର ବ୍ୟବହାର ଦେଖାଯାଇଥାଏ ବା ଦେଖାଇବାକୁ ପଡ଼ିଥାଏ। ଠିକ୍ ଏହି ଧାରାରେ ଏକ ସମ୍ବାଧାନିକ ପଦପଦବୀ ପାଇଁ ନିର୍ବାଚନ ସମୟରେ ଉଭୟ ଶାସକ ଓ ବିରୋଧୀ ମେଣ୍ଟ ମାନଙ୍କ ଦ୍ୱାରା ସହଯୋଗୀ ଦଳ ସହିତ ପ୍ରତିପକ୍ଷ ଦଳର ମଧ୍ୟ ସମର୍ଥନ ଲୋଡାଯାଇଥାଏ । ବେଳେବେଳେ ପରିସ୍ଥିତି ଏମିତି ହୋଇଥାଏ ଯେ ପ୍ରତିପକ୍ଷ ରାଜନୈତିକ ଶତ୍ରୁତା ଭୁଲି ପ୍ରାର୍ଥୀମାନଙ୍କ ଯୋଗ୍ୟତା, ଜାତି ବା ଗୋଷ୍ଠୀ ତଥା ଆଞ୍ଚଳିକ ପୃଷ୍ଠଭୂମିକୁ ବିଚାରକୁ ନେଇ ନିଜର ସମର୍ଥନ ନେଇ ନିଷ୍ପତ୍ତି ନେଇଥାନ୍ତି ।
ଅତୀତରେ ରାଷ୍ଟପତି ନିର୍ବାଚନ ହେଉ ବା ଉପରାଷ୍ଟ୍ରପତି କିମ୍ବା ଲୋକସଭା ନିର୍ବାଚନ, ବିଜୁ ଜନତା ଦଳ ସର୍ବଦା ଜାତୀୟ ଗଣତାନ୍ତ୍ରୀକ ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଆସିଛି । କେବଳ ୨୦୧୨ ମସିହାରେ ୟୁପିଏ ପ୍ରାର୍ଥୀ ପି.ଏ.ସାଙ୍ଗମାଙ୍କୁ ବିଜେଡ଼ି ସମର୍ଥନ କରିଥିଲା । ସେତେବେଳେ ନବୀନ ପଟ୍ଟନାୟକ କହିଲେ ଯେ ଯେହେତୁ ଶ୍ରୀଯୁକ୍ତ ସାଙ୍ଗମା ଆଦିବାସୀ ସମ୍ପ୍ରଦାୟରୁ ଆସୁଛନ୍ତି, ବିଜୁ ଜନତା ଦଳ ତାଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଉଛି । ସେତେବେଳେ ନବୀନଙ୍କର ଏହି ନିଷ୍ପତ୍ତି ଓଡ଼ିଶାର ୨୩ ପ୍ରତିଶତ ଆଦିବାସୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉଦ୍ଦିଷ୍ଟ ବୋଲି ମନେ କରାଯାଇଥିଲା ।
ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଯଦି ଏବେ ଏନଡିଏ ଓ ଇଣ୍ଡିଆ ମେଣ୍ଟର ସଂଖ୍ୟାଗଣିତ ଦେଖିବା ତେବେ ଏନ୍ଡ଼ିଏ ସଂସଦରେ ସଂଖ୍ୟାଗତ ପ୍ରାଧାନ୍ୟ ରଖିଛି। ଏହାର ଶକ୍ତି ୱାଇଏସ୍ଆର୍ କଂଗ୍ରେସ ଭଳି ଆଞ୍ଚଳିକ ଦଳଗୁଡ଼ିକର ସମର୍ଥନ ଦ୍ୱାରା ବେଶ୍ ଦୃଢ ସ୍ଥିତିରେ ରହିଛି । ଯଦିଓ ଇଣ୍ଡିଆ ବ୍ଲକ, ମିଳିତ ପ୍ରାର୍ଥୀ ମନୋନୟନରେ ଏକଜୁଟ ହୋଇ ରହିଥିବାର ଏକ ଦୃଷ୍ଟାନ୍ତ ଜନସାଧାରଣଙ୍କ ସାମ୍ନାରେ ଉପସ୍ଥାପିତ କରିଛନ୍ତି, ତେବେ ମତଦାନ ପ୍ରକ୍ରିୟାରେ ଏହାର ବିବିଧ ସଦସ୍ୟମାନଙ୍କୁ ଏକତ୍ରିତ କରିବାରେ ଏହା ଯେ ସମସ୍ୟାରେ ସାମ୍ନା କରିବ ନାହିଁ, ତାହା ଏବେ ଠାରୁ ଆକଳନ କରିବା କଷ୍ଟ ।
