ମୋଦିଙ୍କୁ ପ୍ରଶଂସା କରି ରାଜ୍ୟ ବିଜେପି ଆକ୍ରମଣକୁ ଗୌଣ କରିବାକୁ ଚାଲ୍ ଖେଳୁଛି କି ବିଜେଡି। କାହିଁକିନା ରାଜ୍ୟ ବିଜେପି ଉପରେ ବିଜେଡିର ଘନଘନ ଆକ୍ରମଣ । ହେଲେ କେନ୍ଦ୍ର ବିଜେପି ନେତୃତ୍ବ ପ୍ରତି ନରମ ଆଭିମୁଖ୍ୟ । ଶାସକ ଦଳର ଏହି ଡବଲ ଷ୍ଟାଣ୍ଡାର୍ଡ ନୀତିକୁ ନେଇ ଚର୍ଚ୍ଚା ଭିତରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଲୋକାର୍ପଣ ଉତ୍ସବରେ ପିଏମ୍ ମୋଦିଙ୍କୁ ସିଏମ୍ ନବୀନଙ୍କ ଭୂରି ଭୂରି ପ୍ରଶଂସା ଓ ମୋଦି ପୁଣି କ୍ଷମତାକୁ ଫେରିବା ନେଇ ନବୀନଙ୍କ ଆକଳନକୁ ନେଇ ତେଜିଛି ରାଜନୀତି ।
କେଉଁ ଧାରାରେ ଚାଲୁଛି ବିଜେଡି ? ବଦଳୁଛି କି ଦଳର ଆଭିମୁଖ୍ୟ ? ମୋଦିଙ୍କ ଆଡ଼କୁ ଢଳୁଛନ୍ତି କି ନବୀନ ? ରାଜ୍ୟରେ ବିଜେପି ସହ କଳି...କେନ୍ଦ୍ରରେ କୋଳାକୋଳି ! ଶାସକ ବିଜେଡି-ବିଜେପି ସଂପର୍କକୁ ନେଇ ଭୁବନେଶ୍ବରରୁ ଦିଲ୍ଲୀ ଯାଏଁ ଚର୍ଚ୍ଚା । କାରଣ ଗଲା କିଛି ଦିନ ହେବ ସିଏମ୍ ନବୀନଙ୍କ ହାବଭାବ ହିଁ ଏଇ ଚର୍ଚ୍ଚାକୁ ବଳ ଦେଉଛି ।
Also Read
ପ୍ରଥମେ ନବୀନ ନିବାସରେ ନବୀନଙ୍କୁ ନୀତୀଶ ଭେଟିଲେ। ହେଲେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି ବୋଲି ନବୀନ କହିଲେ । କିନ୍ତୁ ନୀତିଶଙ୍କୁ ଭେଟିବାର ଦିନକ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି କହିଲେ, ତୃତୀୟ ସାମ୍ମୁଖ୍ୟ ସହ ବିଜେଡି ନାହିଁ । ତା’ପରେ ଝାରସୁଗୁଡା ଉପନିର୍ବାଚନ ବିଜୟର ସେଲିବ୍ରେସନ୍ ବେଳେ ଡବଲ ଇଞ୍ଜିନକୁ କଟାକ୍ଷ କଲେ ବିଜେଡି ସୁପ୍ରିମୋ । ଆଉ କାଲି ବନ୍ଦେ ଭାରତ ଏକ୍ସପ୍ରେସ୍ ଲୋକାର୍ପଣ ଅବସରରେ ମୋଦୀଙ୍କୁ ପ୍ରଶଂସାରେ ପୋତିଲେ। ପୁଣି ମୋଦି ପ୍ରଧାନମନ୍ତ୍ରୀ ହେବେ ବୋଲି ଆକଳନ ବି କଲେ ନବୀନ।
ଏପଟେ ବିଜେପି ରାଜ୍ୟ ଭିତରେ ରାଜ୍ୟ ସରକାରଙ୍କୁ ପ୍ରବଳ ମାତ୍ରାରେ ଆକ୍ରମଣ କରୁଛି । ମୁଖ୍ୟମନ୍ତ୍ରୀ, ଫାଇଭ ଟି ସଚିବଙ୍କୁ ବି ଛାଡୁନି। ବିଜେଡି ମଧ୍ୟ ପାଲଟା ହମଲା କରୁଛି । ତେଣୁ ଏଠି ପ୍ରଶ୍ନ କାହିଁକି ଏ ଡବଲ୍ ଗେମ୍ ? କୁହାଯାଉଛି, ମୋଦିଙ୍କୁ ପ୍ରଶଂସା କରି ବିଜେପି ଆକ୍ରମଣକୁ ଗୌଣ କରିବାକୁ ଇଏ ବିଜେଡିର ଚାଲ୍ । ତେବେ ମୋଦୀଙ୍କୁ ନବୀନଙ୍କ ପ୍ରଶଂସା ପରେ ତେଜିଛି ରାଜନୀତି। ବିଜେଡି-ବିଜେପି ଏଠି ଲୋକ ଦେଖାଣିଆ ଲଢ଼େଇ କରି ରାଜ୍ୟବାସୀଙ୍କ ସହ ଛଳନା କରୁଥିବାର ଅଭିଯୋଗ କରିଛି କଂଗ୍ରେସ। ଜବାବରେ ବିଜେପି ଓଡ଼ିଶାରେ କୌଣସି ମେଣ୍ଟର ସମ୍ଭାବନା ନଥିବା କହିଛି ।
ଏପଟେ ୨୪ ନିର୍ବାଚନ ପୂର୍ବରୁ ବିଜେଡିର କାହିଁକି ଏଭଳି ଦ୍ବୈତ ଆଭିମୁଖ୍ୟ ? ଦଳ କିଛି ଦ୍ୱନ୍ଦ୍ୱରେ ଅଛି କି ? କେଉଁଠି କିଛି ଚାପ ରହିଛି କି ? ସମଦୂରତା ନାଁରେ ସୁବିଧାବାଦୀ ରାଜନୀତିର ସେଫ୍ ଗେମ୍ ଖେଳୁଛି କି ଶଙ୍ଖଦଳ ? ନା ସବୁ ବିକଳ୍ପ ଖୋଲା ରଖି ନୂଆ ସମୀକରଣକୁ ଅପେକ୍ଷା କରିଛି ? ଏସବୁ ପ୍ରଶ୍ନକୁ ନେଇ ଚର୍ଚ୍ଚା ଭିତରେ ରାଜୈନତିକ ସମୀକ୍ଷକଙ୍କ କହିବା କଥା ବିଜେଡି ସମଦୂରତା କଥା କହୁଛି ସତ, କିନ୍ତୁ ଅସଲରେ ବିଜେପି ସହ ରହିଛି।
ସାଧାରଣ ନିର୍ବାଚନ ପୂର୍ବରୁ ସରକାର ବିରୋଧୀ ହାୱା ଓ ଦଳରେ ବିଦ୍ରୋହ ବିଜେଡିକୁ ଟେନସନ୍ ଦେଲାଣି । ତେଣୁ ଦଳ ଏବେ ଭିନ୍ନ ପ୍ରକାର ଷ୍ଟ୍ରାଟେଜି କରି ବିରୋଧୀଙ୍କୁ ମାତ୍ ଦେବାକୁ ଯେଉଁ ଉଦ୍ୟମ କରୁଛି, ସେଥିରେ କେତେ ସଫଳ ହେବ ତା ଉପରେ ନଜର ରହିଛି
- Reported by:
- HARIHARA CHAND , JAGDISH DAS