• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadhin Kumar Rout

ନବୀନଙ୍କ ମନ୍ତ୍ରିମଣ୍ଡଳର ହୋଇଛି ନବକଳେବର। ନବୀନ ପ୍ରଥମେ ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ କହିଲେ, ଆଉ ତା’ପରେ ୯ ଜଣ ମନ୍ତ୍ରୀଙ୍କୁ ପୁଣି ରିପିଟ୍ କଲେ ନିଜ ଟିମ୍‌ରେ। ତେବେ ନବୀନଙ୍କ ଏହି ନିଷ୍ପତ୍ତି କେଉଁଠି ନା କେଉଁଠି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. କାମରାଜଙ୍କ ଫର୍ମୁଲାକୁ ମନେପକାଇ ଦେଉଛି।

କେ. କାମରାଜ ତାମିଲନାଡୁର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଥିଲେ। ଲଗାତର ୩ ଥର ବିଜୟ ପରେ ଦିନେ ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରଙ୍କୁ ଭେଟି କାମରାଜ କହିଲେ ଯେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସଂଗଠନ ଦାୟିତ୍ୱ ନେବାକୁ ଚାହୁଁଛନ୍ତି। କାରଣ ଦିନକୁ ଦିନ ଦଳ ଦୁର୍ବଳ ହେଉଛି, ଆଉ ନେତାମାନେ କ୍ଷମତାଲିପ୍‌ସୁ ହେଉଛନ୍ତି। ସେତେବେଳେ ପଣ୍ଡିତ ନେହରୁଙ୍କୁ ଏହି କଥା ଟିକେ ଅଡୁଆ ଲାଗିଥିଲା। ହେଲେ ପରେ କେବଳ କାମରାଜ କାହିଁକି, ଏହାକୁ ଏକ ଫର୍ମୁଲା କରି ସାରା ଦେଶରେ ଲାଗୁ କରିବାକୁ ଚାହିଁଲେ ପଣ୍ଡିତ ନେହରୁ।

କାମରାଜଙ୍କ ଏହି ପ୍ଲାନ୍‌ ଯୋଗୁଁ ସେତେବେଳେ ୬ ଜଣ ମୁଖ୍ୟମନ୍ତ୍ରୀ ଏବଂ ୬ ଜଣ କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ପଦ ହରାଇଥିଲେ। ଏହା ଭିତରେ ଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ।

କଂଗ୍ରେସରେ ଏହି ଫର୍ମୁଲାକୁ ନେଇ ବହୁ ଘଣ୍ଟା ଚକଟା ମଧ୍ୟ ହୋଇଥିଲା। ଚର୍ଚ୍ଚା ହେଲା ଯେ ନେହରୁ ତାଙ୍କ ଝିଅ ଇନ୍ଦିରାଙ୍କୁ ଉତ୍ତରାଧିକାରୀ କରିବା ପାଇଁ ଏହି ପ୍ଲାନ୍‌ ରଚିଛନ୍ତି। ତେବେ କାମରାଜଙ୍କ ଏହି ପ୍ଲାନ୍‌କୁ ପରବର୍ତ୍ତି ସମୟରେ ଅନେକ ଦଳ ଆପଣାଇ ବହୁଦିନ ଧରି ଥିବା ନେତାଙ୍କୁ ସଂଗଠନକୁ ପଠାଇଛନ୍ତି ଆଉ ସଂଗଠନରେ ଥିବା ନେତାଙ୍କୁ ମନ୍ତ୍ରୀ କରିଛନ୍ତି। ଏଇ କିଛିଦିନ ତଳେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନ ମୋହନ ରେଡ୍ଡି ଏହି କାମରାଜ ପ୍ଲାନ୍‌ ଆପଣାଇଥିଲେ। ଏକାଥରେ ୧୩ ଜଣ ମନ୍ତ୍ରୀଙ୍କୁ ହଟାଇ ନୂଆ ନେତାଙ୍କୁ ସ୍ଥାନ ଦେଇଥିଲେ।

