ଫାଇଭ-ଟି ସଚିବଙ୍କ ଗସ୍ତରେ ଚପର୍ ବ୍ୟବହାରକୁ ନେଇ ବିଜେଡି-ବିଜେପି ଟୁଇଟର ୱାର୍ । କୁଚକ୍ରୀ ଗୋଷ୍ଠୀ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି ବୋଲି ଟ୍ୱିଟ୍ କରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ । ଲେଖିଛନ୍ତି, କିଏ ହେଲିକପ୍ଟରରେ ଗସ୍ତ ବାବଦକୁ ୩ ଶହ କୋଟି, ତ ଆଉ କିଏ ୫ଶହ କୋଟି ଖର୍ଚ୍ଚ ହୋଇଛି ବୋଲି କହୁଛି । ପ୍ରକୃତରେ ୫ ବର୍ଷରେ ହେଲିକପ୍ଟରରେ ଗସ୍ତ ବାବଦକୁ ପ୍ରାୟ ୫୦ କୋଟି ଟଙ୍କା, ଅର୍ଥାତ୍ ବର୍ଷକୁ ୧୦ରୁ ୧୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସୋସିଆଲ ମିଡିଆରେ ସଫେଇ ଦେଇଛନ୍ତି ଟୁକୁନି । ଆସନ୍ତା ବିଧାନସଭା ଅଧିବେଶନରେ ସେ ଏ ବାବଦରେ ତଥ୍ୟ ରଖିବେ ବୋଲି ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ବିଜେପି ବିଧାୟିକା କୁସୁମ୍ ଟେଟେ ଟୁଇଟ୍ କରି ଟୁକୁନିଙ୍କୁ ସମାଲୋଚନା କରିଛନ୍ତି । ଲେଖିଛନ୍ତି, ଜଣେ ଓଡ଼ିଆ ଭାବରେ ରାଜ୍ୟରେ ଯେଉଁ ଭଳି ଶାସନ ବ୍ୟବସ୍ଥା ଚାଲିଛି ତାହା ଆପଣଙ୍କୁ ବ୍ୟଥିତ କରୁନାହିଁ କି? ଅଭିଯୋଗ ଆସିଥିଲା ସଚିବଙ୍କ ବିରୋଧରେ କିନ୍ତୁ ପ୍ରତିକ୍ରିୟା ଦେଲେ ଆପଣ, ଜଣେ ମନ୍ତ୍ରୀ । ଆଜି ଆପଣଙ୍କ ପ୍ରତିକ୍ରିୟା ପ୍ରମାଣ କରିଦେଲା ଯେ ସଚିବ ବଡ଼ । କୁସୁମ ଟେଟେ ଆହୁରି ମଧ୍ୟ ଲେଖିଛନ୍ତି, ଜଣେ ସଚିବ ବାହାଘର ଭୋଜି ଖାଇବା ପାଇଁ, ପାରିବାରିକ ଉତ୍ସବରେ ଯୋଗ ଦେବା ପାଇଁ ସରକାରୀ ହେଲିକପ୍ଟର ବ୍ୟବହାର କରିପାରିବେ କି ବୋଲି ଗତକାଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଥିଲା । ୧୪ ମେ ଓ ୨୮ ଜୁନ୍ ରେ କେଉଁ ସରକାରୀ କାର୍ଯ୍ୟକ୍ରମ ଥିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ସଚିବ ସରକାରୀ ହେଲିକପ୍ଟର ବ୍ୟବହାର କରିଥିଲେ, ତାହା ଆପଣ ସ୍ପଷ୍ଟ କଲେ ଭଲ ହୁଅନ୍ତା । ତାସହ ପଚାରିଛନ୍ତି, ୨ଟି ବିଭାଗର ମନ୍ତ୍ରୀ ଭାବେ ଆପଣ କେତେଥର ସରକାରୀ ହେଲିକପ୍ଟର ବ୍ୟବହାର କରିପାରିଛନ୍ତି? ତେବେ ଟ୍ୱିଟର ୱାରକୁ ନେଇ ଏବେ ରାଜ୍ୟ ରାଜନୀତିରେ ଜୋର ଧରିଛି ଚର୍ଚ୍ଚା ।
Also Read