• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୌର ଉପାଧ୍ୟକ୍ଷ ନିର୍ବାଚନ ପାଇଁ ରାଜନୈତିକ ଛକାପଞ୍ଝ । ୫୮ ଏନ୍ଏସି ଓ ୪୭ ପୌର ପରିଷଦର ଡେପୁଟି ଚେୟାରମ୍ୟାନ୍ ଆସନ ଦଖଲ ଲାଗି ଚାଲିଛି ଜୋରଦାର କସରତ । କେଉଁଠି ଘୋଡ଼ା ବେପାରର ଆଶଙ୍କା ତ କେଉଁଠି ମିଶ୍ରଣ ପର୍ବର ଆସର । ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଆଜି ବିଜେଡିର ହାତ ଧରିଛନ୍ତି ଖୋର୍ଦ୍ଧା ପୌର ପରିଷଦର ସମସ୍ତ ୫ ସ୍ୱାଧୀନ କାଉନସିଲର । ଏଠି ୨୨ଟି କାଉନ୍‌ସିଲ୍‌ର ଆସନରୁ ବିଜେଡି ୧୩ଟି ଦଖଲ କରିଥିଲା । ଦଳ ପାଖରେ ମ୍ୟାଜିକ୍ ନମ୍ବର ଥିଲେ ବି ଶେଷ ମୁହୂର୍ତ୍ତରେ କାଳେ ଖେଳ ଓଲଟପାଲଟ ହୋଇଯିବ ସେହି ଆଶଙ୍କାରେ ୫ ସ୍ୱାଧୀନ କାଉନସିଲରଙ୍କୁ ସାମିଲ କରିଥିବା ଚର୍ଚ୍ଚା ହେଉଛି ।

ଗଞ୍ଜାମ କୋଦଳା ଏନ୍ଏସିରେ ବି ପୌରାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ରାଜନୀତି ବେଶ୍ ସରଗରମ ରହିଛି । ବିଜେପି କାଉନ୍‌ସିଲର ଝିଲି ପ୍ରଧାନଙ୍କ ଶ୍ୱଶୁରଙ୍କ ଅଭିଯୋଗ, ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ତାଙ୍କୁ ଏବଂ ତାଙ୍କ ପରିବାରକୁ ଜୋରଜବରଦସ୍ତ ପୋଲିସ ଉଠାଇନେଇଥିଲା । ପୁଅର ଅଟୋକୁ ଥାନାକୁ ନେଇ ଏବେ ବି ରଖିଥିବା ସେ ଅଭିଯୋଗ କରିଛନ୍ତି । ବିଜେଡିରେ ମିଶିବା ପାଇଁ ରାଜି ନହେବାରୁ ପୋଲିସ ମିଛ କେସ୍‌ରେ ଫସାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଝିଲିଙ୍କ ଶ୍ୱଶୁର । ଘଟଣାର ତଦନ୍ତ କରାଯାଉଥିବା ନେଇ ପୁରୁଷୋତ୍ତମପୁର ଏସ୍‌ଡିପିଓ ଗତକାଲି କହିଥିଲେ ।

ସଂଖ୍ୟା ଗରିଷ୍ଠତା ନଥିବା ରାଜ୍ୟର ୧୫ ପୌର ପରିଷଦରେ ଉପାଧ୍ୟକ୍ଷ ପଦବି ଲାଗି ବିଜେଡିକୁ ଅଡୁଆ ସାଜିଛି ଅଙ୍କ । ଯେଉଁ ସ୍ଥାନରେ ମ୍ୟାଜିକ୍ ନମ୍ବର ହାତେଇବାକୁ ଅଳ୍ପ କାଉନସିଲରଙ୍କ ଆବଶ୍ୟକ ପଡୁଛି, ସେଠି ଉପାଧ୍ୟକ୍ଷ ପଦ ହାତେଇବାକୁ ଦଳ କଳବଳ ଓ କୌଶଳ ଲଗାଇଥିବା ଅଭିଯୋଗ ହେଉଛି । 

ଆସନ୍ତାକାଲି ୧୦୫ ପୌରାଞ୍ଚଳରେ ଉପାଧ୍ୟକ୍ଷ ସହ କଟକ ମହାନଗର ନିଗମର ଡେପୁଟି ମେୟର ପଦବି ଲାଗି ବି ନିର୍ବାଚନ ହେବ । ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ଦାଖଲ, ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନ ଯାଞ୍ଚ ଓ ଦିନ ଗୋଟାଏ ଯାଏଁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିବା । ଅପରାହ୍ନ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ହେବ ଭୋଟ୍ । ୨ରୁ ଅଧିକ ପ୍ରାର୍ଥୀ ଥିଲେ ରାଉଣ୍ଡ ଓ୍ୱାରି ଭୋଟିଂ ହେବ । ପ୍ରତି ରାଉଣ୍ଡରେ କମ୍ ଭୋଟ ପାଇଥିବା ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରୁ ଓହରିବେ ।

ଶେଷ ୨ଜଣଙ୍କ ମଧ୍ୟରେ ଚୂଡ଼ାନ୍ତ ଲଢ଼େଇ ହେବ । ଯଦି ଉଭୟ ପ୍ରାର୍ଥୀଙ୍କ ଭୋଟ୍ ସମାନ ହୁଏ, ଲଟେରି ଜରିଆରେ ଫଇସଲା ହେବ । ଦଳବଦଳ ନିରୋଧ ଆଇନ ଲାଗୁ ହୋଇଥିବାରୁ ଭୋଟ୍ ବେଳେ ଦଳୀୟ କାଉନସିଲର ଓ କର୍ପୋରେଟରମାନେ ଏଜେଣ୍ଟମାନଙ୍କୁ ଭୋଟ ଦେବେ ।