ନବୀନ ପଟ୍ଟନାୟକ ମଧ୍ୟ ଠିକ ସେହିଭଳି କାମରାଜ ପ୍ଲାନ୍‌ ଆପଣେଇଥିବା ଚର୍ଚ୍ଚା ହେଉଛି। ଓଡ଼ିଶା ରାଜନୀତିରେ ପ୍ରଥମ ଥର ପାଇଁ ରାଜ୍ୟ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ କୁହାଗଲା। ନବୀନଙ୍କ କଥା ମାନି ସବୁ ମନ୍ତ୍ରୀ ଇସ୍ତଫା ଦେଲେ। ପରେ ମନ୍ତ୍ରିମଣ୍ଡଳକୁ ୯ ମନ୍ତ୍ରୀ ଫେରିଥିବା ବେଳେ, ଯେଉଁମାନଙ୍କୁ ନେଇ ରାଜ୍ୟ ରାଜନୀତିରେ ତମ୍ବି ତୁଫାନ ହେଉଥିଲା ସେମାନେ ଆଉ ଫେରିଲେନି। ତେବେ ନବୀନ ଲୟାଲିଷ୍ଟ୍‌ ଏବଂ କ୍ଷମତାକେନ୍ଦ୍ର ନିକଟତର ଲୋକଙ୍କୁ ନେଇ ଗଠନ ହୋଇଛି ନୂଆ ମନ୍ତ୍ରିମଣ୍ଡଳ।

କାମରାଜ୍‌ ପ୍ଲାନ୍‌ରେ ଯେପରି ଏକାଥରକେ ଏତେ ସଂଖ୍ୟାର ମନ୍ତ୍ରୀଙ୍କୁ ବାହାର କରାଯାଇ ଦଳୀୟ ସଗଠନ କାର୍ଯ୍ୟରେ ଲଗାଗଲା, ଠିକ ସେହିପରି ଓଡ଼ିଶାରେ ମଧ୍ୟ ବହୁଦିନ ଧରି କ୍ଷମତା ଉପଭୋଗ କରୁଥିବା ମନ୍ତ୍ରୀମାନଙ୍କୁ ଦଳୀୟ ସଂଗଠନ କାର୍ଯ୍ୟରେ ଲଗାଇବା ପାଇଁ ପ୍ଲାନ୍‌ ପ୍ରସ୍ତୁତ କରିଛି ଦଳ। ଆଉ ଏନେଇ ମୁଖ୍ୟମନ୍ତ୍ରୀ ବିଦା ହୋଇଥିବା ସବୁ ମନ୍ତ୍ରୀମାନଙ୍କୁ ଡାକି ତାଙ୍କ ନିଷ୍ପତ୍ତି ଶୁଣାଇବା ସହ ଭିଜନ୍ ୨୦୨୪ ପାଇଁ ଦଳ ଲାଗି କାମ କରିବାକୁ ଆହ୍ୱାନ ଦେଇଛନ୍ତି। ତେବେ ଏହି ଫର୍ମୁଲା ଦ୍ୱାରା କାଳେ କିଛି ବରିଷ୍ଠ ମନ୍ତ୍ରୀଙ୍କ ମନରେ କ୍ଷୋଭ ସୃଷ୍ଟି ହେବ ସେଥିପାଇଁ ସବୁ ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଥିଲା।

ଏହି ଘଟଣା ଯେମିତି ଆଗକୁ ବିଦ୍ରୋହର ରୂପ ନ ନିଏ ସେଥିପାଇଁ ମୁଖ୍ୟମନ୍ତ୍ରୀ ବିଦା ହୋଇଥିବା ସବୁ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟରେ ବିରୋଧୀ ଦଳ ସଶକ୍ତ ନଥିବା ଯୋଗୁଁ ମନ୍ତ୍ରୀଙ୍କ ମନରେ କ୍ଷୋଭ ଥିଲେ ମଧ୍ୟ ଏମାନେ ସେମିତି କୌଣସି ପଦକ୍ଷେପ ନେଇ ନ ପାରନ୍ତି ବୋଲି ଆଶାବାଦୀ ଅଛନ୍ତି ନବୀନ।

