• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉନ୍ମତକାଣ୍ଡ । ଯାହାକୁ ନେଇ ତୀବ୍ର ହେଉଛି ରାଜନୀତି । ସବୁ ଜିଲ୍ଲାରେ ତେଜୁଛି ବିରୋଧୀଙ୍କ ସ୍ୱର । ବିଜେପି ଦେଲା ବଡ଼ ଚେତାବନୀ । ସୋମବାରଠାରୁ ହେବ ସତ୍ୟାଗ୍ରହ । ରାଜ୍ୟର ସବୁ ସହରାଞ୍ଚଳରେ ବିରୋଧୀ ବିଜେପି କରିବ ଜୋରଳଦାର ସତ୍ୟାଗ୍ରହ । ସବୁ ବ୍ଲକ୍‌ ଓ ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ମୁହଁରେ କଳାପଟି ବାନ୍ଧି ବିଜେପି କରିବ ପ୍ରତିବାଦ । ଏଭଳି ଚେତାବନୀ ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ସେ ବିଧାୟକଙ୍କ ଏଭଳି କାଣ୍ଡକୁ ତୀବ୍ର ନିନ୍ଦା କରିବା ସହ ସତ୍ୟାଗ୍ରହର ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବର୍ବରତାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି । ପ୍ରଶାନ୍ତ ଜଗଦ୍ଦବେଙ୍କୁ ଦଳରୁ ବହିଷ୍କାର କରିବ ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ ଦାବି କରିଛନ୍ତି । ବିଧାୟକ ମଦ ପିଇ ଗାଡ଼ି ଚଳାଇବା ସହ ବିଜେପି କର୍ମୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ଖାଲି ଏତିକି ନୁହେଁ ବିଧାୟକଙ୍କ ଦବଙ୍ଗଗିରି ବାରମ୍ବାର ସାମନାକୁ ଆସୁଥିଲେ ହେଁ ବିଜେଡି ତାଙ୍କୁ କାହିଁକି ବହିଷ୍କାର କରିନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସଚୂନାଯୋଗ୍ୟ, ଗତକାଲି ଶାସକ ଦଳର ମୁଖପାତ୍ର କହିଥିଲେ ପ୍ରଶାନ୍ତଙ୍କୁ ନିଲମ୍ବନ କରାଯାଇଛି । ହେଲେ ବାସ୍ତବରେ ତାହା ହୋଇଥିବା ଭଳି ଲାଗୁନଥିଲା । ନିଲମ୍ବନ ସତ୍ତ୍ୱେ ପ୍ରଶାନ୍ତ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ । ପୂର୍ବରୁ ବୌଦ୍ଧରେ ବିଜେପି କର୍ମୀଙ୍କୁ ମାଡ଼ ମାରିବା ସହ ଚିଲିକାରେ ଦଳିତ ଯୁବକଙ୍କୁ ମାଡ଼ ମାରିଥିଲେ ଓ ଜଣେ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ ପ୍ରଶାନ୍ତ ଜଗଦ୍ଦେବ । ଏହାପରେ ବି ଦଳରୁ ବହିଷ୍କାର ନ କରି ତାଙ୍କୁ ବିଜେଡି ପ୍ରଶ୍ରୟ ଦେଉଥିଲା ବୋଲି ସମ୍ବିତ ଅଭିଯୋଗ କରିଛନ୍ତି ।

ପଶ୍ଚିମବଙ୍ଗରେ ଯେମିତି ବିଜେପି କର୍ମୀମାନଙ୍କୁ ମାରିଦେବକୁ ଉଦ୍ୟମ ହେଉଛି, ଏଠି ଓଡ଼ିଶାରେ ବି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରାଯାଉଛି । ଚିଲିକା ବାଣପୁରରେ ବିଜେପି ଜିତୁଥିବା ଜାଣି ବିଧାୟକ ଫ୍ରଷ୍ଟ୍ରେସନରେ ନିର୍ବାଚନକୁ ବନ୍ଦ କରିବାକୁ ଚାହୁଁଥିଲେ । ଆଉ ଏହିସବୁ କରିବା ପାଇଁ ବିଜେଡି ତାଙ୍କୁ ଉତ୍ସାହିତ କରିବା ପରି ଲାଗୁଛି । ଏହା ପୂର୍ବରୁ ସକାଳେ ଭୁବନେଶ୍ୱରରେ ପହଞ୍ଚିବା ପରେ ସମ୍ବିତ କହିଥିଲେ ଜଗଦ୍ଦେବଙ୍କ ଯୋଗୁଁ ପୂରା ଭାରତରେ ଓଡ଼ିଶାର ଛବି ମଳିନ ହୋଇଛି ।