• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆ ସଭାପତିଙ୍କ ନୂଆ ମିଶନ । ୬ ମାସରେ ରାଜ୍ୟରେ ଜୀବନ ପାଇବ କଂଗ୍ରେସ । ସଂଗଠନ ସ୍ତରରେ ଆସିବ ବଡ଼ ପରିବର୍ତ୍ତନ । ସଭାପତି ଦାୟିତ୍ୱ ନେବା ପରେ ଆଜି ଗଣମାଧ୍ୟମ ଆଗରେ ଏମିତି ଦୃଢୋକ୍ତି ପ୍ରକାଶ କରିଛନ୍ତି ନୂତନ ପିସିସି ସଭାପତି ଶରତ ପଟ୍ଟନାୟକ । ଦକ୍ଷତା ଅନୁଯାୟୀ ଦାୟିତ୍ୱ ବାଣ୍ଟିବେ । ପଞ୍ଚାୟତରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ସଂଗଠନକୁ ମଜଭୂତ କରାଯିବ । ଆଉ ବୁଝାମଣା ନୁହେଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କଡ଼ା ଅଭିମୁଖ୍ୟ ଗ୍ରହଣ କରିବ ରାଜ୍ୟ କଂଗ୍ରେସ । ତେବେ ଶରତ ସମସ୍ତଙ୍କୁ ନେଇ ଚାଲିଲେ ପୁଣିଥରେ କଂଗ୍ରେସ ଶୀର୍ଷକୁ ଛୁଇଁବ ବୋଲି ବି ଆଶାବାଦୀ ରହିଛନ୍ତି ଦଳୀୟ ନେତା ।

ନୂଆ ସଭାପତି, ନୂଆ ମିସନ୍, ନୂଆ ଭିଜନ୍ । ଭିଜନ୍ ୨୦୨୪ ମୋଡରେ ପିସିସି ସଭାପତି ଶରତ ପଟ୍ଟନାୟକ । ୬ ମାସରେ କଂଗ୍ରେସର ବଡ଼ ପରିବର୍ତ୍ତନ ହେବ । ବଦଳିବ ରୂପରେଖ, ବଦଳିବ ଆଭିମୁଖ୍ୟ । ନେତାଙ୍କୁ ଦକ୍ଷତା ଅନୁଯାୟୀ ଦାୟିତ୍ୱ ମିଳିବ । ବିଜେଡି ଓ ବିଜେପିକୁ କଡା ଟକ୍କର ଦେଇ ପୁଣିଥରେ ମୁଣ୍ଡ ଟେକିବ କଂଗ୍ରେସ । ନବନିଯୁକ୍ତି ପିସିସି ସଭାପତିଙ୍କ ଠାରୁ ଏଭଳି ଦମ୍ଭୋକ୍ତି ପାଇବା ପରେ ଏବେ ରାଜ୍ୟ କଂଗ୍ରେସର କର୍ମୀଙ୍କ ଭିତରେ ଭରପୁର ଉତ୍ସାହ ।

ଦକ୍ଷିଣ, ପଶ୍ଚିମ, ଉପକୂଳ ଓଡିଶାକୁ ବିଭିନ୍ନ ଜୋନ୍‌ରେ ବିଭକ୍ତ କରି ସଂଗଠନକୁ ସୁଦୃଢ କରାଯିବ । ଏସବୁ ଜୋନ୍‌ର ଦାୟିତ୍ୱରେ ବି ଜଣେ ଜଣେ ଟାଣୁଆ ନେତା ରହିବେ । ଏହାସହ ଯେଉଁମାନେ ବିଗତ ଦିନରେ କଂଗ୍ରେସରୁ ଯାଇ ବିଜେଡି ଓ ବିଜେପିରେ ମିଶିଛନ୍ତି, ସେମାନଙ୍କୁ ମଧ୍ୟ ଘରକୁ ଫେରାଇ ଆଣିବାକୁ ଆରମ୍ଭ ହେବ ନୂଆ ଅପରେସନ ।

ବିଶେଷକରି ଅତୀତରେ କଂଗ୍ରେସର ଗଡ କୁହାଯାଉଥିବା ଦକ୍ଷିଣ ଓ ପଶ୍ଚିମ ଓଡିଶାକୁ ଅଧିକ ଗୁରୁତ୍ୱ ଦେଇ ସଂଗଠନକୁ ସୁଦୃଢ କରାଯିବ । ଉପକୂଳ ଓଡିଶାରେ ମଧ୍ୟ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ବଣ୍ଟନ କରାଯିବ । ରାଜସ୍ଥାନ ଚିନ୍ତନ ବୈଠକରେ ମିଳିଥିବା ଫିଫ୍ଟି ଫିଫ୍ଟି ମନ୍ତ୍ରକୁ ଟିମ୍ ଗଠନ ବେଳେ ଗୁରୁତ୍ୱ ଦେବେ ନବ ନିଯୁକ୍ତ ପିସିସି ସଭାପତି । ଯେଉଁଥିରେ ଯୁବକ ଓ ଅଭିଜ୍ଞଙ୍କୁ ସୁଯୋଗ ଦିଆଯିବ । ବ୍ରଜରାଜନଗର ଉପନିର୍ବାଚନ ପରେ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଭେଟିବା ପରେ ନିଜର ଟିମ୍ ତିଆରି କରିବେ ଶରତ ।

ସେପଟେ କଂଗ୍ରେସର ବଡ ସମସ୍ୟା ହେଉଛି ଗୋଷ୍ଠୀ କନ୍ଦଳ । ବ୍ରଜରାଜନଗରରେ ଉପନିର୍ବାଚନ ପାଇଁ ସବୁ ନେତା ବିଧାୟକ ସେଠାରେ ଡେରା ପକାଇଛନ୍ତି । ଏହାରି ଭିତରେ କିନ୍ତୁ ଏବେଠାରୁ ଅସନ୍ତୋଷର ବାସ୍ନା ଆସିଲାଣି । ଏକାଧିକ ବିଧାୟକ ପିସିସି ସଭାପତି ରେସ୍‌ରେ ଥିବାରୁ ସେମାନେ ନିରାଶ ହୋଇଛନ୍ତି । ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁନଥିଲେ ମଧ୍ୟ ଭିତରେ ଭାରି ଅସନ୍ତୁଷ୍ଟ ଅଛନ୍ତି । ଅନ୍ୟପଟେ ଛାତ୍ର, ଯୁବ, ମହିଳା ଭଳି ଛାମୁଆ ସଂଗଠନର ନବକଳେବର ହେବା ନେଇ ଲବି ଜୋର ଧରିଲାଣି । ଏହାକୁ କିପରି ମ୍ୟାନେଜ କରିବେ, ତାହା ବି ଶରତ ପଟ୍ଟନାୟକଙ୍କ ପାଇଁ ଚାଲେଞ୍ଜ ହେବ ।

ଏବେ ନୂଆ ସେନାପତିଙ୍କ କାନ୍ଧରେ ରାଜ୍ୟ କଂଗ୍ରେସର ଭାର । ତେବେ ଶରତ ପୁରୁଣା ଟିମ୍ ନେଇ କାର୍ଯ୍ୟ କରୁଛନ୍ତି ନା ନୂଆ ଟିମ୍ ତିଆରି କରିବେ, ଆଉ ନୂଆ ଟିମରେ କେଉଁ ମାନେ ସ୍ଥାନ ପାଉଛନ୍ତି ତାକୁ ଅପେକ୍ଷା ରହିଛି ।