ବିଗତ କିଛିଦିନ ଧରି ଚର୍ଚ୍ଚାରେ ରହି ଆସିଥିଲେ ୪ ମନ୍ତ୍ରୀ ଅରୁଣ ସାହୁ, ପ୍ରତାପ ଜେନା, କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ଏବଂ ବିକ୍ରମ କେଶରୀ ଆରୁଖ। ଅରୁଣ ସାହୁ ନୟାଗଡ଼ ପରୀ ଘଟଣା ପାଇଁ, ପ୍ରତାପ ଜେନା ମାହାଙ୍ଗା ଡବଲ ମର୍ଡର ପାଇଁ, ଦିବ୍ୟଶଙ୍କର ମିଶ୍ର ମମିତା ମେହେର ପ୍ରସଙ୍ଗରେ ଏବଂ ଏସିଏଫ୍ ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବେଶ ଚର୍ଚ୍ଚିତ ଥିଲେ ବିକ୍ରମ କେଶରୀ ଆରୁଖ।

କିଛି ମନ୍ତ୍ରୀଙ୍କ ଘଟଣା ସହ ସିଧାସଳଖ ସଂପୃକ୍ତି ଥିବା ନେଇ ଅଭିଯୋଗ ଆସିଥିଲେ ମଧ୍ୟ ଏମାନଙ୍କୁ ବରଖାସ୍ତ କଲେ କାଳେ ବିରୋଧୀ ମାଇଲେଜ୍ ନେଇଯିବେ ଭାବି କୌଣସି ଆକ୍ସନ ନେଇ ନଥିଲେ ମୁଖିଆ ନବୀନ ପଟ୍ଟନାୟକ। ନବୀନଙ୍କ ଏଭଳି ନିଷ୍ପତ୍ତି କିଛିକାଂଶରେ ଦଳ ପାଇଁ ଫାଇଦା ମଧ୍ୟ ହେଲା। ବିରୋଧୀ ଗର୍ଜନ କରି କରି ଥକିଗଲେ ମଧ୍ୟ କୌଣସି ଫଳ ହେଲାନି। ଆଉ ଏହାର ପ୍ରଭାବ ନା ପଂଚାୟତ ନା ପୌର ନିର୍ବାଚନରେ ଦେଖିବାକୁ ମିଳିଲା। ହେଲେ ଏଭଳି ଅଭିଯୋଗ ଆସିଲେ ଖୁବ ଶୀଘ୍ର ଆକ୍ସନ୍ ନେଇ ଯାଉଥିବା ନବୀନଙ୍କ ଇମେଜ୍‌କୁ ନେଇ ପ୍ରଶ୍ନ ଉଠିଲା। ନବୀନ ଆଉ ଆଗ ଭଳି ନିଷ୍ପତ୍ତି ନେଇ ପାରୁ ନାହାଁନ୍ତି ବୋଲି କୁହାଗଲା। ଶେଷରେ ପଂଚାୟତ ଏବଂ ପୌର ନିର୍ବାଚନରେ ଖରାପ ପ୍ରଦର୍ଶନ କରିଥିବା ନେତାଙ୍କୁ ମିଶାଇ ଏକ ବଡ ତାଲିକା ପ୍ରସ୍ତୁତ କରି ୧୧ ଜଣ ମନ୍ତ୍ରୀଙ୍କୁ ବିଦାକଲେ ନୀବନ।

ତେବେ ପଶ୍ଚିମ ଓଡିଶାରେ ଥିବା ବିଜେପିର ଲୋକପ୍ରିୟତାକୁ କାଉଣ୍ଟର୍‌ କରିବା ପାଇଁ ଏଥର ୭ ଜଣଙ୍କୁ ମନ୍ତ୍ରୀ କରାଯାଇଛି। ଗୋଟିଏ କଥା ହେଲା, ଦଳରେ ନିଜକୁ କ୍ଷମତା କେନ୍ଦ୍ର କହୁଥିବା ନେତାଙ୍କୁ ଚେକ୍ ଦେବା ପାଇଁ ତାଙ୍କ ବିରୋଧୀ କୁହାଯାଉଥିବା ନେତାଙ୍କୁ ମନ୍ତ୍ରୀ କରାଯାଇଛି। ଫଳରେ ନବୀନ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)