• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣିଥରେ କଂଗ୍ରେସ-ବିଜେଡି ସଂପର୍କର ଗୁମର ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ପିସିସି ସଭାପତି ଓ କଂଗ୍ରେସ ପ୍ରଭାରୀ ଚୟନକୁ ନେଇ ସୁର ଦେଇଛନ୍ତି ବିସ୍ଫୋରକ ବୟାନ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି କିଏ ହେବେ? ରାଜ୍ୟ କଂଗ୍ରେସର ପ୍ରଭାରୀ ହୋଇ କିଏ ଆସିବେ, ସେସବୁ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ନିଅନ୍ତି ବୋଲି ସୁର କହିଛନ୍ତି ।

ସବୁ ନବୀନ ପଟ୍ଟନାୟକ । ଚେଲା କୁମାରଙ୍କ ବଦଳି ବି ନବୀନଙ୍କ ପାଇଁ, ପିସିସି ଚୟନ ବି ନବୀନଙ୍କ ପାଇଁ । ଜଣେ ତ ଏବେ ନବୀନ । ଆଉ ଅନ୍ୟ କିଏ ଅଛି । ନବୀନଙ୍କ ଇଛାରେ ରାଜ୍ୟ କଂଗ୍ରେସର ମୁଖିଆ ବଦଳନ୍ତି ଓ ନିଯୁକ୍ତ ହୁଅନ୍ତି । ସେହିପରି ମେ ୭ ସୁଦ୍ଧା ନୂଆ ପିସିସି ସଭାପତି ନିଯୁକ୍ତ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ସୁର ।

ସେପଟେ ସୁରଙ୍କ ମନ୍ତବ୍ୟକୁ ହାସ୍ୟାସ୍ପଦ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ । କଂଗ୍ରେସ ଜାତୀୟ ଦଳ ହୋଇଥିବାବେଳେ ବିଜେଡି ଏକ ଆଞ୍ଚଳିକ ଦଳ । ଆଉ ଏହାର ମୁଖିଆ ନବୀନ ସବୁବେଳେ ବିଜେଡି କଥା ଚିନ୍ତା କରନ୍ତି ଓ ଓଡ଼ିଶା କଥା ଚିନ୍ତା କରନ୍ତି । ଏଣୁ ବିଜେଡି କାହା ସହ ଲିଙ୍କରେ ନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ନିକଟରେ ବିଧାନସଭା ନିର୍ବାଚନ ସରିଥିବା ୫ ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ହେବା ପରେ ଓଡ଼ିଶାରେ ବି ମଙ୍ଗୁଆଳ ବଦଳିବା ଏକ ପ୍ରକାର ନିଶ୍ଚିତ । ରାଜ୍ୟର କିଛି ନେତା କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି । ରେସ୍‌ରେ ଆଗରେ ଅଛନ୍ତି ଦଳର ଦୁଇ ବରିଷ୍ଠ ନେତା ଶରତ ପଟ୍ଟନାୟକ ଓ ଜୟଦେବ ଜେନା । ଏହା ପୂର୍ବରୁ ଶରତ ପଟ୍ଟନାୟକ ଥରେ ଓ ଜୟଦେବ ଜେନା ଦୁଇ ଦୁଇ ଥର ଏହି ଦାୟିତ୍ୱ ତୁଲାଇ ସାରିଛନ୍ତି ।