• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Akshaya Kumar Sahoo

ଓଡ଼ିଶାରେ ନୂଆ ସରକାର ଗଠନ ହେବା ଇତି ମଧ୍ୟରେ ଆଠ ମାସ ପୂରି ନମାସ ହେବାକୁ ବସିଲାଣି । ଏକ ପ୍ରକାର କହିବାକୁ ଗଲେ ପ୍ରାୟତଃ ଏକ ବର୍ଷ ଛୁଇଁବା ଛୁଇଁବା ହେଲାଣି । ଏହା ମଧ୍ୟରେ ମୋହନ ମାଝିଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ସରକାର ଅନେକଗୁଡିଏ ପଦେକ୍ଷପ ସଫଳତାର ସହିତ ନେଇସାରିଛନ୍ତି । କିନ୍ତୁ ଏବେ ବି ଅନେକ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବାକି ଅଛି ଯାହାକୁ ଦଳ କରିବା ପାଇଁ ସଫଳ ହୋଇପାରିନାହିଁ । ସେ ମଧ୍ୟରୁ ସବୁଠାରୁ ଉଲ୍ଲେଖନୀୟ କାର୍ଯ୍ୟ ହେଲା ବିଭିନ୍ନ ବୋର୍ଡ ଓ ନିଗମଗୁଡିକରେ ଖାଲି ପଡିଥିବା ସଭାପତି ଓ ଅଧ୍ୟକ୍ଷ ପଦ ପୂରଣ କରିବା ଏବଂ ଜିଲ୍ଲାମାନଙ୍କରେ ଉନ୍ନୟନ ପରିଷଦ ସଭାପତି ଚୟନ କରିବା ।

ଏହାଛଡା ମୋହନ ମାଝି ସରକାରଙ୍କ ପୂର୍ବ ଘୋଷଣା ଅନୁସାରେ ସମସ୍ତ ବିଭାଗର ସଚିବମାନେ ଏ ପର୍ଯ୍ୟନ୍ତ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡିକ ସମୀକ୍ଷା ଆରମ୍ଭ କରିନାହାଁନ୍ତି । ପୂର୍ବ ବିଜୁ ଜନତା ଦଳ ସରକାର ସମୟରେ ଉଭୟ ବିଧାନସଭା ଭିତରେ ଓ ବାହାରେ ସଚିବମାନଙ୍କ ଜିଲ୍ଲା ଗସ୍ତ ସମୟରେ ବାରମ୍ବାର ଘୋଷଣା କରାଯାଇଥିଲେ ମଧ୍ୟ ତାରା ଦତ୍ତଙ୍କ ଭଳି ଜଣେ ଦୁଇଜଣ ସଚିବଙ୍କୁ ଛାଡିଦେଲେ ଅନେକ ସଚିବ ଭୁବନେଶ୍ୱର ଛାଡି ଜିଲ୍ଲା ଗସ୍ତରେ ଯାଇନଥିଲେ । ଯଦି ପୂର୍ବବତ୍ ସରକାର ଚାଲେ, ତେବେ ତାହା ଜନମାନସରେ ଏକ ସକାରତ୍ମକ ଛବି ସୃଷ୍ଟି କରିବ ନାହିଁ ।

