Advertisment

IAS ଙ୍କ ପରେ ଗାଦିମଡ଼ା OAS ଙ୍କ ଖୋଲୁଛି ଗୁମର: ଚାଟୁକାରିତା କରି ଗୋଟିଏ ଜାଗାରେ ବର୍ଷବର୍ଷ

ଲୋକସେବା ଭବନରେ ଓଏଏସ୍ ରାଜ୍। ଗାଦି ମାଡ଼ି ବସିଛନ୍ତି ଗଣ୍ଡା ଗଣ୍ଡା ଓଏଏସ ବାବୁ। କିଏ ୮ ବର୍ଷ ତ କିଏ ୧୦ ବର୍ଷରୁ ଅଧିକ। ଅନ୍ୟ ସ୍ଥାନକୁ ବଦଳି କଥା ଛାଡନ୍ତୁ ଲୋକସେବା ଭବନରେ ସେମାନଙ୍କ ବିଭାଗ ବି ବଦଳୁନି।

author-image
Manoranjan Behera
undefined

OAS Officer

ଦକ୍ଷତା ନା ଚାଟୁକାରିତା ? କାହିଁକି ଲୋକସେବା ଭବନର ଗୋଟିଏ ଗୋଟିଏ ବିଭାଗରେ ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି OAS ଅଧିକାରୀ। ତାଲିକାରେ ଜଣେ କି ଦୁଇ ଜଣ ନୁହେଁ ଗଣ୍ଡା ଗଣ୍ଡା OAS ବାବୁ। ଅନେକ ଅଧିକାରୀ ତ ସିଧାସଳଖ ଦଳୀୟ କାର୍ଯ୍ୟକ୍ରମରେ ବି ଲିପ୍ତ ରହୁଥିଲେ ବୋଲି ଅଭିଯୋଗ ରହିଛି। ତେବେ ନୂଆ ସରକାର ଆସିବା ପରେ ଏହି ଅଧିକାରୀମାନଙ୍କ ଅବସ୍ଥା କଣ ହେବ, ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା।

Advertisment

ଲୋକସେବା ଭବନରେ ଓଏଏସ୍ ରାଜ୍। ଗାଦି ମାଡ଼ି ବସିଛନ୍ତି ଗଣ୍ଡା ଗଣ୍ଡା ଓଏଏସ ବାବୁ। କିଏ ୮ ବର୍ଷ ତ କିଏ ୧୦ ବର୍ଷରୁ ଅଧିକ। ଅନ୍ୟ ସ୍ଥାନକୁ ବଦଳି କଥା ଛାଡନ୍ତୁ ଲୋକସେବା ଭବନରେ ସେମାନଙ୍କ ବିଭାଗ ବି ବଦଳୁନି। ବିଜେଡି ଶାସନ ସମୟରେ ଖାଲି ଅଣଓଡ଼ିଆ IAS ଅଧିକାରୀ ପାୱାରଫୁଲ୍ ନଥିଲେ କିଛି OAS ଅଫିସର ବି ଶାସକ ଦଳର ହାତବାରିସୀ ସାଜିଥିଲେ ବୋଲି ଚର୍ଚ୍ଚା ହେଉଛି।

ଏହି ତାଲିକାରେ ଅଛନ୍ତି ରବି ସେଠୀ, ଯାଜପୁର ପୂର୍ବତନ ବିଜେଡି ସାଂସଦ ଶର୍ମିଷ୍ଠା ସେଠୀଙ୍କ ସ୍ୱାମୀ। ପ୍ରଥମେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ପରେ ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଥାଇ ନଭେମ୍ବର ୨୦୨୩ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର OSD ଭାବେ ବଦଳି ହୋଇଥିଲା। ହେଲେ ୨୦୧୬ରେ ରବି ସେଠୀ ଅନୌପଚାରିକ ଭାବେ ନବୀନ ନିବାସ ଆଉ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରି ଆସୁଥିଲେ। ଆଉ ଦଳୀୟ ବ୍ୟପାର କଥା ବି ବୁଝୁଥିବା ଅଭିଯୋଗ ରହିଛି।

Advertisment

ସେହପରି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ୫ ବର୍ଷ ହେଲା କାର୍ଯ୍ୟ କରି ଆସୁଥିବା ଆଦିତ୍ୟ ମହାପାତ୍ର। ଶୁଣାଯାଉଛି ନିର୍ବାଚନ ଫଳାଫଳ ପରେ ବିନା ନୋଟିଫିକେସନରେ ଆଉ ତୃତୀୟ ମହଲାକୁ ନଯାଇ ସାଧାରଣ ପ୍ରଶାସନ ବିଭାଗରେ ବସୁଛନ୍ତି। ଲୋକସେବା ଭବନରେ ଆଉ ଜଣେ ପାୱାରଫୁଲ ଓଏଏସ ହେଉଛନ୍ତି ନିବେଦିତା ପୃଷ୍ଟି। ୬ ବର୍ଷ ହେଲା ଗୃହ ବିଭାଗ ଯୁଗ୍ମ ସଚିବ ପଦବୀରେ ଅଛନ୍ତି। ପୂର୍ବରୁ ଉଚ୍ଚଶିକ୍ଷା ବିଭାଗରେ ଅନେକ ବର୍ଷ ଧରି ରହିଥିଲେ। ନଗର ଉନ୍ନୟନ ବିଭାଗର ଓଏଏସରୁ ପ୍ରମୋଟ୍ ହୋଇ ଆଇଏଏସ ହୋଇଥିବା ସଂଗ୍ରାମଜିତ ନାୟକ ପ୍ରାୟ ୧୪ ବର୍ଷରୁ ସେହି ବିଭାଗରେ ରହି ଆସିଛନ୍ତି।

