Advertisment

୪ ମାସିଆ ଟାସ୍କ ଦେଇଗଲେ ଶାହ; ପୂରଣ କରିବାକୁ ଜୋରଦାର୍‌ କସରତ

ଶାହଙ୍କ ଟାସ୍କକୁ କାର୍ଯ୍ୟକାରୀ କରିବା ପାଇଁ ବିଜେପିର କସରତ । ୪ ମାସିଆ ପ୍ଲାନକୁ ନେଇ ଆଗକୁ ବଢ଼ିବାକୁ ପଦ୍ମ ଦଳର ସଜବାଜ । ଶାହଙ୍କ ପରାମର୍ଶ- ରାଜଧାନୀର ନ ବସି ଗାଁକୁ ଯାଅ ।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Amit Shah

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଫେରିଯିବା ପରେ ଓଡ଼ିଶା ବିଜେପିର ଚିନ୍ତା, କେମିତି ସେ ଦେଇଥିବା ଟାସ୍କକୁ ସଫଳତାର ସହ କାର୍ଯ୍ୟକାରୀ କରାଯିବ। କେଉଁ କେଉଁ ପ୍ରସଙ୍ଗରେ ରାଜ୍ୟ ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ କରିବ ଦଳ ? ବୁଥ୍ କମିଟି ଗଠନ କାମ ଶୀଘ୍ର ସାରିବାକୁ ବି କୁହାଯାଇଛି । ତେବେ ଶାହଙ୍କ ଗସ୍ତରୁ ପାଇଥିବା ବଳ, ଆଗାମୀ ନିର୍ବାଚନରେ ସଫଳତା ଆଣିଦେବ ବୋଲି ଆଶା ରଖିଛି ପଦ୍ମ ଦଳ । ଅନ୍ୟପକ୍ଷରେ ବିଜେଡି କହିଛି, ଶାହଙ୍କ ଗସ୍ତର କୌଣସି ପ୍ରଭାବ ଓଡ଼ିଶାରେ ନାହିଁ ।

Advertisment

ଶାହଙ୍କ ଟାସ୍କକୁ କାର୍ଯ୍ୟକାରୀ କରିବା ପାଇଁ ବିଜେପିର କସରତ । ୪ ମାସିଆ ପ୍ଲାନକୁ ନେଇ ଆଗକୁ ବଢ଼ିବାକୁ ପଦ୍ମ ଦଳର ସଜବାଜ । ଶାହଙ୍କ ପରାମର୍ଶ- ରାଜଧାନୀର ନ ବସି ଗାଁକୁ ଯାଅ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପରେ ଉତ୍ସାହିତ ବିଜେପି କ୍ୟାମ୍ପ । ସେ ଯିବା ପରେ ପରେ ଆରମ୍ଭ ହୋଇଯାଇଛି ଦଳୀୟ ବୈଠକ । ଆଜି ରାଜ୍ୟ ବିଜେପି ଅଫିସ୍‌ରେ ଭଦ୍ରକ, ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାର ଲୋକସଭା ପ୍ରବାସ କ୍ଲଷ୍ଟର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସେପଟେ ବିଜେଡି-ବିଜେପି ସଂପର୍କ ନେଇ ଶାହ ବି ସଫାସଫା କହିଯାଇଛନ୍ତି କାହା ମନରେ କୌଣସି ଦ୍ୱନ୍ଦ୍ୱ ରହିବା କଥା ନୁହେଁ । ଜୋରଦାର ଲଢେଇ ପାଇଁ ପ୍ରସ୍ତୁତ ହୁଅ । ସଂଗଠନକୁ ସୁଦୃଢ଼ କରି, ଏହାକୁ ଟପ୍ ଲେବେଲ୍‌କୁ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଅଗଷ୍ଟ ଶେଷ ସୁଦ୍ଧା ବୁଥ୍ କମିଟି ଗଠନ ପ୍ରକ୍ରିୟା ସାରିବାକୁ କୁହାଯାଇଛି ।

Advertisment

କମିଟି ସଦସ୍ୟମାନେ ଜନସଂପର୍କ କରିବେ । ପ୍ରତ୍ୟେକ ଭୋଟରକୁ ଛୁଇଁବା ସହିତ ପ୍ରତି ପରିବାର ସହ ଯୋଡି ହେବାକୁ କୁହାଯାଇଛି । ଯେଉଁମାନେ ନିର୍ବାଚନ ଲଢିବେ, ସେମାନେ ନିଜ ନିଜ କ୍ଷେତ୍ରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୋଦି ସରକାରଙ୍କ ୯ ବର୍ଷର ସଫଳତାର କଥା ଓ ୟୁପିଏ ସରକାର ସମୟର ଘୋଟାଲା କଥା ଲୋକଙ୍କ ପାଖରେ ପହଞ୍ଚାଇବାକୁ କୁହାଯାଇଛି ।

ସେହିପରି ରାଜ୍ୟ ସରକାରଙ୍କ ବିଫଳତା ଲୋକଙ୍କ ପାଖରେ ରଖ । ରାଜଧାନୀରେ ନବସି ଗାଁକୁ ଯାଅ ଏବଂ ସ୍ଥାନୀୟ ଅଂଚଳର ସମସ୍ୟା ଉଠାଇବାକୁ କର୍ମୀ ଓ ନେତାମାନଙ୍କୁ ନିର୍ଦ୍ଦେଶ ମିଳିଛି । ସେପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ରାଜ୍ୟ ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ ହେବ। ଜବାବରେ ବିଜେଡି କହିଛି ସେମାନେ ତାଙ୍କ କାମ କରିବେ, ବିଜେଡି ତା କାମ କରିବ।

ଅମିତ ଶାହଙ୍କୁ ବିଜେପିର ଚାଣକ୍ୟ କୁହାଯାଏ । ତାଙ୍କ ବୁଥ୍ ମ୍ୟାନେଜମେଣ୍ଟ ଷ୍ଟ୍ରାଟେଜି ବେଶ୍ ଉଚ୍ଚ କୋଟିର। ତେଣୁ ଶାହ ଦେଇଥିବା ଚାରି ମାସିଆ ରୋଡମ୍ୟାପକୁ ସଫଳତାର ସହ କାର୍ଯ୍ୟକାରୀ କରିବା ଟିମ୍ ମନମୋହନଙ୍କ ପାଇଁ ବଡ଼ ଚ୍ୟାଲେଂଜ ହେବ । ଆଗକୁ ନିର୍ବାଚନ ଅଛି, ତେଣୁ ଏବେଠୁ ସରକାର ବିରୋଧୀ ମାହୋଲ ବନାଇ ଲୋକଙ୍କ ନିକଟତର ହେବା ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ମଧ୍ୟ ରାଜ୍ୟ ବିଜେପିକୁ ସୁଦୃଢ଼ କରିବାକୁ ଟିପସ ଦେଇଥିଲେ। ଏବେ ଶାହଙ୍କ ଗୁରୁମନ୍ତ୍ର କାର୍ଯ୍ୟକାରୀ କରିବା ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ।

ଗୋଟିଏ ପଟେ ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ଶାହଙ୍କ ମନ୍ତ୍ର ବିଜେପିକୁ ସଫଳତା ଆଣିବାରେ କେତେ ସହାୟକ ହେବ ତା’ଉପରେ ନଜର ରହିବ ।

Amit Shah BJP Odisha Politics
Advertisment
Advertisment