Advertisment

‘ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିଲମ୍ବିତ କର, AIIMS ପଠାଇ ଚିକିତ୍ସା କର’

ମୁଖ୍ୟ ପ୍ରଶାସକ ରଖିଥିବା ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ । ସେ କହିଛନ୍ତି, ସରକାରଙ୍କ ଜିଦି ନବାବ ହୁସେନଙ୍କ ଜିଦିକୁ ବଳିଗଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Taraprasad Bahinipati

Taraprasad Bahinipati

ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ବୟସ୍କ ଓ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ବାରଣ କରାଯିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗତକାଲି ଯେଉଁ ମନ୍ତବ୍ୟ ଦେଇଥିଲେ, ତାକୁ ଉଭୟ କଂଗ୍ରେସ ଓ ବିଜେପି କଡ଼ା ନିନ୍ଦା କରିଛନ୍ତି । ଏପରିକି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାସଙ୍କୁ ନିଲମ୍ବିତ କରିବାକୁ ଦାବି କରିଛନ୍ତି କଂଗ୍ରେସର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି । ଏମସରେ ତାଙ୍କ ଚିକିତ୍ସା କରାଯାଉ ବୋଲି ସେ ବିଦ୍ରୁପ କରିଛନ୍ତି । ତାରା କହିଛନ୍ତି, ଭଗବାନଙ୍କୁ ଦର୍ଶନ କରିବାର ଅଧିକାର ସମସ୍ତଙ୍କର ଅଛି । ସେହିପରି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ କଡ଼ା ନିନ୍ଦା କରିଛନ୍ତି ।

Advertisment

ସେପଟେ ବିଜେଡିର ସୁଧୀର ସାମଲ କହିଛନ୍ତି, ଆଗରୁ ବେଶି ଲୋକ ଆସୁନଥିଲେ, ଏବେ ଅଧିକ ଲୋକ ଆସୁଛନ୍ତି । ଗହଳି ହେଉଥିବାରୁ ସରକାର ଚିନ୍ତା କରୁଛନ୍ତି କେମିତି ଭକ୍ତ ଶୃଙ୍ଖଳିତ ଦର୍ଶନ କରିବେ । କାଁ ଭାଁ ଅସୁବିଧା ହେବ । ସବୁ ନିଷ୍ପତ୍ତି ଠିକ ଭାବେ ନିଆଯାଉଥିବା ସେ କହିଛନ୍ତି ।

ସେପଟେ ମୁଖ୍ୟ ପ୍ରଶାସକ ରଖିଥିବା ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ । ସେ କହିଛନ୍ତି, ସରକାରଙ୍କ ଜିଦି ନବାବ ହୁସେନଙ୍କ ଜିଦିକୁ ବଳିଗଲା । ନବାବ ହୁସେନ, ଦାଣ୍ଡରେ କେହି ହରିନାମ ନେଇ ପାରିବେନି ବୋଲି କହିଥିଲେ। କୌଣସି ଧର୍ମ ବିରୋଧୀ ବ୍ୟକ୍ତି ମଧ୍ୟ ଏଭଳି କଟକଣା ଜାରି କରି ନଥିଲେ । କାର୍ତିକ ମାସରେ ପୁରୀକୁ ଦେଶର ବିଭିନ୍ନ ପ୍ରାନ୍ତ ଓ ବିଦେଶରୁ ଲୋକ ଜଗନ୍ନାଥ ଦର୍ଶନ ପାଇଁ ଆସନ୍ତି । ଦର୍ଶନ କରିବା ଆମ ଧାର୍ମିକ ଅଧିକାର, ସମ୍ବିଧାନ ସିଦ୍ଧ ଅଧିକାର। ଏହାକୁ ବିରୋଧ କରିବା ସମ୍ବିଧାନ ବିରୋଧୀ, ଆଇନ ବିରୋଧୀ ବୋଲି ହରିଚନ୍ଦନ କହିଛନ୍ତି ।

Advertisment

ଗତକାଲି ଶ୍ରୀମନ୍ଦିର ଆଗରେ ପ୍ରବଳ ଭିଡ଼ ଯୋଗୁଁ ବହୁ ବୟସାଧିକ ଯାତ୍ରୀ ଅସୁସ୍ଥ ହୋଇପଡିଥିଲେ। ଏହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଥିଲେ, ବୟସାଧିକ ଓ ରୋଗାକ୍ରାନ୍ତ ବ୍ୟକ୍ତି ନଆସି ଯେଉଁଠୁ ବି ଦର୍ଶନ କଲେ ଶୁଣିବେ ମହାପ୍ରଭୁ। ଏଭଳି ବ୍ୟକ୍ତିମାନେ ଗହଳି ଭିତରେ ନଆସିବା ପାଇଁ ସେ ଅନୁରୋଧ କରିଥିଲେ ।

ଅନ୍ୟପଟେ ଆଜି ପଞ୍ଚୁକ ୫ ଦିନ ଯାକ ପୁରୀ ବଡ଼ଦାଣ୍ଡରେ ଶ୍ରୀମନ୍ଦିରରୁ ମରଚିକୋଟ ଛକ ପର୍ଯ୍ୟନ୍ତ ସବୁ ଉଠା ଦୋକାନ ବନ୍ଦ କରାଯିବ । ମାର୍କେଟ ଛକରୁ ଗାଡ଼ି ଚଳାଚଳ ବନ୍ଦ କରାଯିବ। ପୁରୀ ଜିଲ୍ଲା ପ୍ରଶାସନ ଏହି ସୂଚନା ଦେଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମରକିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯିବ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଗହଳି ନିୟନ୍ତ୍ରଣ ପାଇଁ ୩ଟି ସିଫଟରେ ସ୍ୱେଚ୍ଛାସେବୀ ମୁତୟନ ହେବେ । ଭକ୍ତଙ୍କ ସୁବିଧା ପାଇଁ ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଅସ୍ଥାୟୀ ଶୌଚାଳୟ କରାଯାଇଛି । ପ୍ରତି ସେଡ୍‌ରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ପଞ୍ଚୁକରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସେପଟେ, ଆଜି ମଧ୍ୟ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କଲେ ମଧ୍ୟ ଜଗା ଦର୍ଶନ ବିଳମ୍ବ ହେଉଛି। ଲୋକଙ୍କ ସୁରକ୍ଷିତ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। କୁନି କୁନି ପିଲାଙ୍କ ସହିତ ବୃଦ୍ଧବୃଦ୍ଧା ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଛନ୍ତି। କାର୍ତ୍ତିକ ମାସରେ ଦୂରଦୂରାନ୍ତରୁ ଭକ୍ତ ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତି। ହେଲେ ସୁରୁଖୁରୁରେ ଜଗା ଦର୍ଶନ ପାଇଁ କୌଣସି ବ୍ୟବସ୍ଥା ନଥିବା କହିଛନ୍ତି ଭକ୍ତ ।

Lord Jagannath Taraprasad Bahinipati Puri Srimandir
Advertisment
Advertisment