• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରବିବାର ରାତି ପ୍ରାୟ ୧.୩୦ । ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିମାନରୁ ଓହ୍ଲାଇବା ମାତ୍ରେ ତାଙ୍କୁ ସ୍ୱାଗତ କରିଥିଲେ ରାଜ୍ୟ ବିଜେପିର ବରିଷ୍ଠ ନେତା । ଶାହଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ପାଛୋଟି ଆଣିଥିଲେ । ଏପଟେ ଶାହଙ୍କ ଆଗମନର ବହୁ ପୂର୍ବରୁ ଉତ୍ସବ ମୁଖର ଥିଲା ବିମାନବନ୍ଦର । ବାହାରର ପରିବେଶ ବିଜେପି ନେତା ଓ କର୍ମୀଙ୍କ କୋଳାହଳରେ କମ୍ପୁଥିଲା । ପାରମ୍ପରିକ ବାଦ୍ୟ ଓ ନୃତ୍ୟଗୀତରେ ଭବ୍ୟ ସ୍ୱାଗତ ଜଣାଇଥିଲା ଭୁବନେଶ୍ୱର ।

ଏ ସ୍ୱାଗତ ସମ୍ବର୍ଦ୍ଧନାରେ ଅଭିଭୂତ ହୋଇଥିଲେ ଶାହ । ବ୍ୟସ୍ତ ବହୁଳ ଗସ୍ତ ଭିତରେ ଆଜି ସକାଳୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନରୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଗୃହମନ୍ତ୍ରୀ । ମହାପ୍ରଭୁଙ୍କ ଦର୍ଶନ ସହ ଜଳାଭିଷେକ ବି କରିଥିଲେ । ପରେ ବେଢ଼ା ପରିକ୍ରମା ସାରି ମନ୍ଦିର ପ୍ରସ୍ଥାନ ପୂର୍ବରୁ ତାଙ୍କୁ ଲିଙ୍ଗରାଜଙ୍କ ପତାକା ଭେଟି ଦେଇଥିଲେ ସେବାୟତ । ସେଠାରୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ବାସଭବନକୁ ଯାଇଥିଲେ । ଶାହ ସେଠାରେ ସ୍ୱଳ୍ପ ସମୟରେ ଜଳପାନ ବିରତି ପରେ କଟକ ଅଭିମୁଖେ ଆରମ୍ଭ ହୋଇଥିଲା ଯାତ୍ରା ।

 

ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ଗଲା କିଛି ଦିନ ଧରି ବିଜେପି ମହଲରେ ଲାଗି ରହିଥିଲା ପ୍ରବଳ ଉତ୍ସାହ । ଏଥିପାଇଁ ଭୁବନେଶ୍ୱରରୁ କଟକ ଯିବା ଭିତରେ ଶାହଙ୍କୁ ବିଭିନ୍ନ ସ୍ଥାନରେ ବିପୁଳ ସ୍ୱାଗତ, ସମ୍ବର୍ଦ୍ଧନା ଜଣାଇଥିଲେ ଦଳୀୟ କର୍ମୀ ଓ ନେତା । କେଉଁଠି ତାଙ୍କ କାରକେଡ୍ ଉପରେ ଫୁଲ ବର୍ଷା ତ ଆଉ କେଉଁଠି ଫୁଲତୋଡ଼ା ଓ ଉତ୍ତରୀୟ ଦେଇଥିଲେ ଦଳୀୟ ନେତା । ଯାଗା ଯାଗାରେ ଅଟକି ଶାହ ବି କର୍ମୀ ଓ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇବାକୁ ଭୁଲି ନଥିଲେ । ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ କାରକେଡ୍ ପହଞ୍ଚିଥିଲା ।

କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟରେ ସେଠାରେ ପ୍ରଥମେ ନେତାଜୀଙ୍କ ଫଟୋ ଓ ପ୍ରତମୂର୍ତ୍ତିରେ ମାଲ୍ୟର୍ପଣ ପରେ ସଂଗ୍ରହାଳୟ ଭିତରକୁ ଯାଇ ସୁଭାଷ ବୋଷଙ୍କ ବ୍ୟବହୃତ ସାମଗ୍ରୀ ସବୁକୁ ବୁଲି ଦେଖିଥିଲେ । ସେଠାରୁ ଦୈନିକ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବାକୁ ସିଧାଳଖ ଯାଇଥିଲେ ଇଣ୍ଡୋର ଷ୍ଟାଡିୟମ ।

କଟକ କାର୍ଯ୍ୟକ୍ରମ ପରେ ଅପରାହ୍ଣରେ ଭୁବେନେଶ୍ୱର ଦଳୀୟ କାର୍ଯ୍ୟାଳୟକୁ ଫେରିବା ବେଳକୁ ଏଠି ବି ତାଙ୍କୁ ସ୍ୱାଗତ ପାଇଁ ହୋଇଥିଲା ଭବ୍ୟ ଆୟୋଜନ । ପାରମ୍ପାରିକ ଆଦିବାସୀ ନୃତ୍ୟଗୀତ ସାଙ୍ଗକୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ଦଳୀୟ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ ବରିଷ୍ଠ ନେତା । ଏଠାରେ ଆୟୋଜିତ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଶାହ । କାର୍ଯ୍ୟକ୍ରମରେ ଦଳର ସମସ୍ତ ସାଂସଦ, ବିଧାୟକ ଓ ପଦାଧିକାରୀ ଯୋଗ ଦେଇଥିଲେ । ଏହି ଅବସରରେ ନିମନ୍ତ୍ରିତ ଅତିଥି ଓ ଜନଜାତି ଲୋକଙ୍କୁ ଜାତୀୟ ପତାକା ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଫଟୋ ଫ୍ରେମ୍ ଉପହାର ଦେଇଥିଲେ ଶାହା ।