• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ତାମିଲନାଡୁ ସରକାର ଶନିବାର ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛି । ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍‌ ତାଙ୍କ ପୁଅ ତଥା ତାମିଲନାଡ଼ୁ କ୍ରୀଡା ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି କରିଛନ୍ତି । ଗତ ବର୍ଷ ସନାତନ ଧର୍ମ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ ଉଦୟାନିଧି । ସେ ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ସହ ତୁଳନା କରିଥିଲେ । ଯାହାକୁ ନେଇ ଉଦୟାନିଧି ବିବାଦୀୟ ହୋଇପଡ଼ିଥିଲେ ।

ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍‌ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରି ତାଙ୍କ କ୍ୟାବିନେଟରେ ଭି ସେନ୍ଥିଲ ବାଲାଜୀଙ୍କୁ ମଧ୍ୟ ସ୍ଥାନ ଦେଇଛନ୍ତି । ମନି ଲଣ୍ଡରିଂ ମାମଲାରେ ବାଲାଜୀ ସେପ୍ଟେମ୍ବର ୨୬ରେ ସୁପ୍ରିମକୋର୍ଟରୁ ଜାମିନ ପାଇଥିଲେ ବାଲାଜୀ । ସେ କ୍ୟାସ୍‌ ଫର୍‌ ଜବ୍‌ ସ୍କାମ୍‌ରେ ଗିରଫ ହେବାର ୮ ମାସ ପରେ ଚଳିତ ବର୍ଷ ଫେବୃଆରୀରେ ଇସ୍ତଫା ଦେଇଥିଲେ ।

ରାଜଭବନରୁ ଏହା କୁହାଯାଇଥିଲା ଯେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ରାଜ୍ୟପାଳ ଆର.ଏନ୍ ରବିଙ୍କୁ ଉଦୟାନିଧିଙ୍କୁ ଡେପୁଟି ସିଏମ୍ ଭାବେ ମନୋନୀତ କରିବା ଏବଂ କ୍ୟାବିନେଟ୍ ବିସ୍ତାର କରିବାକୁ ସୁପାରିଶ କରିଥିଲେ। ରାଜ୍ୟପାଳ ଏହାକୁ ଅନୁମୋଦନ କରିଥିଲେ । ଆଉ ଆଜି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଉଦୟାନିଧି ଷ୍ଟାଲିନ୍ ।

ତାମିଲନାଡୁରେ ଏହା ଦ୍ୱିତୀୟ ଥର ହେବାକୁ ଯାଉଛି, ଯେତେବେଳେ ପିତା ମୁଖ୍ୟମନ୍ତ୍ରୀ ଏବଂ ପୁଅ ଉପମୁଖ୍ୟମନ୍ତ୍ରୀ ପଦରେ ରହିବେ । ଏହାପୂର୍ବରୁ ୨୦୦୯-୧୧ରେ, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍ ଡେପୁଟି ସିଏମ୍ ଥିଲେ ଏବଂ ତାଙ୍କ ପିତା ଏମ୍‌ କରୁଣାନିଧି ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ।

କୁହାଯାଉଛି ଯେ ଡିଏମକେ କର୍ମୀମାନେ ଦଳରେ ଉଦୟାନିଧିଙ୍କ ସ୍ଥିତି ବୃଦ୍ଧି କରିବାକୁ ଦାବି କରୁଥିଲେ । ତାଙ୍କୁ ସରକାରରେ ପଦୋନ୍ନତି ଦେବାକୁ ମଧ୍ୟ ଦାବି କରାଯାଇଥିଲା । ଯାହା ଦ୍ୱାରା ୨୦୨୬ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳକୁ ଫାଇଦା ମିଳିବ ।

ଡିଏମକେ ନେତାମାନେ ଦାବି କରିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନ ପରେ ଦଳ ଏବଂ ସରକାରର ନେତୃତ୍ୱ ନେବା ପାଇଁ ଏମ୍‌.କେ ଷ୍ଟାଲିନ୍‌ ତାଙ୍କ ଉତ୍ତରାଧିକାରୀ ଭାବେ ପୁଅ ଉଦୟାନିଧିଙ୍କୁ ପ୍ରୋଜେକ୍ଟ କରିବାକୁ ଉଦ୍ୟମ କରୁଛନ୍ତି । ଯଦି ଏହା ଘଟେ, ତେବେ ସେ ପିତା ଏମ.କେ ଷ୍ଟାଲିନ ଏବଂ ଜେଜେ ଏମ କରୁଣାନିଧିଙ୍କ ପରେ ସରକାରର ନେତୃତ୍ୱ ନେବାରେ ପରିବାରର ତୃତୀୟ ସଦସ୍ୟ ହେବେ ।

OTV is now on Whatsapp

Join and get latest news update delivered to you via whatsapp

Join Now