ବର୍ତ୍ତମାନ ସଂସଦର ଉଭୟ ଗୃହରେ ୭୮୭ ଜଣ ସଦସ୍ୟ ରହିଛନ୍ତି । ଏହି ହିସାବରେ ଭାରତର ଉପ-ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ଅତି କମରେ ୩୯୪ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଏହି ଦୃଷ୍ଟିରୁ ଦେଖିଲେ ଯେ ପରିସ୍ଥିତି ଏବେ ରାଧାକୃଷ୍ଣଙ୍କ ପାଇଁ ଅନୁକୂଳ । କାରଣ ବିଜେପି ନେତୃତ୍ୱାଧୀନ ଏନଡିଏରେ ଏବେ ୪୨୨ ଜଣ ସାଂସଦ ଅଛନ୍ତି । ସମସ୍ତ ମନୋନୀତ ସାଂସଦମାନେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାର ସମ୍ଭାବନା ରହିଛି। ସେହିପରି ଯଦି ଦେଖିବା ଇଣ୍ଡିଆ ମେଣ୍ଟର ପ୍ରାର୍ଥୀଙ୍କ ସପକ୍ଷରେ ମୋଟ୍ ୩୫୪ ଜଣ ସଦସ୍ୟଙ୍କ ସମର୍ଥନ ରହିଛି । ଏହି ହିସାବ ଭିତରେ ବିଜୁ ଜନତା ଦଳର ସଦସ୍ୟମାନେ ନାହାଁନ୍ତି । ସମଦୂରତା କଥା ସର୍ବଦା କହୁଥିବା ବିଜୁ ଜନତା ଦଳ ଯେହେତୁ ବିଭିନ୍ନ ସମୟରେ ଭିନ୍ନଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛି, ଉଭୟ ଏନ୍ଡିଏ ଓ ଇଣ୍ଡିଆ ମେଣ୍ଟ ଏହି ଦଳକୁ ବର୍ତ୍ତମାନ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଚାହୁଁଛନ୍ତି ।
ବିଜୁ ଜନତା ଦଳର ସମର୍ଥନରେ ଯେ କୌଣସି ଜଣେ ପ୍ରାର୍ଥୀ ଜିତି ଯିବ ବା ହାରି ଯିବ, ସେ ପରିସ୍ଥିତି ନାହିଁ । ହେଲେ ରାଜନୀତିରେ ଗୋଟିଏ ଜିନିଷ ସର୍ବଦା ମହତ୍ତ୍ୱ ରଖିଥାଏ, ତାହା ହେଲା ‘ନ୍ୟାରେଟିଭ୍’ ବା ବ୍ୟାଖ୍ୟାନ । ଆହୁରି ସରଳରେ ଏହି ଶବ୍ଦକୁ ବୁଝାଇବାକୁ ହେଲେ କୁହାଯାଇପାରେ ଯେ ନିଜ ସପକ୍ଷରେ ସୁନ୍ଦର ତଥା ଗ୍ରହଣୀୟ କାହାଣୀଟିଏ କହିବା । ଯେଉଁ ମେଣ୍ଟ ବିଜେଡ଼ିର ସମର୍ଥନ ପାଇବ, ସିଏ ଗୋଟିଏ କଥା କହିବା ପାଇଁ ସୁଯୋଗ ପାଇବ ଯେ ବିଜେଡ଼ି ଭଳି ନିରପେକ୍ଷ ଦଳ ସମର୍ଥନ ତାଙ୍କ ମେଣ୍ଟ ପ୍ରାର୍ଥୀଙ୍କ ପାଇଁ ବିବେକାନୁମୋଦିତ ସମର୍ଥନର ଏକ ବଡ଼ ସ୍ୱୀକୃତି ।
ଅତୀତରେ ବିଜେଡ଼ି ଉଭୟ ଏନ୍ଡିଏ ଓ ୟୁପିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇସାରିଛି । ଏଥର କାହାକୁ ଦେବ ବା ନଦେବ, ତାହା ନବୀନଙ୍କ ଉପରେ ତାଙ୍କ ଦଳର ନେତାମାନେ ଛାଡ଼ିଦେଇଛନ୍ତି । ହେଲେ ଗୋଟିଏ କଥା କୁହାଯାଇପାରେ, - ଉଭୟ ମେଣ୍ଟ ଠିକ୍ ଜାଣିଛନ୍ତି ଯେ ନବୀନଙ୍କ ସମର୍ଥନ ଲୋଡ଼ିବା ଏକ ସୌଜନ୍ୟତା ମାତ୍ର, ଆବଶ୍ୟକତା ନୁହେଁ ।
ବି.ଦ୍ର. - ଏହା ଲେଖକଙ୍କ ନିଜସ୍ୱ ମତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)