• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହ ସାଲିସ କରୁଛନ୍ତି କି ରାଜ୍ୟ ସରକାର ? କାରଣ ପରୀକ୍ଷା ଋତୁରେ ରାଜ୍ୟ ସରକାର ଅୟୋଜନ କରିଛନ୍ତି ନୂଆ ଓ କାର୍ଯ୍ୟକ୍ରମ । ଆଶ୍ଚର୍ଯ୍ୟର କଥା, ସରକାରଙ୍କ ଏହି କାର୍ଯ୍ୟକ୍ରମ ପାଇଁ କାଲି ହେବାକୁ ଥିବା ପରୀକ୍ଷା ବାତିଲ କରି ୨୪ ତାରିଖକୁ ଘୁଂଚାଇଛନ୍ତି ସମ୍ବଲପୁର ଜିଏମ ବିଶ୍ୱବିଦ୍ୟାଳୟ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । ସେହିଭଳି ସରକାରଙ୍କ ଏହି କାର୍ଯ୍ୟକ୍ରମ ପାଇଁ କେଉଁଠି ଛାତ୍ରଛାତ୍ରୀ ଅଶାନ୍ତମୟ ପରିବେଶରେ ପରୀକ୍ଷା ଦେଉଛନ୍ତି। ଆଉ କେଉଠି କାର୍ଯ୍ୟକ୍ରମ ପାଇଁ ଆହ୍ୱାନ କରାଯାଇଥିବା ପ୍ରତିଯୋଗିତାରେ ଭାଗ ନେବେ ନା ପରୀକ୍ଷା ଦେବେ ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ ।

ପିଲାଙ୍କ କ୍ୟାରିୟର ଆଗ ନା ସରକାରୀ କାର୍ଯ୍ୟକ୍ରମ ? ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ନା ସରକାରଙ୍କ ପ୍ରୋଗ୍ରାମ ? ସମ୍ବଲପୁର ଜିଏମ୍ ୟୁନିଭର୍ସିଟିର ଏକ ଅଜବ ନିଷ୍ପତ୍ତି ପରେ ଏବେ ଏଭଳି ପ୍ରଶ୍ନ ସବୁ ଛାତ୍ରଛାତ୍ରୀଙ୍କ ମନରେ । ନୂଆ ଓ କାର୍ଯ୍ୟକ୍ରମ ପାଇଁ ଘୁଞ୍ଚାଯାଇଛି ବିଶ୍ୱବିଦ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା UG ଓ PG ପାଠ୍ୟକ୍ରମର ବିଭିନ୍ନ ବିଷୟର ସେମିଷ୍ଟର ପରୀକ୍ଷା ।

କାରଣ ଆସନ୍ତାକାଲି ସମ୍ବଲପୁର ମନ୍ଦୋଲିଆ ଗ୍ରାଉଣ୍ଡରେ ହେବାର ଅଛି ନୂଆ ଓ କାର୍ଯ୍ୟକ୍ରମ । ତେଣୁ କାଲିର ପରୀକ୍ଷା ବାତିଲ କରି ୨୪ତାରିଖକୁ ଘୁଞ୍ଚାଇବା ଲାଗି ଉପ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ର ଛାତ୍ରୀ । ଏଥିପାଇଁ ସେମାନେ ସିଧା ସଳଖ ୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିୟାନଙ୍କୁ ଦାୟୀ କରିଛନ୍ତି ।

ଏପଟେ ବଲାଙ୍ଗୀରରେ ବି ଅଜବ ସ୍ଥିତି । ଗତକାଲି ନୂଆ ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ଆସିଥିଲେ ୫ଟି ଅଧ୍ୟକ୍ଷ ଭି କେ ପଣ୍ଡିଆନ । ଡିଜେର କାନଫଟା ଆୱାଜରେ ଦୁଲୁକିଥିଲା ବଲାଙ୍ଗୀରର ଗାନ୍ଧି ଷ୍ଟାଡିୟମ । ଛାତ୍ରଛାତ୍ରୀଙ୍କ ଗହଣରେ ପହଂଚି ସେମାନଙ୍କୁ ପାଠପଢାର ଗୁରୁତ୍ୱ ବୁଝାଇ ପରିଶ୍ରମ କରି ଆଗକୁ ବଢିବାର ଉପଦେଶ ବି ଦେଇଥିଲେ । ହେଲେ ବିଡମ୍ବନାର ବିଷୟ ଯେ ଏଭଳି କାର୍ଯ୍ୟକ୍ରମ ଯୋଗୁ ଅତି ନିକଟରେ ଥିବା ରାଜେନ୍ଦ୍ର କଲେଜରେ ଶବ୍ଦ ପ୍ରଦୂଷଣ ଯୋଗୁ ଅଶାନ୍ତମୟ ପରିବେଶରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ନିରୁପାୟ ହୋଇ ଝରକା, କବାଟ ବନ୍ଦ କରି ପରୀକ୍ଷା କରାଇବା ଛଡା ଅନ୍ୟ ଉପାୟ ନଥିଲା କର୍ତ୍ତୁପକ୍ଷଙ୍କର ।

ବାଲେଶ୍ୱରରେ ବି ନୂଆ ଓ କାର୍ଯ୍ୟକ୍ରମକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ । ଜାନୁଆରୀ ୧୦ରୁ ୨୪ ତାରିଖ ଯାଏଁ ନୂଆ ଓ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ପାଇଁ କଲେଜମାନଙ୍କୁ ଆସିଛି ଚିଠି । ସେପଟେ ଜାନୁଆରୀ ୬ରୁ ବିଭିନ୍ନ କଲେଜରେ ଆରମ୍ଭ ହୋଇଛି ପରୀକ୍ଷା । ତେଣୁ ପିଲା ପରୀକ୍ଷା ଦେବେ ନା ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେବେ ତାକୁ ନେଉଇ ଉଠିଛି ପ୍ରଶ୍ନ । ତେବେ କଲେଜ ଅଧ୍ୟକ୍ଷ କହିଛନ୍ତି ଯେଉଁମାନେ ପରୀକ୍ଷା ଦେଉଛନ୍ତି ସେମାନେ ଭାଗ ନନେଲେ ଚଳିବ ।

ଏଠି ପ୍ରଶ୍ନ ଉଠୁଛି ପରୀକ୍ଷା ସିଜନ ଭିତରେ ନୂଆ ଓ କାର୍ଯ୍ୟକ୍ରମ ଆୟୋଜନ କରିବାର କଣ ଆବଶ୍ୟକତା ଥିଲା । ପରୀକ୍ଷା ବହୁ ପୂର୍ବରୁ କିମ୍ବା ପରୀକ୍ଷା ପରେ ଏହି କାର୍ଯ୍ୟକ୍ରମ କରିଥିଲେ ହୋଇନଥାନ୍ତା କି ? ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ କଲେଜରେ ଯେଉଁଭଳି କାର୍ଯ୍ୟକ୍ରମ କରାଯାଉଛି ତାହା ପିଲାଙ୍କ ପାଠପଢାରେ ବ୍ୟାଘାତ କରୁନାହିଁକି ? ତେବେ ଏନେଇ ଭି କେ ପାଣ୍ଡିଆନ କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

  • Reported by:
  • RASHMIRANJAN DAS , SANJAY JENA , MANARANJAN JOSHI