• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନେତାଙ୍କ ଘରେ ମାଳ ମାଳ ଆଶାୟୀଙ୍କ ଭିଡ । କିଏ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରୁଛି ତ ଆଉ କିଏ ଲୋକପ୍ରିୟତାର ଲମ୍ବା ଚଉଡା ବାୟୋଡାଟା ଦେଇ ଟିକେଟ୍ ହାତେଇବାକୁ ପ୍ରୟାସ କରୁଛି । ରାତିପାହିଲେ ପୌର ନିର୍ବାଚନ ପାଇଁ ଆରମ୍ଭ ହେବ ନୋମିନେସନ୍ । ଏହାପୂର୍ବରୁ ଭୁବନେଶ୍ୱରର ପୂର୍ବତନ ମେୟର ତଥା ବିଜେଡି ବିଧାୟକ ଅନନ୍ତନାରାୟଣ ଜେନାଙ୍କ ସରକାରୀ ବାସଭବନରେ ଜମିଛି କର୍ପୋରେଟର ଆଶାୟୀଙ୍କ ଭିଡ ।

ମିଳିଥିବା ସୂଚନା ଅନୁସାରେ ବିଜେଡିର କର୍ପୋରେଟର ତାଲିକା ପ୍ରାୟ ଚୂଡାନ୍ତ ହୋଇସାରିଛି । ହେଲେ ମହିଳା ମେୟର ପ୍ରାର୍ଥୀଙ୍କୁ ନେଇ ଅଙ୍କ ଛିଡୁନି । ଆଶାୟୀ ଅନେକ ରେସ୍‌ରେ ଅଛନ୍ତି । ସୁସ୍ମିତା ବାଗଚୀ, ଇତି ସାମନ୍ତ, ରୋଜାଲିନ୍ ପାଟ୍ଟଶାଣୀ ଏବଂ ଶ୍ରୀମୟୀ ମିଶ୍ର ବିଧାୟକ କହିଛନ୍ତି ଯେ, ମେୟର ପ୍ରାର୍ଥୀ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ସେପଟେ ବିଜେପି ଭୁବନେଶ୍ୱରର ୧୦ଟି ମଣ୍ଡଳକୁ ନେଇ ପ୍ରାର୍ଥୀ ଚୂଡାନ୍ତ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି ।

ଦଳର ମେୟର ପ୍ରାର୍ଥୀ ଲାଗି ଲେଖାଶ୍ରୀ ସାମନ୍ତସିଂହାର ଏବଂ ଅନୁ ଚୌଧୁରୀଙ୍କ ନାଁ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ପ୍ରାର୍ଥୀ ଚୟନ ସହ ରଣନୀତି ନେଇ କସରତ ଆରମ୍ଭ କରିଛି କଂଗ୍ରେସ । ଦଳର ମେୟର କ୍ୟାଣ୍ଡିଡେଟ୍ ରେସ୍‌ରେ ଆଗରେ ଅଛନ୍ତି ରଶ୍ମି ମହାପାତ୍ର ।

ଏପଟେ କଟକ ମହାନଗର ନିଗମରେ ବି ସରଗରମ ପୌର ରାଜନୀତି । ମେୟର ପଦ ଲାଗି ଏଥର ଶାସକ ଦଳ ନେତା ବଦଳରେ ଜଣେ ପ୍ରଶାସକଙ୍କୁ ଆଗକୁ ଆଣିପାରେ ବୋଲି ଚର୍ଚ୍ଚା ହେଉଛି । ମେୟର ରେସରେ ଥିବା ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ସିଏମସି କମିଶନର ରବି ନନ୍ଦ ଏବଂ ପୂର୍ବତନ ରାଜସ୍ୱ କମିଶନର ଅନିଲ ସାମଲ । ସେହିପରି ମନ୍ତ୍ରୀ ପ୍ରତାପ ଜେନାଙ୍କ ସହଯୋଗୀ ରଞ୍ଜନ ବିଶ୍ୱାଳ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ସାଂସଦ ସୁବାସ ସିଂହ ଏବଂ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ଅରିନ୍ଦମ ରାୟଙ୍କ ନାଁ ବି ଚର୍ଚ୍ଚା ହେଉଛି ।

ସେପଟେ ଅଭିନେତାରୁ ନେତା ବନିଥିବା ଶ୍ରୀତମ ଦାସ, ପୂର୍ବତନ କର୍ପୋରେଟର ଚିତ୍ତ ଦାସ ଏବଂ ପୂର୍ବତନ ରାଜ୍ୟ କୋଷାଧ୍ୟକ୍ଷ ବିନୋଦ ଦାସଙ୍କୁ ବିଜେପି ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି । କଂଗ୍ରେସର ମେୟର ପଦ ଲାଗି ରେସ୍‌ରେ ଆଗରେ ଅଛନ୍ତି କଟକ ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା । ପୌର ନିର୍ବାଚନ ପାଇଁ ଆସନ୍ତାକାଲିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ୭ ତାରିଖ ଯାଏଁ ଜାରି ରହିବ ।

ରିପୋର୍ଟର- କଟକରୁ ଦେବାଶିଷ ମହାନ୍ତି, ଭୁବନେଶ୍ୱରରୁ ସୌମ୍ୟରଂଜନ ସାହୁ ଓ ଜଗଦୀଶ ଦାସ