• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣିଥରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଜଗଦଗୁରୁ ଶଙ୍କାରାଚାର୍ଯ୍ୟ । ରାଜ୍ୟ ସରକାର କାହା କଥା ମାନୁନାହାନ୍ତି, କିନ୍ତୁ ଯେତେବେଳେ ଲାଗିବ ଲୋକମତ ତାଙ୍କ ବିରୋଧରେ ଯାଇପାରେ, ସେତେବେଳେ ମାନିବେ । ଏଠାରେ ବିଜେଡି-ବିଜେପି ମିଶି ରହିଥିବା ଶଙ୍କରାଚାର୍ଯ୍ୟ ଅଭିଯୋଗ ଆଣିଛନ୍ତି । ସେପଟେ କଡ଼ା ସମାଲୋଚନାର ଶିକାର ହେବା ପରେ ପୁରୀ ସାଂସଦ ପିନାକୀ ମିଶ୍ର । ଆଜି ମୁହଁ ଖୋଲିଛନ୍ତି, ସେ କହିଛନ୍ତି ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି ପ୍ରକଳ୍ପ କାମରେ ବାଧା ଦେଇପାରିବେନି । ତେଣେ ଏଏସ୍‌ଆଇର ଅଣସ୍ୱୀକୃତିପ୍ରାପ୍ତ ନିର୍ମାଣ ତାଲିକାରେ ପରିକ୍ରମା ପ୍ରକଳ୍ପ ଥିବା କୁହାଯାଉଥିବାରୁ ବିବାଦ ବଢିବାରେ ଲାଗିଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବଢୁଛି ରାଜ୍ୟ ସରକାରଙ୍କ ଅଡୁଆ । ବିବାଦ ଯେତିକି ବଢୁଛି, ଚାପ ସେତିକି ପଡୁଛି । ଏହା ଭିତରେ ପୁଣିଥରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ତୀର୍ଥଭୂମିକୁ ଭୋଗଭୂମି ତଥା ସୁରା-ସୁନ୍ଦରୀ କେନ୍ଦ୍ର କରାଯାଉଛି ଓ ଏହାର ଅସ୍ତିତ୍ୱ ଲୋପ ହେଉଛି କହି ଏହା ସମ୍ବିଧାନର ଧାରାକୁ ମଧ୍ୟ ବିରୁଦ୍ଧାଚରଣ କରୁଛି ବୋଲି ଅଭିଯୋଗ କରିଛନ୍ତି ଶଙ୍କାରଚାର୍ଯ୍ୟ ।

ସେ କହିଛନ୍ତି ଯେ, ସରକାରଙ୍କ ଧାରଣା ଲୋକମତ ତାଙ୍କ ପାଖରେ ରହିଛି, ତେଣୁ ସେମାନେ କାହା କଥା ମାନୁନାହାନ୍ତି । ଯେତେବେଳେ ଲାଗିବ ଲୋକମତ ତାଙ୍କ ବିରୋଧରେ ଯାଇପାରେ, ସେତେବେଳେ ମାନିବେ । ଅନ୍ୟପକ୍ଷରେ ଏହି ପ୍ରକଳ୍ପକୁ  ସବୁ ଦଳ ବିରୋଧ କରୁଥିବା ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟ କହିଛନ୍ତି ଓଡ଼ିଶାରେ ରାଜନୈତିକ ଦଳ କିଏ ଅଛନ୍ତି? ସରକାରଙ୍କୁ ଚ୍ୟାଲେଞ୍ଜ୍ କଲାଭଳି କୌଣସି ରାଜନୈତିକ ଦଳର ସାମର୍ଥ୍ୟ ନାହିଁ । ଏପରିକି ବିଜେପି ଓ ବିଜେଡି ମିଶିକି ଅଛନ୍ତି, କଂଗ୍ରେସ୍ ଆଗ ଭଳି ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ସେହିପରି ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇନଥିବାରୁ ଶଙ୍କରାଚାର୍ଯ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସେପଟେ ଏଏସ୍‌ଆଇ ପକ୍ଷରୁ ଜାରି ହୋଇଥିବା ଅଣସ୍ୱୀକୃତିପ୍ରାପ୍ତ ନିର୍ମାଣ ତାଲିକାରେ ରହିଛି ପରିକ୍ରମା ପ୍ରକଳ୍ପ । ଏହା ସତ୍ତ୍ୱେ ମଧ୍ୟ ଏଏସ୍‌ଆଇ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ପ୍ରଶ୍ନ ଉଠାଇଛନ୍ତି ସୂଚନା ଅଧିକାର କର୍ମୀ ଦିଲୀପ ବରାଳ । ଏଏସ୍‌ଆଇର ବିନା ଅନୁମତିରେ ନିଷିଦ୍ଧାଞ୍ଚଳରେ ନିର୍ମାଣ କାମ ହେଉଥିବାରୁ ଅଣସ୍ୱୀକୃତିପ୍ରାପ୍ତ ନିର୍ମାଣ ତାଲିକାରେ ପ୍ରକଳ୍ପ ଆସିଥିବା କୁହାଯାଉଛି । ତେବେ ଏନେଇ ଏଏସ୍‌ଆଇ ପକ୍ଷରୁ କିଛି ମତାମତ ଆସିନି । ତେବେ ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ନିର୍ମାଣ କାମ ହେଉଥିବାରୁ ନିଷ୍ପତ୍ତି ଓ ଅନୁମତି ଦେଇଥିବା ଅଧିକାରୀଙ୍କ ବିରୋଧରେ କୋର୍ଟ ରାୟ ଦେଲେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ବରିଷ୍ଠ ଆଇନଜୀବୀ ମତ ଦେଇଛନ୍ତି । 

ସେପଟେ ପ୍ରକଳ୍ପକୁ ନେଇ ବିବାଦ ତୀବ୍ର ହେବା ଓ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ କଡ଼ା ସମାଲୋଚନା ପରେ ଆଜି ପିନାକୀ କହିଛନ୍ତି, ମହାପ୍ରଭୁଙ୍କ ଇଚ୍ଛାରେ ପ୍ରକଳ୍ପ ହେଉଛି । ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି ଏଥିରେ ବାଧା ଦେଇପାରିବେନି । ଗତକାଲି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ବେଆଇନ ଭାବେ ନିର୍ମାଣ କାମ ହେଉଛି ଓ ଏ ସଂପର୍କରେ ସାଂସଦ ପୀନାକୀ ମିଶ୍ର ଜାଣିନଥିବା ଅଭିଯୋଗ କରିଥିଲେ ।

ରିପୋର୍ଟର- ପ୍ରଦୀପ ମହାନ୍ତି, ମଧୁସୂଦନ ମିଶ୍ର, ହରିହର ଚାନ୍ଦ