• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱରରୁ ରାଉରକେଲା ବିମାନସେବା ଆରମ୍ଭ ବେଳେ ନଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ । ଯାହାକୁ ନେଇ ତେଜିଛି ରାଜନୀତି । ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି ଧର୍ମେନ୍ଦ୍ର କହିଛନ୍ତି, ଛୋଟ ମନରେ କେବେ ବଡ଼ କାମ ହୋଇପାରେନା । ଏହା ଆମ ଓଡ଼ିଆଙ୍କ ପରମ୍ପରା ନୁହେଁ । ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ସେ ଆହୁରି କହିଛନ୍ତି ଦଳ ମଧ୍ୟରେ ରାଜନୈତିକ ଦ୍ୱନ୍ଦ୍ୱ ରହିବ, କିନ୍ତୁ ରାଜ୍ୟ ସ୍ୱାର୍ଥ କଥା ଉଠିଲେ ସମସ୍ତେ ଏକାଠି ହେବା କଥା । ବାଲିରେ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲିଯାତ୍ରା କଥା ଉଠାଇଥିଲେ । ଅନ୍ତର୍ଜାତୀୟ ମଞ୍ଚରେ ପ୍ରଧାନମନ୍ତ୍ରୀ ଓଡ଼ିଶା କଥା କହିଥିଲେ । କିନ୍ତୁ ଏଠି ବିମାନସେବା ଆରମ୍ଭ ହେଲା, ହେଲେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଦେଲେନି । ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଥିଲେ ଭଲ ହୋଇଥାଆନ୍ତା ବୋଲି ଧର୍ମେନ୍ଦ୍ର କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ଭଲ ହୋଇଥାନ୍ତା ।

ଅନ୍ୟପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ସମାନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଏହା ରାଜ୍ୟ ସରକାରଙ୍କର ଆନ୍ତରିକତାର ଅଭାବ ।

ସୂଚନାଯୋଗ୍ୟ, ଆଜି ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ସେବା ଆରମ୍ଭ ହୋଇଛି । ଏହାକୁ ଦିଲ୍ଲୀରୁ ଭର୍ଚୁଆଲରେ ଉଦଘାଟନ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ବିମାନକୁ ଫ୍ଲାଗଅଫ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଲାଏନ୍‌ସ ଏୟାର ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଛି । ଏହି ବିମାନରେ ଏକକାଳୀନ ୭୨ ଜଣ ଯାତ୍ରୀ ଯାଇପାରିବେ । ଆସନ୍ତା ୧୨ ତାରିଖରୁ ରୁଟିନ୍ ଉଡାଣ ଆରମ୍ଭ ହେବ । ପ୍ରତିଦିନ ଭୁବନେଶ୍ୱରରୁ ଦିନ ୨ଟା ୫୫ରେ ଛାଡ଼ିବ ଓ ରାଉରକେଲାରେ ୩ଟା ୫୦ରେ ପହଞ୍ଚିବ । ସେହିଭଳି ରାଉରକେଲାରୁ ୪ଟା ୧୫ରେ ବାହାରି ଭୁବନେଶ୍ୱରରେ ୫ଟା ୧୦ରେ ପହଞ୍ଚିବ । ଭୁବନେଶ୍ୱରରୁ ରାଉରକେଲା ବିମାନ ଭଡ଼ା ୨୮୦୩ ଟଙ୍କା ରହିଥିବା ବେଳେ ରାଉରକେଲାରୁ ଭୁବନେଶ୍ୱର ଭଡ଼ା ୨୭୨୧ ଟଙ୍କା ରହିଛି ।