• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଧର୍ମେନ୍ଦ୍ରଙ୍କ ପାଇଁ ବିଜେପି ବିଧାୟକଙ୍କ ମେଳି । ବଢୁଛି ସମର୍ଥନର ସ୍ୱର । ସମ୍ୱଲପୁର ଲୋକସଭା କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାର୍ଥୀ ହେଲେ ଖାଲି ବିଜୟୀ ହେବେନି ବରଂ ଦଳ ପୁରା ପଶ୍ଚିମ ଓଡିଶାରେ ଭଲ ପ୍ରଦର୍ଶନ କରିବ । ଯାହାକୁ ନେଇ ବିଜେଡିର ଟେନସନ୍ ବି ବଢିଲାଣି । ଯେଉଁଥିପାଇଁ ଦଳର ସାଂଗଠନିକ ସମ୍ପାଦକ ସମ୍ବଲପୁର ଯାଇ ରୁଦ୍ଧଦ୍ୱାର ବୈଠକ କରି କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି । ଟିକେଟ୍ ପ୍ରସଙ୍ଗରେ କହିଛନ୍ତି, ଖାଲି ନବୀନଙ୍କ ଟିକେଟ୍ ଫାଇନାଲ୍, ବାକିସବୁ ତୁଚ୍ଛା କଥା ।

୨୪ ନିର୍ବାଚନ ପୂର୍ବରୁ ଟିକଟ କସରତ । ଫୋକସରେ ପଶ୍ଚିମ ଓଡ଼ିଶାର ପଲଟିକାଲ୍ ସ୍ପଟ୍ ସମ୍ୱଲପୁର । ଏହି ସଂସଦୀୟ କ୍ଷେତ୍ରରୁ ଆଗକୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଚାଲିଛି ଚର୍ଚ୍ଚା । ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ସ୍ଥାନରେ କିଏ ହେବ ପଦ୍ମଦଳର ଯୋଦ୍ଧା ତାକୁ ନେଇ ଅଙ୍କକଷା । ଆଉ ଏ ଭିତରେ ସମ୍ୱଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାର୍ଥୀ ହେବା ନେଇ ଜଣେ ପରେ ଜଣେ ବିଧାୟକ ମତ ରଖିଚାଲିଛନ୍ତି ।

ପ୍ରଥମେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପରେ ନାଉରୀ ନାଏକ ଆଉ ଏବେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ଖୋଲାଖୋଲି ଭାବେ ସାଂସଦ ନୀତେଶ ଗଙ୍ଗଦେବଙ୍କୁ ବିରୋଧ କରିଛନ୍ତି । କହିଛନ୍ତି, ସାଂସଦ ଘରୋଇ କଳହରୁ ଲୋକପ୍ରିୟତା ହରାଇଛନ୍ତି, ଲୋକଙ୍କ ପାଖକୁ ଯାଉ ନାହାନ୍ତି । ଏବେ ପ୍ରତିଦ୍ୱନ୍ଦ୍ୱିତା କଲେ ହାରିବା ନିଶ୍ଚିତ ।

ଏମତିିକି ସାଂସଦଙ୍କ ପତ୍ନୀ ଦେବଗଡ଼ ବିଜେଡିରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିବା କହିଛନ୍ତି ସୁବାସ । ଏଥିସହ ଧର୍ମେନ୍ଦ୍ରଙ୍କୁ ସମର୍ଥନ କରି କହିଛନ୍ତି, ଧର୍ମେନ୍ଦ୍ରଙ୍କ ପାଇଁ ସମ୍ବଲପୁର ସବୁଠୁ ସୁରକ୍ଷିତ । ସମ୍ବଲପୁରରୁ ସେ ଲଢ଼ିଲେ, ପଶ୍ଚିମ ଓଡ଼ିଶାରେ ବିଜେପି ଭଲ କରିବ । ସେପଟେ ଏନେଇ ସାଂସଦ ନୀତେଶଙ୍କ ପ୍ରତିକ୍ରିୟା ମିଳିନଥିଲା ବେଳେ ତାଙ୍କ ପତ୍ନୀ କହିଛନ୍ତି, ବିଧାୟକ ଦେବଗଡ଼କୁ ବଦନାମ କରୁଛନ୍ତି ।

ସେପଟେ ଧର୍ମେନ୍ଦ୍ର ସମ୍ବଲପୁରରୁ ଲଢୁଥିବାର ଚର୍ଚ୍ଚାକୁ ନେଇ ବିଜେଡି ବି ସମ୍ୱଲପୁର ପାଇଁ କାଉଣ୍ଟର ପ୍ଲାନ୍ ଆରମ୍ଭ କରିଦେଇଛି । ଗତକାଲି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ୱଲପୁର ଯାଇଁ ରୁଦ୍ଧଦ୍ୱାର ବୈଠକରେ ସଂଗଠନକୁ ମଜବୁତ କରିବାକୁ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟପଟେ ଏବେ ଚାଲିଥିବା ଦଳର ପଦଯାତ୍ରାରେ ସ୍ଥାନୀୟ ନେତାଙ୍କ ଦ୍ୱାରା ପ୍ରାର୍ଥୀ ଘୋଷଣା ଦଳକୁ ଅଡୁଆରେ ପକାଉଥିବାରୁ ଟିକେଟ୍‌କୁ ନେଇ ବି କର୍ମୀଙ୍କ ସଂଶୟ ଦୂର କରିବାର ଚେଷ୍ଟା କରିଛନ୍ତି । ଏପରିକି କେବଳ ମୁଖ୍ୟମନ୍ତ୍ରୀଙ୍କ ଟିକେଟ କନ୍‌ଫର୍ମ, ବାକି ସେ ଯାହାକୁ ଟିକେଟ୍ ଦେବେ ବୋଲି କହିଥିବାର ଦଳ ପକ୍ଷରୁ ସୂଚନା
ମିଳିଛି ।

  • Reported by:
  • SANJAY JENA , HARIHARA CHAND , Sidharth Guru