ରାଜ୍ୟ ସରକାରଙ୍କ ଅଧୀନରେ ମୋଟ୍ ୩୭ଟି ବୋର୍ଡ ଏବଂ ନିଗମ ସହ ୩୦ଟି ଜିଲ୍ଲାରେ ଯୋଜନା ବୋର୍ଡ, ୨୩ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରହିଛି । ପଶ୍ଚିମ ଓଡିଶା ବିକାଶ ପରିଷଦ ଥିବା ବେଳେ ନୂଆ ସରକାର ମଧ୍ୟ ଦକ୍ଷିଣ ଓଡିଶା ଏବଂ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ୨୦୨୫-୨୬ ବାର୍ଷିକ ବଜେଟ୍‌ରେ ମଧ୍ୟ ଅର୍ଥ ବରାଦ କରାଯାଇଛି । ଏହି ସବୁ ବିକାଶ ପରିଷଦ ଗୁଡିକରେ ସରକାର ରାଜନୈତିକ ନିଯୁକ୍ତି କରିପାରିବେ । ସେହିଭଳି ମହିଳା କମିଶନ, ଶିଶୁ ସୁରକ୍ଷା ଆୟୋଗରେ ମଧ୍ୟ ରାଜନୈତିକ ନେତାମାନଙ୍କୁ ଥଇଥାନ କରାଯାଇପାରିବ । ଏକ ହିସାବରୁ ଜଣାଯାଇଛି ଯେ ପାଖାପାଖି ୧୫୦ ରାଜନୈତିକ ବ୍ୟକ୍ତିଙ୍କୁ ଥଇଥାନ କରାଯାଇପାରିବ ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ତଥା ଦଳର ସାଂଗଠନିକ ସମ୍ପାଦକ ମାନସ ମହାନ୍ତି ତତ୍ୱାବଧାନରେ ଅନେକ ଥର ଏବାବଦରେ ରାଜ୍ୟ କାର୍ଯ୍ୟାଳୟରେ ବୈଠକ ବସି ଆଲୋଚନା ହୋଇସାରିଲାଣି । ହେଲେ ଏ ପର୍ଯ୍ୟନ୍ତ କିଛି ନିର୍ଯ୍ୟାସ ବାହାରି ପାରୁନାହିଁ । ଆଶାୟୀମାନଙ୍କ ଉତ୍କଣ୍ଠା ଉଦ୍‌ବେଗରେ ପରିଣତ ହେଲାଣି । ବିରୋଧୀ ବିଜୁ ଜନତା ଦଳ ଓ କଂଗ୍ରେସ କ୍ୟାମ୍ପରୁ ସେମାନଙ୍କୁ ଟାହିଟାପରା କରାଯାଉଛି ।

ଗୋଟିଏ ରାଜନୈତିକ ଦଳ କେତେବେଳେ କେଉଁ କାର୍ଯ୍ୟ କରିବ ଏହା ତାହାର ଆଭ୍ୟନ୍ତରୀଣ ବ୍ୟାପାର । କିନ୍ତୁ ଯଦି ଠିକଣା ସମୟରେ ଏହା ଉଚିତ୍ ପଦକ୍ଷେପ ନେଇନପାରେ, ଏହା ଜନସାଧାରଣରେ ଆଲୋଚନା ଓ ସମାଲୋଚନାର ବିଷୟବସ୍ତୁ ପାଲଟିଥାଏ । ଗୋଟିଏ ପଟେ ଆଶାୟୀଙ୍କ ତାଲିକା ଦିନକୁ ଦିନ ଅଧିକ ଲମ୍ବା ହୋଇଚାଲିଥିବା ବେଳେ ବୋର୍ଡ ଓ ନିଗମଗୁଡିକର ଅଧ୍ୟକ୍ଷ ଓ ସଭାପତି ପଦ ଖାଲି ପଡ଼ିବା ଉକ୍ତ ଅନୁଷ୍ଠାନଗୁଡିକର କାର୍ଯ୍ୟଶୈଳୀକୁ ନକରାତ୍ମକ ଭାବେ ପ୍ରଭାବିତ କରୁଛି ।

ଏହା ବ୍ୟତୀତ ଗୋଟିଏ ବାର୍ତ୍ତା ଜନସାଧାରଣଙ୍କୁ ଯାଉଛି ଯେ ବିଜେପି ନିଷ୍ପତି ନେବାରେ ବିଫଳ ହେଉଛି । ଆଉ ଏକ ଘଟଣାକ୍ରମରେ ଦେଖିବା ଯେ ଯଦି ଏହା ଭିତରେ ଏହି ପଦବୀଗୁଡିକ ପୂରଣ କରାଯାଇଥାନ୍ତା, ତେବେ ଆଜିକା ଦିନରେ ଥଇଥାନ ହୋଇଥିବା ନେତାମାନେ ଆଠ ମାସର ଦରମା ଓ ଭତ୍ତା ବାବଦରେ ଅନେକ ଲକ୍ଷ ଟଙ୍କା ରୋଜଗାର କରିପାରିଥାନ୍ତେ ।

ଗତ ୨୬ ତାରିଖରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଘରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତରୁଣ ଚୁଗ୍‌ଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସମେତ ସଭାପତି ମନମୋହନ ସାମଲ ଓ ସଂଗଠନ ସମ୍ପାଦକ ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ କାହାକୁ କେଉଁଠି ଥଇଥାନ କରାଯିବ, କେଉଁ ନେତାଙ୍କୁ ଗୁରୁତ୍ୱ ଦିଆଯିବ, ତାକୁ ନେଇ ମାନସମନ୍ଥନ କରାଯାଇଥିଲା ।

