• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲୋକଙ୍କ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚିଠି । ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ରାଜ୍ୟପାଳ ରଘୁବର ଦାସ । ଗତ ଡିସେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟପାଳ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଗସ୍ତରେ ଯାଇଥିଲେ । ଏହି ସମୟରେ ସେଠାକାର ସ୍ଥାନୀୟ ଲୋକେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟପାଳଙ୍କୁ ଜଣାଇଥିଲେ ।

ଯୋରନ୍ଦା ଜରାଶ୍ରମର ଜମି ବିବାଦ, ତୁରଙ୍ଗ ଗ୍ରାମ ପଞ୍ଚାୟତରେ ମମତା ଗୃହ ନିର୍ମାଣ ନେଇ ସେଠାକାର ଲୋକେ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ । ତାଳଚେର ବ୍ଲକର କନ୍ଧବେରେଣୀ ଗାଁର ଲୋକେ ଖଣି ଖନନ ଯୋଗୁଁ ବାୟୁ, ଜଳ ଓ ଶବ୍ଦ ପ୍ରଦୂଷଣ ଦ୍ୱାରା ଗୁରୁତର ପ୍ରଭାବିତ ହେଉଥିବା କହିଥିଲେ ।

ସେହିପରି ଖରା ଦିନରେ ଭୂତଳ ଜଳ ହ୍ରାସ ପାଉଛି । RPDAC  ବୈଠକ ନିୟମିତ ହେଉ ନ ଥିବାରୁ ସ୍ଥାନୀୟ ଲୋକଙ୍କ ଅଭିଯୋଗର ସମାଧାନ ହୋଇ ପାରୁନାହିଁ । ହାତୀ ଆସି ଫସଲ ଗୁଡିକ ନଷ୍ଟ କରୁଥିଲେ ହେଁ ଏନେଇ ବନ ବିଭାଗ କୌଣସି ପଦକ୍ଷେପ ନେଉ ନାହିଁ । ଖଣି ଖନନ ଅଞ୍ଚଳରେ କେବଳ ତାଙ୍କ ଗ୍ରାମ ବାକି ରହିଥିବାରୁ ଏହାକୁ ମଧ୍ୟ ଅଧିଗ୍ରହଣ କରାଯାଇ ନିୟମ ଅନୁସାରେ ଥଇଥାନ କରିବା ନେଇ ସ୍ଥାନୀୟ ବାସିନ୍ଦା ରାଜ୍ୟପାଳଙ୍କୁ ଜଣାଇଥିଲେ ।

ସେହିପରି  କନ୍ଧବେରେଣୀ ଆଶ୍ରମ ସ୍କୁଲର ବିଭିନ୍ନ ସମସ୍ୟା ସଂପର୍କରେ ଲୋକଙ୍କଠାରୁ ଶୁଣିଥିଲେ ରାଜ୍ୟପାଳ । ଅନୁଗୁଳ ଚାଷୀ ସୁରକ୍ଷା କମିଟି ମଧ୍ୟ ନିଜର ବିଭିନ୍ନ ଦାବି ରାଜ୍ୟପାଳଙ୍କ ନିକଟରେ ରଖିଥିଲେ । ତେବେ ରାଜ୍ୟପାଳ ଏହି ଦୁଇ ଜିଲ୍ଲା ଗସ୍ତରୁ ଫେରିବା ପରେ ଲୋକଙ୍କ ଏହି ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟପାଳଙ୍କ ଚିଠି ପରେ ବିଭିନ୍ନ ବିଭାଗ ପକ୍ଷରୁ ସମସ୍ୟାର ସମାଧାନ ଦିଗରେ ତତ୍ପରତା ପ୍ରକାଶ ପାଇଥିବା ଜଣାପଡିଛି ।