• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜିଠୁ ଆରମ୍ଭ ହେଲା ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ଇନିଂସ । ଦୀର୍ଘ ୩୭ ବର୍ଷର ପୁରୁଣା ଇତିହାସକୁ ବଦଳାଇ ୟୁପିକୁ ଲଗାତର ଦ୍ୱିତୀୟ ଥର ପାଇଁ ଶାସନ କରିବାରେ ବିଜେପି ସଫଳ ହୋଇଥିବା ବେଳେ ନିଜର ୨.୦ ଶାସନ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି ଯୋଗୀ ଆଦିତ୍ୟନାଥ ।

ଗତଥର ଭଳି ଏଥର ବି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ ମୋଟ ୫୨ ଜଣିଆ ମନ୍ତ୍ରିମଣ୍ଡଳରେ କିଛି ପୁରୁଣାଙ୍କୁ ବାଦ୍ ଆଉ ନୂଆଙ୍କୁ ସାମିଲ କରି ଶାସନ ଭାର ହାତକୁ ନେଇଛନ୍ତି ଯୋଗୀ । ନିର୍ବାଚନରେ ବୁଲଡୋଜର ବାବାଙ୍କ ସୁପର ସୋ ଭଳି ଆଜିର ଶପଥ ଗ୍ରହଣ ଉତ୍ସବକୁ ବି ଧମକାଦାର ଢଙ୍ଗରେ ଆୟୋଜନ କରିଥିଲେ ଯୋଗୀ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ସାମିଲ ହୋଇଥିଲେ ।

ଉତ୍ତରପ୍ରଦେଶର ରାଜ୍ୟ ରାଜନୀତିରେ ବିଗତ ୩୭ ବର୍ଷ ପରେ ପୁଣି ଇତିହାସର ପୁନରାବୃତ୍ତି । ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତା ଦଖଲ ସହ ସରକାର ଗଠନ ୟୁପି ରାଜଧାନୀ ଲକ୍ଷ୍ନୌସ୍ଥିତ ଅଟଳ ବିହାରୀ ବାଜପେୟୀ ଇକାନା ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଏଇ ଭବ୍ୟ ଶପଥ ଗ୍ରହଣ ଉତ୍ସବରୁ ମୁଖ୍ୟମନ୍ତ୍ରୀ ଭାବେ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି ଯୋଗୀ ଆଦିତ୍ୟନାଥ ।

ଯୋଗୀଙ୍କୁ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଆଜି ପଦ ଓ ଗୋପନୀୟତାର ଶପଥ ପାଠ କରାଛନ୍ତି । ତେବେ ନିଜ ଦ୍ୱିତୀୟ ପାଳିରେ ମଧ୍ୟ ପ୍ରଥମ ଥର ଭଳି ୨ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ ସରକାର ଚଳାଇବାର ଫଣ୍ଡାକୁ ବଜାୟ ରଖିଛନ୍ତି ଯୋଗୀ । ନିର୍ବାଚନ ହାରିଥିଲେ ବି କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ନିଜ ଟିମରେ ସାମିଲ ସହ ଉପମୁଖ୍ୟମନ୍ତ୍ରୀ ପଦ ଦେଇଛନ୍ତି ।

ସେହିଭଳି ପୂର୍ବ ସରକାରର ଉପମୁଖ୍ୟମନ୍ତୀ ଥିବା ଦିନେଶ ଶର୍ମାଙ୍କ ସ୍ଥାନରେ ରାଜ୍ୟର ଅନ୍ୟତମ ବ୍ରାହ୍ମଣ ଚେହେରା ବ୍ରଜେଶ ପାଠକଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ କରିଛନ୍ତି । ଯୋଗୀଙ୍କ ଦ୍ୱିତୀୟ ପାଳିରେ ମୋଟ ୫୨ ମନ୍ତ୍ରୀ ଶପଥ ନେଇଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ୧୮ କ୍ୟାବିନେଟ ସଦସ୍ୟ । ଯୋଗୀ 1.O ସରକାରର ମନ୍ତ୍ରୀ ଥିବା ସିଦ୍ଧାର୍ଥ ନାଥ ସିଂହ ଓ ଶ୍ରୀକାନ୍ତ ଶର୍ମାଙ୍କୁ ପଦ ହରାଇବାକୁ ପଡିଥିବା ବେଳେ ସ୍ୱତନ୍ତ୍ରଦେବ ସିଂହ, ବେବି ରାଣୀ ମୌର୍ଯ୍ୟ, ସଂଜୟ ନିଶାଦ, ଅନିଲ ରାଜଭାର ଓ ପ୍ରଧାନମନ୍ତ୍ରୀଙ୍କ ପାଖ ଲୋକ କୁହାଯାଉଥିବା ଏ.କେ ଶର୍ମା କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ସେହିଭଳି ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ପଦ୍ମ ଧରିଥିବା ଜିତିନ ପ୍ରସାଦଙ୍କୁ ମିଳିଛି ମନ୍ତ୍ରୀପଦ ।

ସଦ୍ୟ ସମାପ୍ତ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ଯେଭଳି ବିପୁଳ ଜନମତ ପାଇ ଦମଦାର ପ୍ରଦର୍ଶନ କରିଥିଲା, ସେହିଭଳି ଆଜି ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ବି ଥିଲା ସେତିକି ସାନଦାର । ୫୦ ହଜାର ଅତିଥି ବସିବା ଭଳି ସୁବିଧା ଥିବା ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା ଖଚାଖଚ ଭିଡ଼ । ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ମୋଦିଙ୍କ କ୍ୟାବିନେଟର ବହୁ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।

ସେହିଭଳି ପ୍ରାୟ ସବୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଜିନେସ ଟାଇକୁନ୍ ମୁକେଶ ଅମ୍ବାନୀଙ୍କ ସହ ୫୦ରୁ ଅଧିକ ବିଶିଷ୍ଟ ଶିଳ୍ପପତି, ଅଯୋଧ୍ୟା, ମଥୁରା ଓ ବାରଣାସୀରୁ ୫୦ରୁ ଅଧିକ ସାଧୁ ବି ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୋଗଗୁରୁ ବାବା ରାମଦେବ, ଶ୍ରୀରାମ ଜନ୍ମଭୂମି ତିରଥ କ୍ଷେତ୍ରର ମୁଖ୍ୟ, କାଶ୍ମୀର ଫାଇଲ୍ସ ଫିଲ୍ମର ନିର୍ଦ୍ଦେଶକ ବିବେକ୍ ଅଗ୍ନିହୋତ୍ରୀ, ଅଭିନେତା ଅନୁପମ ଖେରଙ୍କ ସମେତ ବହୁ ଫିଲ୍ମ କଳାକାର ବି ଉତ୍ସବରେ ଅତିଥି ହୋଇଥିଲେ ।

ନୂତନ ଭାରତର ନୂଆ ଉତ୍ତର ପ୍ରଦେଶ ନାରା ଦେଇ ଲଗାତର ଦ୍ୱିତୀୟ ଥର ପାଇଁ ସରକାର ଗଠନ କରି ଡବଲ ଇଞ୍ଜିନ୍ ଜରିଆରେ ବିକାଶର ଧାରା ଆହୁରି ଆଗକୁ ନେବାକୁ ସ୍ଲୋଗାନ୍ ଦେଇଛନ୍ତି ଯୋଗୀ ।