• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜନୈତିକ ଦଳଗୁଡ଼ିକର ଫୋକସ୍‌ରେ ଆଦିବାସୀ ଭୋଟ୍ । ଓଡ଼ିଶାର ଜନଜାତି ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଟାର୍ଗେଟ୍‌ରେ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରାଜ୍ୟର ୫ ଲୋକସଭା ଓ ୩୩ ବିଧାନସଭା ଆସନ । ଯାହାର ଝଲକ୍ ଦେଖିବାକୁ ମିଳିଥିଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସମୟରେ । ଖୋଦ୍ ଶାହ ବି ସଭାମଞ୍ଚରେ ଦ୍ରୋପଦୀଙ୍କ ଉଦାହରଣ ଦେଇଥିଲେ । ସେପଟେ କାଳେ ଆଦିବାସୀ ଭୋଟ୍ ବିଜେପି ଖାତାକୁ ଚାଲିଯିବ, ସେଥିପାଇଁ ବିଜେଡି ଗତକାଲି ସାରା ରାଜ୍ୟରେ ଧୁମ୍‌ଧାମରେ ପାଳନ କରିଥିଲା ଆଦିବାସୀ ଦିବସ । ଖାଲି ସେତିକି ନୁହେଁ ଦିନକ ପରେ ରାଷ୍ଟ୍ରପତିଙ୍କ ଜନ୍ମମାଟି ମୟୂରଭଂଜ ଗସ୍ତରେ ଯାଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟ ରାଜନୀତି ଫୋକସ୍‌ରେ ଜନଜାତି ଭୋଟ୍‌ବ୍ୟାଙ୍କ । ଏହି ବର୍ଗର ଭୋଟରଙ୍କୁ ହାତରେ ରଖିବାକୁ କ୍ଷମତାଶୀନ ବିଜେଡି ଓ ବିଜେପି ଭିତରେ ପ୍ରତିଯୋଗିତା ।  କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସମୟରେ ତାଙ୍କୁ ସ୍ୱାଗତ ପାଇଁ ଆଗରେ ରହିଥିଲେ ଜନଜାତି କଳାକାର । ଭୁବନେଶ୍ୱର ଏୟାରପୋର୍ଟଠୁ ନେଇ  ଦଳୀୟ କାର୍ଯ୍ୟାଳୟ ଯାଏଁ, ସବୁଠି ଆଦିବାସୀଙ୍କ ପାରଂପରିକ ବାଦ୍ୟ ଓ ନାଚଗୀତରେ ଶାହଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏମିତିକି ମଂଚ ଉପରେ ମଧ୍ୟ ଜନଜାତି ସଂପ୍ରଦାୟକୁ ସମ୍ବର୍ଦ୍ଧିତ କରିଥିଲେ ଶାହ ।

ସେପଟେ ବିଶ୍ୱ ଆଦିବାସୀ ଦିବସରେ ବିଜେଡି କାର୍ଯ୍ୟାଳୟରେ ଗୋଟିଏ ପଟେ ସଭା, ଅନ୍ୟପଟେ ପାରମ୍ପରିକ ନାଚଗୀତ । ମନ୍ତ୍ରୀ, ବିଧାୟକମାନେ ଆଦିବାସୀଙ୍କ ସହ ତାଳ ଦେଇ ଝୁମିଥିଲେ ମଂଚ ଉପରେ । କେବଳ ରାଜଧାନୀ ନୁହେଁ, ରାଜ୍ୟର ସବୁ ଜିଲ୍ଲାରେ ବଡ଼ ଧୁମ୍‌ଧାମରେ ଗତକାଲି ବିଜେଡି ପାଳନ କରିଛି ଆଦିବାସୀ ଦିବସ ।