ବିଶେଷ ସୂତ୍ରରୁ ଜଣାଯାଇଛି ଯେ ନିର୍ବାଚନରେ ହାରିଯାଇଥିବା ବରିଷ୍ଠ ନେତା, ଅନ୍ୟଦଳରୁ ଆସିଥିବା କିଛି ବରିଷ୍ଠ ତଥା ଦକ୍ଷ ନେତା ଓ ଟିକେଟ୍ ପାଇନଥିବା ନେତାମାନଙ୍କୁ ଥଇଥାନ କରିବା ପାଇଁ ଏହି ବୈଠକରେ ନିଷ୍ପତି ନିଆଯାଇଛି । ଅନୂରୂପ ଭାବରେ ଟିକେଟ ନନେଇ ଦଳ ପାଇଁ  ତ୍ୟାଗପୂତ ତଥା ଉତ୍ସର୍ଗୀକୃତ ଭାବେ କାମ କରିଥିବା ନେତାଙ୍କୁ ମଧ୍ୟ ପ୍ରାଧାନ୍ୟ ଦିଆଯିବା ସହ ବରିଷ୍ଠ ଆଉ ଅଭିଜ୍ଞତାକୁ ବି କିଭଳି ଗୁରୁତ୍ୱ ଦିଆଯିବ ସେନେଇ ବିଷଦ ଆଲୋଚନା କରାଯାଇଥିଲା ।

କନକବର୍ଦ୍ଧନଙ୍କ ଘରେ ହୋଇଥିବା ଆଲୋଚନାର ସାରାଶଂ ଇତି ମଧ୍ୟରେ କେନ୍ଦ୍ରିୟ ନେତୃତ୍ୱଙ୍କୁ ଜଣାଯାଇ ସରିଛି । ସବିଶେଷ ନିଷ୍ପତି ନେଇ କେନ୍ଦ୍ରିୟ ନେତାମାନଙ୍କର ସହମତିକୁ ଅପେକ୍ଷା କରାଯାଇଥିବା ଦଳୀୟ ସୂତ୍ରରୁ ପ୍ରକାଶ । ଆଉ ଏକ ଘଟଣା କ୍ରମରେ ରାଜ୍ୟ ସଭାପତି ଚୟନ ମଧ୍ୟ ବିଳମ୍ବ ହେଉଥିବାରୁ କର୍ମୀଙ୍କ ଭିତରେ ଆଶା ଆଶଙ୍କା ବଢିଛି । ରାଜ୍ୟ ନିର୍ବାଚନ ଅଧିକାରୀ କେନ୍ଦ୍ରକୁ ତାଲିକା ଦେଇଥିବା ବେଳେ, ଅନ୍ୟ ରାଜ୍ୟରେ ନିର୍ବାଚନ ଏବଂ ରାଷ୍ଟ୍ରୀୟ ସଭାପତି ନିର୍ବାଚନ ପାଇଁ ଦିଲ୍ଲୀରୁ ଏହା ବିଳମ୍ବ ହେଉଥିବା କୁହାଯାଉଛି ।

ବିଜେପି ଦଳର ରାଜ୍ୟ ଶାଖାରେ ବା କେନ୍ଦ୍ରିୟ ସ୍ତରରେ କ’ଣ ଅସୁବିଧା ହେଉଛି, ତାହା ଜନସାଧାରଣ ବୁଝିବେ ନାହିଁ କି ସେମାନଙ୍କର ଏ ନେଇ ବୁଝିବାର ଆବଶ୍ୟକତା ନାହିଁ । ସେହିପରି ବିରୋଧୀ ଦଳମାନେ ବିଜେପିର ଏଭଳି ଅବସ୍ଥାରୁ ରାଜନୈତିକ ଫାଇଦା ଗୋଟାଇବାରେ କୌଣସି ହେଳା କରିବେ ନାହିଁ । ଯେତେ ଶୀଘ୍ର ବିଜେପି ଏଭଳି ତ୍ରିଶଙ୍କୁ ଅବସ୍ଥାରୁ ବାହାରିବ, ତାହା ଦଳକୁ ସେତିକି ଅନୂକୂଳ ପରିସ୍ଥିତିରେ ରଖିବ । ଅନ୍ୟଥା ବିରୋଧୀମାନଙ୍କୁ ପରିସ୍ଥିତିକୁ ଗୋଳିଆ ପାଣି କରି ଫାଇଦା ଦେବା ପାଇଁ ଏହା ବେଶ୍ ସହାୟକ ହେବ ବୋଲି କୁହାଯାଇପାରେ ।

OTV is now on Whatsapp

Join and get latest news update delivered to you via whatsapp

Join Now