ପଞ୍ଚାୟତିରାଜ ବିଭାଗରେ କାମ କରୁଥିବା ଦୁଇ ଓଏଏସ ଅଧିକାରୀ କୁଳମଣି ମିଶ୍ର ଏବଂ ସ୍ୱୟଂପ୍ରଭା ମହାନ୍ତି। କୁଳମଣି ୧୧ ବର୍ଷ ଆଉ ସ୍ୱୟଂପ୍ରଭା ୧୨ ବର୍ଷ ହେଲା ସେହି ଗୋଟିଏ ବିଭାଗରେ ଅଛନ୍ତି। କୁହାଯାଉଛି ସ୍ୱୟଂପ୍ରଭାଙ୍କ ହାତରେ ରହିଛି ବିଡିଓ ଏଷ୍ଟାବ୍ଲିସମେଣ୍ଟ, ଯାହା ଶାସକ ଦଳକୁ ବେଶ ସାହାଯ୍ୟ କରିଥିଲା। ସେହିପରି ସ୍ୱାସ୍ଥ୍ୟ ବିଭାଗରେ ୧୦ ବର୍ଷ ହେଲା କାମ କରି ଆସୁଛନ୍ତି ଓଏଏସ ଶୁଭାନନ୍ଦ ମହାପାତ୍ର। ଆଉ ୭ ବର୍ଷ ହେଲା ଗୋଟିଏ ବିଭାଗରେ ଅଛନ୍ତି ଅତିରିକ୍ତ ସଚିବ ସୁମିତ୍ରା ସେନାପତି। ଆଉ ଅର୍ଥ ବିଭାଗର ଗେହ୍ଲା ପୁଅ ଭଳି ୯ ବର୍ଷ ହେଲା ଅତିରିକ୍ତ ସଚିବ ଭାବେ କାମ କରୁଛନ୍ତି ଶାନ୍ତନୁ ସାହୁ।

ସେହିପରି ସଂସଦୀୟ ବ୍ୟାପାର ବିଭାଗରେ ୨୦ ବର୍ଷ ହେଲା ଅଛନ୍ତି ଅତିରିକ୍ତ ସଚିବ କୁନା ବାରିକ। ଗୃହ ବିଭାଗରେ ୧୨ ବର୍ଷ ହେଲା ଅଛନ୍ତି ଅତିରିକ୍ତ ସଚିବ ପ୍ରଫୁଲ୍ଲ ପ୍ରଧାନ। ଅବସର ପରେ ତାଙ୍କୁ ବର୍ଷେ ଏକ୍ସଟେନସନ କରିଛନ୍ତି ସରକାର। ତାଙ୍କ ପରି ସାଧାରଣ ପ୍ରଶାସନ ବିଭାଗରେ ୧୩ ବର୍ଷ ହେଲା କାମ କରୁଛନ୍ତି ଗଣେଶ ପାତ୍ର। ବର୍ଷେ ହେଲା ଅବସର ପରେ ବି ସେ ଅତିରିକ୍ତ ସଚିବ ଅଛନ୍ତି। ରାଜସ୍ୱ ବିଭାଗରେ ୧୫ ବର୍ଷ ରହିଥିବା ଅଭୟ ନାୟକ, ଅବସର ପରେ ବି ୨ ବର୍ଷ ହେଲା ସେହି ବିଭାଗରେ ଅଛନ୍ତି।

ଅନ୍ୟପକ୍ଷରେ ୧୦ ବର୍ଷ ହେଲା ରାଜସ୍ବ ବିଭାଗରେ କାମ କରୁଛନ୍ତି ଯୁଗ୍ମ ସଚିବ ଏଲୋରା ସାମଲ ଏବଂ ସାଧାରଣ ପ୍ରଶାସନ ବିଭାଗର ଲ୍ୟାଣ୍ଡ ଅଫିସର୍ ଭାବେ ୬ ବର୍ଷ ହେଲା ଗାଦି ମାଡ଼ି ବସିଛନ୍ତି ମାନସ ସାମଲ। ସରକାରୀ ନିୟମ କହୁଛି ୩ ବର୍ଷରେ ଥରେ ବଦଳି ହେବା କଥା, ହେଲେ ଏଠି ପ୍ରଶ୍ନ, କେମିତି ଏହି ବାବୁମାନେ ଏତେ ବର୍ଷ ଧରି ଗୋଟିଏ ଗୋଟିଏ ବିଭାଗରେ ରହି ଆସୁଛନ୍ତି। ଜଣେ ଅଧିକାରୀ ଦୀର୍ଘ ବର୍ଷ ଧରି ଗୋଟିଏ ବିଭାଗରେ ରହିବାର ଆଧାର କଣ? ତେବେ ଏ ସଂପର୍କରେ ସଂପୃକ୍ତ OAS ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

କୁହାଯାଉଛି ଦିଲ୍ଲୀରୁ ଫେରିବା ପରେ ପୂରା ପ୍ରଶାସନର ନବକଳେବର କରିପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଯେଉଁଥିରେ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କ ସହ ଲୋକସେବା ଭବନରେ ଗାଦି ମାଡି ବସିଥିବା ଅଧିକାରୀମାନେ ବି ହଟି ପାରନ୍ତି।

OAS Officer
Advertisment
Advertisment