• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହାରାଷ୍ଟ୍ର ମହାଅଘାଡି ସରକାର ପାଇଁ ଘାତକ ହେଲା କି ନିକଟରେ ଶେଷ ହୋଇଥିବା ରାଜ୍ୟସଭା ଓ ବିଧାନ ପରିଷଦ ନିର୍ବାଚନ ? କାରଣ ଉଭୟ ନିର୍ବାଚନର ଫଳାଫଳ ପ୍ରକାଶ ସହ ପଦାକୁ ଦିଶିଥିଲା ମହାଅଘାଡିରେ ଫାଟ । ରାଜ୍ୟସଭା ନିର୍ବାଚନରେ ରାଜ୍ୟର ଷଷ୍ଠ ପ୍ରାର୍ଥୀଙ୍କୁ ନେଇ ହୋଇଥିଲା କଡ଼ା ଟକ୍କର । ତେବେ ସଂଖ୍ୟା ନଥିବା ସତ୍ତ୍ୱେ ବିଜେପି ପ୍ରାର୍ଥୀ ଧନଞ୍ଜୟ ମହାଦିକ୍‌ଙ୍କ ବିଜୟ, ମେଣ୍ଟରେ ଅସନ୍ତୋଷ ଦାନା ବାନ୍ଧୁଥିବା ଇଙ୍ଗିତ କରିଥିଲା । କିଛି ମେଣ୍ଟ ବିଧାୟକଙ୍କ କ୍ରସ୍ ଭୋଟିଂ ଧନଞ୍ଜୟଙ୍କ ବିଜୟର ପଥ ସୁଗମ କରିଥିଲା ।

ତେବେ ଦୁଇ ଦିନ ତଳେ ସରିଥିବା ବିଧାନ ପରିଷଦ ନିର୍ବାଚନରେ ୧୦ଟି ଆସନରୁ ବିଜେପି ୫ଟି ଅକ୍ତିଆର କରିବା ପରେ ମହାଅଘାଡ଼ି ବିପର୍ଯ୍ୟୟ ମୁହାଁ ହୋଇଥିବା ସ୍ପଷ୍ଟ ହୋଇଯାଇଥିଲା । ଫଳାଫଳ ଘୋଷଣା ହେବାର ମାତ୍ର କିଛି ଘଣ୍ଟା ପରେ ବିଦ୍ରୋହ ଘୋଷଣା କରିଥିଲେ ବରିଷ୍ଠ ମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ସମର୍ଥକ । ସାଂସଦ ସଂଜୟ ରାଉତଙ୍କ ସହ ତୀବ୍ର ମତଭେଦ ଓ ଉଭୟ ନିର୍ବାଚନରେ ଏକ ଘରିକିଆ ହେବା ପରେ ଏକନାଥ କ୍ଷୁବ୍ଧ ହୋଇଥିବା କୁହାଯାଉଛି ।

ବିଦ୍ରୋହୀଙ୍କ ସହ କୌଣସି ସାଲିସ କରାଯିବନି ବୋଲି ସଂଜୟ ରାଉତ୍ ପ୍ରଥମେ ବାହାସ୍ଫୋଟ ମାରିଥିଲେ । ତେବେ ପାଦ ତଳୁ ମାଟି ଖସୁଥିବା ଜାଣି ନିଜେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସୁରଟ ହୋଟେଲରେ ରହୁଥିବା ଏକନାଥଙ୍କ ସହ କଥା ହୋଇଥିଲେ । ସେହିପରି ଏକନାଥଙ୍କୁ ଜଣେ ସଚ୍ଚା ଶିବ ସୈନିକ ଭାବେ ଅଭିହିତ କରିବା ସହ ତାଙ୍କ ସହ ଦେଢ ଘଣ୍ଟା ଧରି କଥା ହୋଇଥିଲେ ସଂଜୟ ରାଉତ୍ । ଏହାସତ୍ତ୍ୱେ ଆଭିମୁଖ୍ୟରେ ଅଟଳ ରହିଛନ୍ତି ଏକନାଥ । ସେ ଓ ତାଙ୍କ ସମର୍ଥକ ବାଲା ସାହେବ ଠାକ୍‌ରେଙ୍କ ହିନ୍ଦୁତ୍ୱ ଏଜେଣ୍ଡାକୁ ଆଗେଇ ନେବା ଲାଗି କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ସେପଟେ ସୁରଟରୁ ଯାଇ ଗୁଆହାଟିରେ ପହଞ୍ଚିଥିବା ଶିବସେନା ବିଧାୟକଙ୍କୁ ଆଜି ସଂଧ୍ୟା ୫ଟାରେ ଉଦ୍ଧବଙ୍କ ବାସବଭନରେ ହେବାକୁ ଥିବା ବୈଠକରେ ଯୋଗ ଦେବାକୁ କୁହାଯାଇଥିଲା । ତେବେ ବିଦ୍ରୋହୀ ବିଧାୟକମାନେ ଏକନାଥଙ୍କୁ ନିଜ ନେତା ମାନି ପ୍ରସ୍ତାବ ପାରିତ କରିଥିବା ବେଳେ ସେମାନଙ୍କୁ ଦଳୀୟ ସମନ ବେଆଇନ ବୋଲି କହିଛନ୍ତି । ବିରୋଧୀ ବିଧାୟକ, ଉଦ୍ଧବ ସରକାର ଉପରେ ଦୁର୍ନୀତିକୁ ନେଇ ସଂଗୀନ ଅଭିଯୋଗ ଲଗାଇଛନ୍ତି ।

ଗୃହମନ୍ତ୍ରୀ ଅନିଲ ଦେଶମୁଖ ଓ ମନ୍ତ୍ରୀ ନଓ୍ୱାବ୍ ମଲ୍ଲିକ ଜେଲ୍ ଯିବା, ସରକାରର ଛବି ଖରାପ କରିଥିବା କହିଛନ୍ତି ସିନ୍ଦେ ଆଣ୍ଡ କୋ । ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢିଥିବା ଶିବସେନା, କଂଗ୍ରେସ ଓ ଏନସିପି ସହଯୋଗରେ ସରକାର ଗଢିବା ପରେ ଭୋଟରଙ୍କୁ ଭୁଲ ସିଗ୍ନାଲ ଯାଇଛି । ଉଭୟ ମେଣ୍ଟ ସହଯୋଗୀଙ୍କ ଆଭିମୁଖ୍ୟ ଶିବସେନାଠାରୁ ସଂପୂର୍ଣ୍ଣ ଓଲଟା ହୋଇଥିବାରୁ ଦଳୀୟ ନେତା ଓ କର୍ମୀଙ୍କୁ ନିନ୍ଦିତ ହେବାକୁ ପଡିବା ସହ ବାଲ୍ ଠାକ୍‌ରେଙ୍କ ହିନ୍ଦୁତ୍ୱ ବିଚାରଧାରା ପ୍ରତି କୁଠାରଘାତ ହୋଇଥିବା ବିଦ୍ରୋହୀ କହିଛନ୍ତି ।