• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶରତ ପଟ୍ଟନାୟକ ହେଲେ କଂଗ୍ରେସର ନୂଆ ମଙ୍ଗୁଆଳ । ପିସିସି ସଭାପତି ପାଇଁ ତାଙ୍କ ନାଁରେ ମୋହର ମାରିଛି ଏଆଇସିସି(AICC) । ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାର ପ୍ରାୟ ୩ ବର୍ଷ ପରେ ଶରତଙ୍କୁ ନୂଆ ମଙ୍ଗୁଆଳ କରିଛି କଂଗ୍ରେସ ଦଳ । ଏହା ପୂର୍ବରୁ ଶରତ ପଟ୍ଟନାୟକ, ପିସିସି ସଭାପତି ଏବଂ ଏଆଇସିସି ସଂପାଦକ ଭାବେ କାର୍ଯ୍ୟ ମଧ୍ୟ ତୁଲାଇଛନ୍ତି । ବଲାଙ୍ଗିର ଲୋକସଭା ଆସନରୁ ସେ ୨ ଥର ନିର୍ବାଚିତ ହୋଇଛନ୍ତି । ଏବେ ବ୍ରଜରାଜନଗର ଉପନିର୍ବାଚନ ଚାଲିଥିବା ବେଳେ ଶରତଙ୍କ ପାଇଁ ଏହା ପ୍ରଥମ ଏସିଡ୍ ଟେଷ୍ଟ ହେବ ।

ପୁଣି ଥରେ କଂଗ୍ରେସର ମଙ୍ଗ ଧରିଲେ ଶରତ ପଟନାୟକ । ସଭାପତି ପାଇଁ ଶରତଙ୍କ ନାଁରେ ମୋହର ମାରିଲେ ହାଇକମାଣ୍ଡ । ବହୁ ବାଦ ବିବାଦ ଏବଂ ଆଲୋଚନା ପର୍ଯ୍ୟାଲୋଚନା ପରେ ଶେଷରେ ଶରତଙ୍କ ନାଁକୁ ଘୋଷଣା କରିଛି ଏଆଇସିସି । ବହୁ ଦିନ ପରେ ଜଣେ ପଶ୍ଚିମ ଓଡିଶାର ନେତାଙ୍କୁ କଂଗ୍ରେସ ନେତୃତ୍ୱ ଦିଆଯାଇଛି । 

ବଲାଙ୍ଗୀରରୁ ଦୁଇ ଥର ୧୯୯୧ ଆଉ ୯୬ରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଶରତ ପଟନାୟକ । ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରେ ୨୦୦୧ରୁ ୨୦୦୪ ଯାଏଁ ପିସିସି ସଭାପତି କାର୍ଯ୍ୟ ତୁଲାଇଛନ୍ତି ଶରତ । ତେବେ ଆଜି ନାମ ଘୋଷଣା ହେବା ପରେ ଶୀର୍ଷ ନେତୃତ୍ୱକୁ ଧନ୍ୟବାଦ ଜଣାଇବା ସହ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବେ ବୋଲି ଶରତ କହିଛନ୍ତି । ବ୍ରଜରାଜନଗର ଉପନିର୍ବାଚନ ସରିବା ପରେ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ସେ କହିଛନ୍ତି।  

ଯଦିଓ ଶରତଙ୍କ ପାଖରେ ଲମ୍ବା ରାଜନୈତିକ ଅଭିଜ୍ଞତା ରହିଛି । ତେବେ ତାଙ୍କ ପାଇଁ ଚ୍ୟାଲେଞ୍ଜ ମଧ୍ୟ ଅନେକ ରହିଛି । ଦଳ ଭିତରେ ଥିବା ଅନ୍ତଃଦ୍ୱନ୍ଦକୁ ଦୂରକରି ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ଓ ଦଳର ନେତା ଏବଂ ବିଧାୟକମାନଙ୍କୁ ଶୃଙ୍ଖଳିତ କରିବା, ଦଳ ପାଇଁ ପାଣ୍ଠି ଯୋଗାଡ଼ କରିବା ଏବଂ ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ କରିବା, ଉତ୍ତର ଏବଂ ଉପକୂଳରେ ଦଳକୁ ସୁଦୃଢ଼ କରିବା, ଦଳରୁ ମୁହଁ ଫେରାଇ ଅନ୍ୟଦଳରେ ସାମିଲ ହୋଇଥିବା ନେତାଙ୍କୁ ଦଳକୁ ଫେରାଇ ଆଣିବା, ଦଳର ନେତୃତ୍ୱ ଉପରେ କର୍ମୀଙ୍କ ବିଶ୍ୱାସ ଏବଂ ଭରସା ସୁଦୃଢ଼ କରିବା, ରାଜ୍ୟରେ ଶକ୍ତିଶାଳୀ ବିଜେଡି ଏବଂ କେନ୍ଦ୍ର ବିଜେପି ସରକାର ସହ ଟକ୍କର ଦେଇ ଦଳକୁ ଆଗକୁ ବଢ଼ାଇବା ପାଇଁ ଶରତ ପ୍ରୟାସ କରିବେ ବୋଲି କହିଛନ୍ତି ।

ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ସହ ବିଧାୟକ ଦଳ ନେତା ପରିବର୍ତ୍ତନ ପାଇଁ ଦାବି ଯୋର ଧରିଥିଲା । ବର୍ତ୍ତମାନ ପିସିସି ସଭାପତି ଏବଂ କଂଗ୍ରେସ ବିଧାୟକ ଦଳ ନେତା ଗୋଟିଏ ଜିଲ୍ଲାର ହୋଇଥିବାରୁ ଆଗକୁ ଏହା ପରିବର୍ତ୍ତନ ହେଉଛି ନା ନାହିଁ, ତାହା ଆଗମୀ ଦିନରେ ସ୍ପଷ୍ଟ ହୋଇଯିବ । ସେହିପରି ଶରତ ପଟ୍ଟନୟକଙ୍କ ନୂଆ ଟିମ୍‌ରେ କେଉଁମାନେ ସ୍ଥାନ ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।