ଓଡିଶାର ଜନଜାତି ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହେବା ପରେ ଉଭୟ ବିଜେପି ଓ ବିଜେଡିର ଆଦିବାସୀ ପ୍ରୀତି ବଢିଥିବା କୁହଯାଉଛି । ବିଜେପି ଖାତାକୁ କାଳେ ଆଦିବାସୀ ଭୋଟ୍ ଚାଲିଯିବ, ସେ ଭୟ ବିଜେଡିକୁ ଘାରିଛି । ଜନଜାତିଙ୍କ ସହ ଯେ ବିଜେଡି ରହିଛି, ସେ ବାର୍ତ୍ତା ଦେବାକୁ ବିଭିନ୍ନ କାର୍ଯ୍ୟକ୍ରମରେ ମାତିଛି ଦଳ । ତେବେ କାହିଁକି ଜନଜାତି ଭୋଟ୍ ଉପରେ ଏତେ ଫୋକସ୍? କାରଣ, ରାଜ୍ୟ ଜନସଂଖ୍ୟାର ୨୩ ପ୍ରତିଶତ ହେଉଛନ୍ତି ଆଦିବାସୀ । ଓଡ଼ିଶାର ୩୩ଟି ବିଧାନସଭା ଓ ୫ଟି ଲୋକସଭା ଆସନ ଜନଜାତି ବା ଏସ୍‌ଟି ପାଇଁ ସଂରକ୍ଷିତ । 

ସେପଟେ ମୟୂରଭଂଜର ରାଇରଙ୍ଗପୁରରୁ ରାଇସିନା ହିଲ୍‌କୁ ଦ୍ରୌପଦୀ ଯିବା ପରେ ମୟୁରଭଂଜ ଉପରେ ଏବେ ସ୍ୱତନ୍ତ୍ର ଫୋକସ୍ । ଆଗକୁ ପ୍ରଧାନମନ୍ତ୍ରୀ ମୋଦି ମୟୂରଭଂଜ ଗସ୍ତରେ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ ଗତ ସଧାରଣ ନିର୍ବାଚନରେ ବିଜେଡି ମୟୂରଭଂଜ ଜିଲ୍ଲାରେ ସେତେଟା ଭଲ ପ୍ରଦର୍ଶନ କରିନଥିଲା, ଆଉ ଗତ ପଂଚାୟତ ନିର୍ବାଚନରେ ଏଠାରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ହୋଇଛି । ଏଭଳି ସ୍ଥିତିରେ ଆସନ୍ତା ଶୁକ୍ରବାର ମୟୁରଭଂଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାସଗୋବିନ୍ଦପୁର ବ୍ଲକର ଟିକପଦାଠାରେ ସବୁର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଓ କରଞ୍ଜିଆ ହାତୀବାରୀଠାରେ ଦେଓପ୍ରକଳ୍ପର ଲୋକାର୍ପଣ କରିବେ ନବୀନ । ଏହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।   

ଦ୍ରୌପଦୀ ମୁର୍ମୁ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା ପର ଠାରୁ ଶ୍ରେୟ ନେବାକୁ ଭରପୁର ଉଦ୍ୟମ କରିଥିଲା ବିଜେଡି । ଦ୍ରୌପଦୀଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବା ପ୍ରସଙ୍ଗ ହାଇଲାଇଟ୍ କରିବା ସହ ଉପରେପଡ଼ି ଅନ୍ୟଦଳକୁ ବି ସମର୍ଥନ ମାଗିଥିଲା । ସେଇ ଦିନଠୁ ଜଣାପଡୁଥିଲା ଏସବୁ କେବଳ ଆଦିବାସୀ ଓ ମହିଳା ଭୋଟ ଯେମିତି ପ୍ରଭାବିତ ନହେବ, ସେଥିପାଇଁ ପ୍ରଚେଷ୍ଟା । ଆଗକୁ ଏ ଭୋଟ୍ କାହା ପାଖରେ ରହୁଛି ତା ଉପରେ ନଜର ରହିବ ।

ରିପୋର୍ଟର- ଆର୍ତ୍ତତ୍ରାଣ ପ୍ରଧାନ, ନିରଞ୍ଜନ ରେଡ୍ଡି, ହରିହର ଚାନ୍ଦ