• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜୋରଦାର ହେଲାଣି କ୍ଷମତା ଲଢେଇ । ସମବାୟ ବ୍ୟାଙ୍କ୍ ନିର୍ବାଚନରେ କିଏ ମାରିବ ବାଜି । ତାକୁ ନେଇ ଜୋରଦାର ଲଢେଇ ଆରମ୍ଭ । ରାଜ୍ୟରେ ସମବାୟ ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି । ଆସନ୍ତା ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ରାଜ୍ୟରେ ଚଳିତବର୍ଷ ସମବାୟ ନିର୍ବାଚନର କ୍ଷମତା ଲଢେଇରେ ଶାସକ ବିଜେଡିର ତୁଙ୍ଗ ନେତାଙ୍କ ମଧ୍ୟରେ ଜୋରଦାର ଲଢେଇ ହେଉଛି । ଗୋଟିଏ ପଦବୀ ପାଇଁ ଶାସକ ଦଳର ଦୁଇ ଜଣ ଲେଖାଁଏ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଯାହାକି ଶାସକ ଦଳର କନ୍ଦଳକୁ ପଦାରେ ପକାଇଛି ।

ଅବିଭକ୍ତ କୋରାପୁଟ ଜିଲ୍ଲାର ୧୫ ନିର୍ଦ୍ଦେଶକ ପଦ ମଧ୍ୟରୁ ୫ ଜଣ ଅପ୍ରତିଦ୍ୱନ୍ଦ୍ୱି ଭାବେ ନିର୍ବାଚିତ ହୋଇଥିବା ବେଳେ ଆଉ ୧୦ଟି ନିର୍ଦ୍ଦେଶକ ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ଆଉ ଏହି ସବୁ ପଦବୀ ପାଇଁ ବିଜେଡି ପକ୍ଷରୁ ଏକାଧିକ ପ୍ରାର୍ଥୀ ରହିଛନ୍ତି । ଯାହାକୁ ଦଳ ପକ୍ଷରୁ ମ୍ୟାନେଜ୍‌ କରିବା କଷ୍ଟକର ହେଲାଣି ।

ଏପରିକି ନିଜ ସମର୍ଥିତ ନିର୍ଦ୍ଦେଶକ ପ୍ରାର୍ଥୀଙ୍କୁ ବିଜୟୀ ପାଇଁ ଗୋଟି ଚାଳନା କରୁଛନ୍ତି ବିଜେଡିର ବରିଷ୍ଠ ନେତା । ଆସନ୍ତା ୩୦ରେ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ନିର୍ଦ୍ଦେଶକ ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ମୁଖ୍ୟତଃ ଶାସକ ବିଜେଡି ସମର୍ଥକଙ୍କ ମଧ୍ୟରେ ହେଉଛି ଲଢେଇ । କୋରାପୁଟ ଜିଲ୍ଲାରେ ରବି ନନ୍ଦ ଓ ଈଶ୍ୱର ପାଣିଗ୍ରାହୀଙ୍କ ସମର୍ଥକଙ୍କ ମଧ୍ୟରେ ହେଉଛି ଲଢେଇ । ଖୋଦ ଇଶ୍ୱର ପାଣିଗ୍ରାହୀ ମଧ୍ୟ ନିର୍ବାଚନ ରଣାଙ୍ଗନାରେ ଓହ୍ଲାଇଥିବା ବେଳେ ସେପଟେ ରାୟଗଡ଼ା ଜିଲ୍ଲାର ବରିଷ୍ଠ ନେତା ଏନ୍. ଭାସ୍କର ରାଓ ଏବଂ ଜିଲ୍ଲା ବିଜେଡି ସଭାପତି ସୁଧିର ଦାସଙ୍କ ସମର୍ଥକଙ୍କ ମଧ୍ୟରେ ଜୋରଦାର ହେଉଛି ଲଢେଇ ।  

ଅବିଭକ୍ତ କୋରାପୁଟ ଜିଲ୍ଲାର କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ୪ ବରିଷ୍ଠ ନେତାଙ୍କ ମଧ୍ୟରେ ବଳ କଷାକଷି ଜାରି ରହିଛି । ରାୟଗଡ଼ା ଜିଲ୍ଲାର ୩ ନିର୍ଦ୍ଦେଶକ ପଦ ମଧ୍ୟରୁ ଗୋଟିଏ ନିର୍ଦ୍ଦେଶକ ପଦ ବିଜେଡି ନିର୍ଦ୍ୱନ୍ଦରେ ହାତେଇ ଥିବାବେଳେ ଏବେ ଗୁଣୁପୁର ଏବଂ ରାୟଗଡାର ଦୁଇ ନିର୍ଦ୍ଦେଶକ ପଦ ପାଇଁ ବିଜେଡିର ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେଉଛି । ସେହିପରି ଜୟପୁରରେ ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କ ପତ୍ନୀ ଡାକ୍ତର ଇନ୍ଦିରା ନନ୍ଦ ନିର୍ଦ୍ଦେଶକ ପଦ ପାଇଁ ଲଢ଼ୁଥିବା ବେଳେ ତାଙ୍କ ବିପକ୍ଷରେ ଈଶ୍ୱରଙ୍କ ସମର୍ଥକ ତଥା ମାଲକାନଗିରିର ବିଜେଡି ନେତା ନୃସିଂହଚରଣ ମହାନ୍ତି ଲଢ଼ୁଛନ୍ତି । 

କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ନିର୍ଦ୍ଦେଶକ ନିର୍ବାଚନ ପରେ ସଭାପତି କିଏ ହେବ, ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି । ଭାସ୍କର, ସୁଧିର, ରବି ନନ୍ଦ ନା ଈଶ୍ୱର, କାହାର ସମର୍ଥକ ସଭାପତି ହେବେ ତାକୁ ହିଁ ଅପେକ୍ଷା ।