/odishatv-khabar/media/post_attachments/uploadimage/library/16_9/16_9_0/politics_1753965438.jpg)
politics
ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ପନୀରସେଲଭମ୍ (ଓପିଏସ୍) ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ. କେ. ଷ୍ଟାଲିନଙ୍କୁ ମର୍ଣ୍ଣିଂ ୱାକରେ ଭେଟିବା ପରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ରୁ ଓହରିଯାଇଛନ୍ତି । ତାମିଲନାଡୁରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣା । ବିଶେଷକରି ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ଦୃଷ୍ଟିରୁ ଏହା ବହୁତ ଗୁରୁତ୍ୱ ବହନ କରୁଛି ।
ଓ. ପନୀରସେଲଭମ୍ AIADMK ରୁ ଏକାଧିକ ଥର ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । AIADMK ରୁ ବହିଷ୍କୃତ ହେବା ପରେ ସେ ନିଜର ଏକ ସ୍ୱତନ୍ତ୍ର ଗୋଷ୍ଠୀ ଗଠନ କରିଥିଲେ। ସେ ବିଜେପି ନେତୃତ୍ୱାଧୀନ NDA ମେଣ୍ଟରେ ଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ତଥା DMK ସଭାପତି ଏମ. କେ. ଷ୍ଟାଲିନଙ୍କୁ ସେ ସକାଳୁଆ ବୁଲାରେ ଭେଟିବା ପରେ ଏହି ମେଣ୍ଟରୁ ଓହରିଯିବାର ନିଷ୍ପତ୍ତି ନେଇଛନ୍ତି । ଏହି ଘଟଣା ରାଜ୍ୟ ରାଜନୀତିରେ ନୂଆ ମେଣ୍ଟ ଗଠନ ଏବଂ ରାଜନୈତିକ ପୁନର୍ଗଠନର ସମ୍ଭାବନା ନେଇ ଚର୍ଚ୍ଚା ସୃଷ୍ଟି କରିଛି।
ଏନଡିଏରୁ ଓହରିବା ସଂପର୍କରେ ପନୀରସେଲଭମ୍ଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ମନ୍ତ୍ରୀ ପାନରୁତି ଏସ. ରାମଚନ୍ଦ୍ରନ ଘୋଷଣା କରିଛନ୍ତି । ସେ କହିଛନ୍ତି , “ଆମେ NDA ସହ ମେଣ୍ଟ ଭାଙ୍ଗୁଛୁ।” ସେ ଆହୁରି ମଧ୍ୟ କହିଥିଲେ ଯେ ପନୀରସେଲଭମ୍ ଶୀଘ୍ର ରାଜ୍ୟବ୍ୟାପୀ ଗସ୍ତ ଆରମ୍ଭ କରିବେ । ୨୦୨୬ ନିର୍ବାଚନ ପୂର୍ବରୁ ରାଜନୈତିକ ରଣନୀତିର ଏହା ଏକ ଅଂଶ ହୋଇପାରେ। ଏନଡିଏରେ ସେ ଗୁରୁତ୍ୱ ପାଉନଥିବା ସଂପର୍କରେ ଆଗରୁ ନିଜର ଅସନ୍ତୋଷ ଝାଡିଥିଲେ ।
ପନୀରସେଲଭମ୍ ନିକଟରେ କେନ୍ଦ୍ର ସରକାରଙ୍କୁ ‘ସମଗ୍ର ଶିକ୍ଷା’ କାର୍ଯ୍ୟକ୍ରମ ଅଧୀନରେ ତାମିଲନାଡୁ ପାଇଁ ଅର୍ଥ ମଞ୍ଜୁର ନ କରିବା ନେଇ ସମାଲୋଚନା କରିଥିଲେ। ଏହାକୁ ସେ “ସମବାୟ ସଙ୍ଘୀୟତା ଏବଂ ଶିକ୍ଷା ଅଧିକାର ଆଇନର ବିରୋଧୀ” ବୋଲି ବର୍ଣ୍ଣନା କରିଥିଲେ ।
ତେବେ ଏଆଇଡିଏମକେରୁ ବହିଷ୍କୃତ ହେବା ପରେ ସେ ନିଜର ସଂଗଠନ ହରାଇଥିଲେ । ଆଗ ଭଳି ତାଙ୍କ ପାଖକୁ ଏତେ ଲୋକ ଆସୁନଥିଲେ । ବିଭିନ୍ନ ମହଲରୁ କୋଣଠେସା ହେବା ପରେ ସେ ଏବେ ଏକ ନୂଆ ଚାଲ୍ ଖେଳିଥିବାର ମଧ୍ୟ ଚର୍ଚ୍ଚା ହେଉଛି । ଏବେ DMK ବା ଅନ୍ୟ ଦଳମାନଙ୍କ ସହ ତାଙ୍କ ଗୋଷ୍ଠୀର ନୂଆ ମେଣ୍ଟ ଗଠନର ସମ୍ଭାବନା ରହିଛି । ପନୀରସେଲଭମ୍ ଏପର୍ଯ୍ୟନ୍ତ କୌଣସି ଦଳ ସହ ଆନୁଷ୍ଠାନିକ ମେଣ୍ଟ ଘୋଷଣା କରିନାହାନ୍ତି। ସେ ଅଭିନେତା ବିଜୟଙ୍କ ଦଳ ତାମିଲଗା ଭେଟ୍ରି କଜ଼ଗମ (TVK) ସହ ମେଣ୍ଟ ସମ୍ପର୍କରେ ସୂଚନା ଦେଇଛନ୍ତି । କହିଛନ୍ତି, “ସମୟ ସବୁ କହିଦେବ।” ୨୦୨୬ ବିଧାନସଭା ନିର୍ବାଚନରେ DMK ଏବଂ AIADMK ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବାକୁ ଥିବା ବେଳେ ପନୀରସେଲଭମ୍ ଡିଏମକେ ପଟକୁ ଢ଼ଳି ପାରନ୍ତି