Advertisment

ପ୍ରକାଶ ପାଇଲା ପ୍ରାର୍ଥୀଙ୍କ ନାଁ ; କୁହୁଳିଲା ଅସନ୍ତୋଷର ନିଆଁ

ରାଜ୍ୟସଭାକୁ ଯିବେ ଚାରି ଯୁବ ଚେହେରା, ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ୍ ପାତ୍ର ଓ ନିରଂଜନ ବିଶି । ନାଁ ଘୋଷଣା ପରେ ନିରାଶ ହୋଇଛନ୍ତି ପୂର୍ବରୁ ରାଜ୍ୟସଭା ପାଇଁ ପ୍ରତିଶ୍ରୁତି ପାଇଥିବା ଓ ଆଶାୟୀ ଥିବା ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପ୍ରଦୀପ ମାଝୀଙ୍କ ଭଳି ଅନେକ ନେତା ।

author-image
Otv Khabar Bureau
Rajya Sabha Seats

Rajya Sabha Seats

ଚାରିରୁ ଚାରି ଯୁବା ଚେହେରାକୁ ବିଜେଡି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ଦଳ ଭିତରେ ଦେଖାଦେଇଛି ଚାପା ଅସନ୍ତୋଷ । ଯଦିଓ ଖୋଲିଖୋଲି କେହି ଅସନ୍ତୋଷ ଜାହିର୍ କରୁନାହାନ୍ତି, ତଥାପି ଭିତରେ ଭିତରେ ଏବେ ଏହାକୁ ନେଇ ଅନେକ ଚର୍ଚ୍ଚା । ନା ବିଜୁବାବୁଙ୍କ ସମୟର ଅନୁଭବୀ ନେତା, ନା ନବୀନଙ୍କ ବେଳର ୟଙ୍ଗ ବ୍ରିଗେଡ୍ ମଧ୍ୟରୁ କାହାରିକୁ ବି ସୁଯୋଗ ମିଳିନଥିବାରୁ ଭିତିରି ଅସନ୍ତୋଷ ଥିବା କୁହାଯାଉଛି ।

Advertisment

ସେପଟେ ରାଜ୍ୟସଭାରେ ଦଳର ଆଉ କୌଣସି ବରିଷ୍ଠ ନେତା ନଥିବାରୁ ସଂସଦୀୟ ଦଳ କାହା ପରାମର୍ଶରେ ଚାଲିବ, ତାକୁ ନେଇ ବି କଳ୍ପଜଳ୍ପନା ପ୍ରକାଶ ପାଇଛି । ଅନ୍ୟପକ୍ଷରେ ନିରଞ୍ଜନ ବିିଶିଙ୍କୁ ନେଇ ନବୀନ ଖେଳିଥିବା ସରପ୍ରାଇଜ୍ କାର୍ଡକୁ ନେଇ ପଶ୍ଚିମ ଓଡ଼ିଶା ଆଦିବାସୀ ସଂଘ ତୀବ୍ର ସମାଲୋଚନା କରିଛି ।

ରାଜ୍ୟସଭାକୁ ଯିବେ ଚାରି ଯୁବ ଚେହେରା, ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ୍ ପାତ୍ର ଓ ନିରଂଜନ ବିଶି । ନାଁ ଘୋଷଣା ପରେ ନିରାଶ ହୋଇଛନ୍ତି ପୂର୍ବରୁ ରାଜ୍ୟସଭା ପାଇଁ ପ୍ରତିଶ୍ରୁତି ପାଇଥିବା ଓ ଆଶାୟୀ ଥିବା ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପ୍ରଦୀପ ମାଝୀଙ୍କ ଭଳି ଅନେକ ନେତା । ମୁହଁ ଖୋଲି ଖୋଲାଖୋଲି କେହି କହୁନଥିଲେ ମଧ୍ୟ ଦଳ ଭିତରେ ପ୍ରାର୍ଥୀ ଚୟନକୁ ନେଇ ରହିଛି ଚାପା ଅସନ୍ତୋଷ । ଖାସ୍ କରି ବରିଷ୍ଠ ବା ବିଜେଡିର ପ୍ରଥମ ପିଢି ଏବଂ ଦ୍ୱିତୀୟ ପିଢ଼ିକୁ ଅଣଦେଖା କରାଯାଇ ଯୁବା ବା ତୃତୀୟ ପିଢି ନେତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବାକୁ ନେଇ ଏବେ ଅନେକ ଚର୍ଚ୍ଚା ।

