• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରଞ୍ଜନଙ୍କ ପରେ କାହା ଉପରେ ଭରସା କରିବେ ହାଇକମାଣ୍ଡ ? ଏହାକୁ ନେଇ ଏବେ ସରଗରମ କଂଗ୍ରେସ୍ ରାଜନୀତି । ପଂଚାୟତ ଓ ପୌର ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ପିସିସି ସଭାପତି ପରିବର୍ତ୍ତନ ଦାବି ଜୋର ଧରିଛି ।

ନିକଟରେ ବିଧାନସଭା ନିର୍ବାଚନ ସରିଥିବା ୫ ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ହେବା ପରେ ଓଡ଼ିଶାରେ ବି ମଙ୍ଗୁଆଳ ବଦଳିବା ଏକ ପ୍ରକାର ନିଶ୍ଚିତ । ଏଥିପାଇଁ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଜୋରସୋରରେ ଚାଲିଛି ଲବି । ରାଜ୍ୟର କିଛି ନେତା କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି । ଏହି ରେସ୍‌ରେ ଆଗରେ ଅଛନ୍ତି ଦଳର ଦୁଇ ବରିଷ୍ଠ ନେତା ଶରତ ପଟ୍ଟନାୟକ ଓ ଜୟଦେବ ଜେନା । ଏହା ପୂର୍ବରୁ ଶରତ ପଟ୍ଟନାୟକ ଥରେ ଓ ଜୟଦେବ ଜେନା ଦୁଇ ଦୁଇ ଥର ଏହି ଦାୟିତ୍ୱ ତୁଲାଇ ସାରିଛନ୍ତି ।

ସେପଟେ ଦିଲ୍ଲୀରେ ଦବ୍‌ଦବା ରଖୁଥିବା ଭକ୍ତ ଦାସ ମଧ୍ୟ ରେସ୍‌ରେ ଅଛନ୍ତି । ଯଦି ନୂଆ ମୁହଁକୁ କଂଗ୍ରେସ ଗୁରୁତ୍ୱ ଦିଏ ତାହେଲେ ରଂଜୀବ ବିଶ୍ୱାଳଙ୍କୁ ମଧ୍ୟ ଦାୟିତ୍ୱ ମିଳିପାରେ । ସେପଟେ ଆଉ ଡେରି ନକରି ତୁରନ୍ତ ନୂଆ ଟିମ୍ ଗଠନ ଲାଗି ଦାବି ଜୋର୍ ଧରିଲାଣି ।

କଂଗ୍ରେସ ବିଧାୟକ ଗୋଷ୍ଠୀ ମଧ୍ୟରୁ ଜଣକୁ ପିସିସି ସଭାପତି କରିବାକୁ ମଧ୍ୟ ଦାବି ହେଉଛି । ଯଦି ଏହି ପ୍ରସ୍ତାବକୁ ହାଇକମାଣ୍ଡ ଗ୍ରହଣ କରିନ୍ତି ତେବେ କଟକ-ବାରବାଟୀ ବିଧାୟକ ମହମ୍ମଦମ ମୋକିମ୍ କିମ୍ବା ଜୟପୁର ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କୁ ସଭାପତି ଚୌକି ମିଳିପାରେ । ତେଣେ ପୁରୁଣା ଫର୍ମୁଲା ଅନୁଯାୟୀ ଜଣେ ସଭାପତି ଓ ୩ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହୋଇପାରନ୍ତି । କାର୍ଯ୍ୟକାରୀ ସଭାପତି ପାଇଁ ମହମ୍ମଦ ମୋକିମ୍, ତାରା ପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂ ସାଲୁଜାଙ୍କ ନାଁ ଚର୍ଚ୍ଚା ହେଉଛି ।

ପଂଚାୟତ ଓ ପୌର ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ପରେ କଂଗ୍ରେସ୍ ଆଗରେ ଏବେ ମୁଖ୍ୟ ଚ୍ୟାଲେଞ୍ଜ ୨୦୨୪ ନିର୍ବାଚନ । ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜଭୁତ୍ କରି ବିଜେପି ଓ ବିଜେଡି ବିରୋଧରେ ଲଢେଇ କରିବାକୁ ଦଳ ଏଭଳି ରଣନୀତି ଗ୍ରହଣ କରୁଥିବା କୁହଯାଉଛି । ତେବେ ଭୁସୁଡୁଥିବା କଂଗ୍ରେସ ଦୁର୍ଗକୁ ନୂଆ ନେତୃତ୍ୱ କିଭଳି ସଂଜୀବନି ଦେଉଛନ୍ତି ତାକୁ ଅପେକ୍ଷା ।