• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କେମିତି ହେବ କଂଗ୍ରେସର ସାଂଗଠନିକ ପୁର୍ନଗଠନ? କେଉଁ ଆଧାରରେ ନିଯୁକ୍ତ ହେବେ ବିଭିନ୍ନ ପଦାଧିକାରୀ ? ରାଜ୍ୟ ପ୍ରଭାରୀଙ୍କ ଦୁଇ ଦିନିଆ ମାନସମନ୍ଥନ ପରେ ମଧ୍ୟ ଅଙ୍କ ଛିଡିନଥିବା ଚର୍ଚ୍ଚା ହେଉଛି । ଫଳରେ କିଛି ନେତା ହାଇକମାଣ୍ଡ ପାଖରେ ସିଧାସଳଖ ମତାମତ ରଖିବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି । ଏପଟେ ନୂଆ ମଙ୍ଗୁଆଳ କିଏ ହେବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଆରମ୍ଭ ହୋଇଛି ପ୍ରେସର ଟ୍ୟାକଟିକ୍ସ । ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ମୁଖ୍ୟ ସେଚତକ ତାରା ବାହିନୀପତି ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ମଧ୍ୟ ହେଉଛି । ଏସବୁ ଭିତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ବିଶୃଙ୍ଖଳା ଦଳକୁ ଅଧିକ କ୍ଷତି ପହଞ୍ଚାଇବ ।

ରାଜ୍ୟ କଂଗ୍ରେସରେ ଘଡିକେ ଘୋଡା ଛୁଟୁଥିବାର ଦେଖିବାକୁ ମିଳିଛି । ଦିଲ୍ଲୀରେ ପହଞ୍ଚିଛି ରାଜ୍ୟ କଳି । ହାଇକମାଣ୍ଡଙ୍କ ପାଖରେ ପହଞ୍ଚି ବିଭିନ୍ନ ଗୋଷ୍ଠୀ ଲବି ଆରମ୍ଭ କରିଛନ୍ତି । ପ୍ରଭାରୀ ଚେଲା କୁମାର ଦୁଇ ଦିନ ଧରି ଦଳୀୟ କର୍ମୀ ଓ ବିଧାୟକଙ୍କ ମତାମତ ନେଇ ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ସେଠାରେ ରୁଣ୍ଡ ଦଳର ଛାମୁଆ ନେତା ହୋଇଛନ୍ତି ।

ତେବେ କେଉଁ ଆଧାରରେ ନେତୃତ୍ୱ ପରିବର୍ତ୍ତନ ହେବ, ସେନେଇ ପୁଣି ଥରେ ମତାମତ ଦେଉଛନ୍ତି । ଅନ୍ୟପକ୍ଷରେ ପିସିସି ସଭାପତି ପରିବର୍ତ୍ତନ ଅଙ୍କ ଛିଡି ନଥିବା ବେଳେ ବିଭିନ୍ନ ଛାମୁଆ ସଂଗଠନର ଯେପରିକି ଛାତ୍ର, ଯୁବ ଓ ମହିଳା କଂଗ୍ରେସର ମୁଖିଆ ପଦ ଲାଗି ହାଇକମାଣ୍ଡଙ୍କ ପାଖରେ ନିଜ ନିଜ ଦାବି ବି ରଖିଥିବାର ଦେଖିବାକୁ ମିଳିଛି ।

ଅନ୍ୟପଟେ ନୂଆ ପିସିସି ସଭାପତି ଚୟନ ଓ ଦଳ ଭିତରୁ ସମାଲୋଚନା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ତେବେ ଏ ସଂକ୍ରାନ୍ତରେ ନରସିଂହ ମିଶ୍ର କି ତାରା ପ୍ରସାଦ ବାହିନୀପତି କେହି ବି ମୁହଁ ଖୋଲିନାହାନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପ୍ରଭାରୀ ଚେଲା କୁମାର ମଧ୍ୟ ଏ ପ୍ରସଙ୍ଗରେ କିଛି ସ୍ପଷ୍ଟ କରିନାହାନ୍ତି ।

ତେବେ ଦଳରେ ଚାଲିଥିବା ଟଣାଓଟରାକୁ ନେଇ ଖପ୍ପା ହୋଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଦଳୀୟ ବିଶୃଖଳା କଂଗ୍ରେସକୁ ଅଧିକ କ୍ଷତି ପହଞ୍ଚାଇବ ବୋଲି ସେ କହିଛନ୍ତି । ସେପଟେ କାରଣ ଦର୍ଶାଅ ନୋଟିସ୍‌କୁ ନେଇ ଅସନ୍ତୁଷ୍ଟ ଥିବା ବିଧାୟକ ସୁରେଶ ରାଉତରାୟ ନରସିଂହ ମିଶ୍ର ଓ ତାରାଙ୍କ ଇସ୍ତଫାକୁ ଡ୍ରାମା ବୋଲି କହିଛନ୍ତି ।

ରାଜ୍ୟରେ କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ସହ ସାଂଗଠନିକ ପୁର୍ନବିନ୍ୟାସ ହେବାକୁ ଯାଉଛି । ଏଥିରେ ସନ୍ଦେହ ନାହିଁ, କିନ୍ତୁ ହାଇକମାଣ୍ଡ ପଠାଇଥିବା ପ୍ରତିନିଧିଙ୍କ ଉପରେ ଦଳୀୟ ନେତାଙ୍କ ବିଶ୍ୱାସ ନରହିବା କଂଗ୍ରେସ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି । ତେଣୁ ଅନେକ ନେତା ସିଧାସଳଖ ହାଇକମାଣ୍ଡଙ୍କ ନିକଟରେ ମତ ରଖିବାକୁ ଦିଲ୍ଲୀରେ ରୁଣ୍ଡ ହୋଇଥିବାର ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ହାଇକମାଣ୍ଡ କେଉଁ ଆଧାରରେ ନେତୃତ୍ୱ ପରିବର୍ତ୍ତନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ରିପୋର୍ଟର- ଶିବାନନ୍ଦ ରାଉତ, ଅର୍ଚ୍ଚନା ଶତପଥୀ, ଜଗଦୀଶ ଦାସ