• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବର୍ଷକୁ ୫ ଏକର ଜମିରେ ଚାଷ କରୁଥିବା ବରଗଡ଼ ବୁଦେଇପାଲି ଗାଁର ଚାଷୀଙ୍କ ବେଦନା ଶୁଣିଲେ ଆପଣଙ୍କ ଆଖିରୁ ବି ଲୁହ ଝରିବ । ତାଙ୍କ ବାସ ଆଉ ବେଶକୁ ଦେଖିଲେ ଆପଣଙ୍କ ହୃଦୟ ତରଳି ଯିବ । ବରଗଡ଼ ବୁଦେଇପାଲି ଗାଁର ଗିରିଧାରୀ ଷଣ୍ଢ ବର୍ଷସାରା ଜମିରେ ଖଟି ଖଟି ୫ ପ୍ରାଣୀ କୁଟୁମ୍ବର ପେଟକୁ ଦାନାଗଣ୍ଡାକ ଯୋଗାଡ଼ ଛଡ଼ା ଆଉ କିଛି ନାହିଁ । ଭଙ୍ଗା ଦଦରା ଘର ଖଣ୍ଡିକ ଯେଉଁଠି ସଜାଡ଼ି ହେଉନି ସେଠି ଆଉ ବା କଣ ହୁଅନ୍ତା ।

ବଡ଼ କଥା ହେଉଛି ଚାଷୀ ଆୟର ଏଭଳି ଦୟନୀୟ ସ୍ଥିତିକୁ ବି ପରୋକ୍ଷରେ ମାନିଛନ୍ତି ସରକାର । ବିଧାନସଭାରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଲିଖିତ ଉତ୍ତର କହୁଛି, ୬ ବର୍ଷରେ ରାଜ୍ୟରେ ଚାଷୀ ପରିବାରର ମାସିକ ହାରାହାରି ଆୟ ମାତ୍ର ୧୩୬ ଟଙ୍କା ବା ୨.୭୩ ପ୍ରତିଶତ ବଢ଼ିଛି । ୨୦୧୨-୧୩ରେ ଓଡ଼ିଶାରେ ଚାଷୀ ପରିବାରର ଆୟ ଥିଲା ୪ ହଜାର ୯୭୬ ଟଙ୍କା । ୨୦୧୮-୧୯ ସୁଦ୍ଧା ଏ ଆୟ ବଢ଼ି ପହଞ୍ଚିଛି ମାତ୍ର ୫ ହଜାର ୧୧୨ ଟଙ୍କାକୁ ।

ତେବେ ବିହାର ଓ ପଶ୍ଚିମବଙ୍ଗର ଚାଷୀଙ୍କ ଆୟ କିନ୍ତୁ ଏ ଭିତରେ ଢେର୍ ବଢ଼ିଛି । ବିହାରରେ ଚାଷୀ ପରିବାରର ମାସିକ ଆୟ ୩ ହଜାର ୫୫୮ ଟଙ୍କାରୁ ୧୧୨ ପ୍ରତିଶତ ବଢ଼ି ୭ ହଜାର ୫୪୨ ଟଙ୍କାରେ ପହଞ୍ଚିଛି । ସେହିଭଳି ପଶ୍ଚିମବଙ୍ଗ ଚାଷୀ ପରିବାର ଆୟ ୭୦ ପ୍ରତିଶତ ବଢ଼ି ୩ ହଜାର ୯୮୦ ଟଙ୍କାରୁ ପହଞ୍ଚିଛି ୬ ହଜାର ୭୬୨ ଟଙ୍କାରେ । ଏମିତିକି ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଚାଷୀଙ୍କ ଆୟ ଯଥାକ୍ରମେ ୭୫ ପ୍ରତିଶତ ଓ ୮୭ ପ୍ରତିଶତ ବଢ଼ିଛି । ହେଲେ ଆମର ଏଠି କାଳିଆ, ବଳିଆ ଭଳି ରାଜ୍ୟ ସରକାରଙ୍କ ତମାମ ଯୋଜନା ସତ୍ତ୍ୱେ ଆୟ କିନ୍ତୁ ଆଖି ଦୃଶିଆ ବଢୁ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଚାଷୀ ସଂଗଠନ ।

 

ହେଲେ ବାରମ୍ବାର କୃଷିକର୍ମଣ ପୁରସ୍କାର ପାଇବାଠୁ ନେଇ କୃଷି ଓ କୃଷକର ଉନ୍ନତି ପାଇଁ ଢୋଲପିଟା ଯୋଜନା ସତ୍ତ୍ୱେ କାହିଁକି ବଢୁନି ଚାଷୀର ଆୟ ? ଏଥିପାଇଁ ମଣ୍ଡିରେ ଧାନ ଉଠାଣଠୁ ନେଇ ଜମିକୁ ଜଳସେଚନ, ଶୀତଳଭଣ୍ଡାର ନିର୍ମାଣ ଭଳି ଭିତ୍ତିଭୂମି ସୃଷ୍ଟିରେ ସରକାରଙ୍କ ବିଫଳତାକୁ ବିରୋଧୀ ଦାୟୀ କରିଛନ୍ତି । ତେବେ ଚାଷୀର ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ରାଜ୍ୟ ଆଗରେ ଥିବା କହିଛନ୍ତି କୃଷିମନ୍ତ୍ରୀ ।