Advertisment

ଅର୍ଥାତ ବିଜୁବାବୁଙ୍କ ସମୟର ଅନୁଭବୀ ନେତା, ନବୀନଙ୍କ ସମୟରେ ସକ୍ରିୟା ଥିବା ୟଙ୍ଗ ବ୍ରିଗେଡ୍‌କୁ ବାଦ୍ ଦେଇ ଦଳରେ କିଛି ବର୍ଷ ପୂର୍ବରୁ ସାମିଲ ହୋଇଥିବା ଯୁବ ଚେହେରାକୁ ପ୍ରାଧ୍ୟାନ୍ୟ ଦିଆଯାଇଛି । ପୁରୁଖା ନେତାଙ୍କୁ ବାଦ୍ ଦେବା, ଦକ୍ଷ, ଦଳ ପ୍ରତି ଆନୁଗତ୍ୟ ଓ ଯୋଗ୍ୟତା ଥିବା ନେତାଙ୍କୁ ସୁଯୋଗ ନମିଳିବାରୁ ନାନା ଚର୍ଚ୍ଚା ଆରମ୍ଭହୋଇଛି । ବର୍ତ୍ତମାନ ବଡ଼ ପ୍ରଶ୍ନ ହେଲା, କାହିଁକି ଏଭଳି ନିଷ୍ପତ୍ତି ନେଲା ବିଜେଡି? ଏହା ୨୦୨୪ ନିର୍ବାଚନ ପାଇଁ ଦଳୀୟ ରଣନୀତିର ପ୍ରାରମ୍ଭିକ ଅଂଶବିଶେଷ କି?

ଏସବୁ ଭିତରେ ଏହା ବି ଚର୍ଚ୍ଚା ହେଉଛି ଯେ, କ୍ଷମତା କେନ୍ଦ୍ର ସହ ସଂପୃକ୍ତ ଏବଂ ଆନୁଗତ୍ୟ ଥିବା ନେତାମାନଙ୍କୁ ହିଁ ଏବେ ସବୁ ପଦପଦବୀ ମିଳୁଛି । ସଂଖ୍ୟା ଦୃଷ୍ଟିରୁ ଦେଖିଲେ ବିଜେଡିର ୪ ପ୍ରାର୍ଥୀ ହିଁ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ । ଫଳରେ ରାଜ୍ୟସଭାରେ ଓଡ଼ିଶାର ୧୦ ସାଂସଦ ମଧ୍ୟରୁ ବିଜେଡିର ୯ ଜଣ ରହିବେ । ତେବେ ବିଜୁ ଲିଗାସି ବା କୌଣସି ବରିଷ୍ଠ ନେତା ଏଥିରେ ରହିବେ ନାହିଁ ।

ସେପଟେ ବର୍ଷ ବର୍ଷ ଧରି ବିଜେଡି ସରକାରର କଟ୍ଟର ବିରୋଧୀ ଚେହେରା ଭାବେ ଜଣାଶୁଣା ଥିବା ନିରଂଜନ ବିଶିଙ୍କୁ ବିଜେଡି ରାଜ୍ୟସଭା ପ୍ରାର୍ଥୀ କରିବା ପରେ ପଶ୍ଚିମ ଓଡ଼ିଶା ଆଦିବାସୀ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଦିବାସୀ ଆନ୍ଦୋଳନକୁ ଭଣ୍ଡୁର କରିବା ସହ ସ୍ୱରକୁ ଚାପି ଦେବାକୁ ଅପଚେଷ୍ଟା କରାଯାଇଛି ବୋଲି ସଂଘ ଅଭିଯୋଗ ଆଣିଛି । ସେମାନଙ୍କ ସହ ଏହା ବଡ ଧୋକା ବୋଲି କହିଛନ୍ତି ସଂଘର ମୁଖ୍ୟ ଉପଦେଷ୍ଚା ସତ୍ୟନାରାୟଣ ଭୋଇ । 

ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ଥିଲେ । ତାଙ୍କ ସ୍ଥାନରେ କିଏ ନେବ, ଏବେଠୁ ଚର୍ଚ୍ଚା ଆରମ୍ଭ ହେଲାଣି ।

ରିପୋର୍ଟର- ଅଶୋକ ବ୍ରହ୍ମା,ମନରଂଜନ ଯୋଶୀ, ହରିହର ଚାନ୍ଦ

Rajya Sabha Seats Special Story
Advertisment
Advertisment